୩୧ରେ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟପାଳ ଭାବେ ଆସନ୍ତା ୩୧ ତାରିଖରେ ବରିଷ୍ଠ ବିଜେପି ନେତା ରଘୁବର ଦାସ ଦାୟିତ୍ୱ ଗ୍ରହଣ କରିବେ। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ତାଙ୍କୁ ଓଡ଼ିଶାର ୨୬ ତମ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରଘୁବର ଦାସ ଆସନ୍ତା ୨୯ତାରିଖରେ ଭୁବନେଶ୍ୱରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି। ୩୦ ତାରିଖ ଦିନ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ । ୩୧ ତାରିଖରେ ନୂଆ ରାଜ୍ୟାପାଳ ଭାବେ ଦାୟିତ୍ବ ନେବେ ରଘୁବର ଦାସ ।

ଅକ୍ଟୋବର ୧୮ତାରିଖରେ ରଘୁବର ଦାସଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ସେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସ୍ଥାନରେ କାର୍ଯ୍ୟ କରିବେ। ୨୦୧୮ ମେ ୨୫ରେ ଓଡ଼ିଶା ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ ପ୍ରଫେସର ଗଣେଶୀ ଲାଲ୍ । ପ୍ରଫେସର ଗଣେଶୀଲାଲଙ୍କ କାର୍ଯ୍ୟକାଳ ୨୦୨୩ ମେ’ ମାସରୁ ଶେଷ ହୋଇଥିଲେ ମଧ୍ୟ ସେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ । ପ୍ରଫେସର ଗଣେଶୀଲାଲ ପ୍ରାୟ ୫ବର୍ଷ ୫ମାସ ଧରି ରାଜ୍ୟପାଳ ଦାୟିତ୍ୱ ତୁଲାଇଥିଲେ । ତେବେ ବିଦାୟ ପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଭବନ ଯାଇ ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ତାଙ୍କର କାର୍ଯ୍ୟକାଳକୁ ପ୍ରଶଂସା କରିବା ସହ ତାଙ୍କୁ ଧନ୍ୟବାଦ ଦେଇଥିବା ଜଣାପଡ଼ିଛି।

Comments (0)
Add Comment