୫୧୨ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାର ୫୧୨ ନୂଆ ସହକାରୀ ପ୍ରଫେସର, ସହକାରୀ ଟ୍ରେନିଂ ଅଫିସର, କନିଷ୍ଠ ସହକାରୀ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚଶିକ୍ଷା ବିଭାଗରେ ୧୫୮ ଜଣ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ମିଳିଥିବା ବେଳେ, ୧୯୪ ଜଣ ସହକାରୀ ଟ୍ରେନିଂ ଅଫିସର,୧୫୦ ଜଣ କନିଷ୍ଠ ସହାୟକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ନିଯୁକ୍ତି ଦିଆଯାଇଛି। ଲୋକସେଭା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ  ପ୍ରଫେସରମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏଭଳି ଏକ ବୃତ୍ତିକୁ ଆପଣାଇବା ଓ ଯୁବପିଢ଼ିଙ୍କୁ ଦକ୍ଷକରି ଗଢ଼ିତୋଳିବା ପାଇଁ ବ୍ରତୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଗତ କିଛି ବର୍ଷ ମଧ୍ୟରେ ଉଭୟ ସରକାରୀ ଏବଂ ଅଣ-ସରକାରୀ ସହାୟକ ମହାବିଦ୍ୟାଳୟ ପାଇଁ ରେକର୍ଡ ସଂଖ୍ୟକ ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀ (୪୯୪୧) ନିଯୁକ୍ତ ହୋଇଛନ୍ତି। ସରକାରୀ ଭାବେ ଡିଗ୍ରୀ କଲେଜରେ ୫୫୬ ସହକାରୀ ପ୍ରଫେସରଙ୍କୁ ଏହି ସମୟ ମଧ୍ୟରେ ନିଯୁକ୍ତି ଦିଆଯାଇଛି। ସେହିପରି ଶିକ୍ଷକ ଶିକ୍ଷା ତାଲିମ ପ୍ରତିଷ୍ଠାନରେ ନିଯୁକ୍ତ ୩୩୨ ସହକାରୀ ପ୍ରଫେସର ଏବଂ ୩୦୮ ଜଣ ଅଣଶିକ୍ଷକ କର୍ମଚାରୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। ଏହା ବ୍ୟତୀତ ଗତ କିଛି ବର୍ଷ ମଧ୍ୟରେ ଅଣ-ସରକାରୀ ସହାୟକ କଲେଜଗୁଡ଼ିକରେ ୩୭୪୫ ଅଧ୍ୟାପକ ନିଯୁକ୍ତ ହୋଇଛନ୍ତି । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାରେ ନବନିଯୁକ୍ତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ଉଚ୍ଚଶିକ୍ଷା ସହିତ ଆମର ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ କୌଶଳ କ୍ଷେତ୍ର ବେଶ୍‌ ଗୁରୁତ୍ୱ ବହନ କରେ। ରାଜ୍ୟ ସରକାର ଦକ୍ଷ ତଥା ସଶକ୍ତ ଓଡ଼ିଶା ଆଡକୁ ଏକ ପରିବର୍ତ୍ତନଶୀଳ ଯାତ୍ରା ଆରମ୍ଭ କରିଛନ୍ତି। ଏହି ନିଯୁକ୍ତି ଦକ୍ଷତା ବିକାଶ ପାଇଁ ୫-ଟି ଢାଞ୍ଚାର ପ୍ରତିବଦ୍ଧତାକୁ ସୂଚିତ କରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments (0)
Add Comment