୭୭ ହଜାର ଟଙ୍କାର ଟାୱେଲ୍‌-ସ୍କର୍ଟ

ମୁମ୍ବାଇ: ବିଳାସମୟ ପୋଷାକପତ୍ର ନିର୍ମାଣ କରୁଥିବା ‘ବାଲେନ୍‌ସିଆଗା’ କମ୍ପାନି ନିକଟରେ ଏକ ବିଚିତ୍ର ପରିଚ୍ଛଦ ପାଇଁ ଚର୍ଚ୍ଚାରେ ରହିଛି। କମ୍ପାନି ପକ୍ଷରୁ ସଦ୍ୟ ବଜାରକୁ ଛଡ଼ାଯାଇଥିବା ଏକ ‘ଟାୱେଲ୍‌-ସ୍କର୍ଟ’ର ମୂଲ୍ୟ ୯୨୫ ଡଲାର ବା ପ୍ରାୟ ୭୭ ହଜାର ଟଙ୍କା ରହିଛି। ଉଭୟ ପୁରୁଷ ଓ ମହିଳାଙ୍କ ଲାଗି ଉଦ୍ଦିଷ୍ଟ ଏହି ସ୍କର୍ଟଟି ଦେଖିବାକୁ ଠିକ୍ ଏକ ଟାୱେଲ ପରି। ୨୦୨୪ ମସିହାର ଫଲ୍ କଲେକ୍ସନ୍‌ ପାଇଁ ଉଦ୍ଦିଷ୍ଟ ଏହି ‘ଟାୱେଲ-ସ୍କର୍ଟ’କୁ ସାମାଜିକ ଗଣମାଧ୍ୟମରେ ପ୍ରବଳ ସମାଲୋଚନା ଓ ତାଚ୍ଛଲ୍ୟ କରାଯାଉଛି। ଏହି ସାମାନ୍ୟ ବସ୍ତ୍ର ପାଇଁ ଏଭଳି ଉଚ୍ଚ ଦରକୁ ସମାଲୋଚକମାନେ ନାପସନ୍ଦ କରିଛନ୍ତି। ସେହିପରି ଉପଭୋକ୍ତାଙ୍କ ଉପରେ ଏଭଳି ସାମାଜିକ ପରୀକ୍ଷାନିରୀକ୍ଷା ଚଳାଇବା ଅସମ୍ମାନଜନକ ଓ ଆକ୍ରୋଶମୂଳକ ବୋଲି କିଛି ଲୋକ ଟିପ୍ପଣୀ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଫେସନ୍‌ ନିର୍ଦ୍ଦେଶକ ଡେମନା ଗ୍ବାସାଲିଆଙ୍କ ନେତୃତ୍ବରେ ଏହି କମ୍ପାନି ବିଭିନ୍ନ ଅଜବ ଢଙ୍ଗର ପୋଷାକ ବଜାରକୁ ଛାଡ଼ିବାରେ ମାହିର୍‌। ସେଗୁଡ଼ିକର ମୂଲ୍ୟ ଅବିଶ୍ବସନୀୟ ଭାବେ ଉଚ୍ଚା ହୋଇଥାଏ। ପୂର୍ବରୁ ଉକ୍ତ ଫେସନ୍‌ କମ୍ପାନି ପକ୍ଷରୁ କମ୍ବଳ ରଖିବା ଲାଗି ଉଦ୍ଦିଷ୍ଟ ବ୍ୟାଗ୍‌ ପରି ଏକ ହାଣ୍ଡବ୍ୟାଗ୍‌ ବଜାରକୁ ଛଡ଼ାଯାଇଥିଲା, ଯାହାର ମୂଲ୍ୟ ଅବିଶ୍ବନୀୟ ଭାବେ ୧.୪ ଲକ୍ଷ ଟଙ୍କା ରହିଥିଲା।

Comments (0)
Add Comment