ବନ୍ୟଜନ୍ତୁଙ୍କ ଉପରେ ସଚେତନତା ସୃଷ୍ଟି କରିବାକୁ ପ୍ରତି ବିଦ୍ୟାଳୟର ଜଣେ ପିଲା ହେବେ ‘ଜୁ ଆମ୍ବାସାଡର’

ଭୁବନେଶ୍ବର: ପ୍ରାଣୀ ଉଦ୍ୟାନ ‘ନନ୍ଦନକାନନ’ ସହ ଯୋଡ଼ିହେବେ ବିଦ୍ୟାଳୟ ଛାତ୍ରଛାତ୍ରୀ। ବିଦ୍ୟାଳୟସ୍ତରରେ ବନ୍ୟଜନ୍ତୁଙ୍କ ଉପରେ ସଚେତନତା ସୃଷ୍ଟି କରିବାକୁ ପ୍ରତି ବିଦ୍ୟାଳୟର ଜଣେ ଲେଖାଏ ଛାତ୍ର/ଛାତ୍ରୀଙ୍କୁ ‘ଜୁ ଆମ୍ବାସାଡର’ ଭାବେ ଚୟନ କରାଯିବ। ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଭବିଷ୍ୟତ ଲକ୍ଷ୍ୟ ହାସଲ କରିବାକୁ ପ୍ରାଣୀ ଉଦ୍ୟାନ ପକ୍ଷରୁ ଏଭଳି ଏକ ଶିକ୍ଷା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୭ମ, ୮ମ ଓ ୯ମ ଶ୍ରେଣୀର ଛାତ୍ରଛାତ୍ରୀ ‘ଜୁ ଆମ୍ବାସଡାର’ ହେବା ପାଇଁ ଆବେଦନ କରିପାରିବେ। ବିଦ୍ୟାଳୟଗୁଡ଼ିକ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବା ସହ ନନ୍ଦନକାନନ ୱେବସାଇଟ୍ https://www.nandankanan.org/Zoo-Ambassador-Programme.php ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ। ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟଗୁଡ଼ିକୁ ଷ୍ଟଡି ମ୍ୟାଟେରିଆଲ୍‌ (ଅଧ୍ୟୟନ ସାମଗ୍ରୀ) ପଠାଯିବ। ଡିସେମ୍ବର ଦ୍ୱିତୀୟ ସପ୍ତାହରେ ସମସ୍ତ ବିଦ୍ୟାଳୟରେ ଏକ ପରୀକ୍ଷା କରାଯିବ। ପରୀକ୍ଷା ଶେଷ ହେବା କ୍ଷଣି ବିଦ୍ୟାଳୟ କର୍ତ୍ତୃପକ୍ଷ ଉତ୍ତର ଖାତାଗୁଡ଼ିକୁ ତୁରନ୍ତ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ। ପରୀକ୍ଷାରେ ଶୀର୍ଷରେ ଥିବା ଛାତ୍ର/ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ନନ୍ଦନକାନନର ‘ଜୁ ଆମ୍ବାସଡାର’ ଭାବେ ଚୟନ କରାଯିବ। ପ୍ରତି ବିଦ୍ୟାଳୟରୁ କେବଳ ଜଣେ ଯୋଗ୍ୟ ବିବେଚିତ ହେବେ ଏବଂ ତାଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ଅର୍ଥାତ୍‌ ୨୦୨୪ ଜାନୁଆରି ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିବ।

Comments (0)
Add Comment