ଆମେରିକାରେ ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ଟିକା

ସାରା ବିଶ୍ୱରେ ମହାମାରୀ ତାଣ୍ଡବ ରଚିଥିବା ବେଳେ କରୋନା ବିରୋଧୀ ଲଢେଇ ଟିକାକରଣରେ ଆଉ ପାଦେ ଆଗେଇଲା ଆମେରିକା । ଭାଇରସ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି ଶକ୍ତିଶାଳୀ ରାଷ୍ଟ୍ର । କିନ୍ତୁ ଏବେ କରୋନାକୁ ମାତ୍ ଦେବାକୁ ଆମେରିକା ସରକାର ସବୁ ସ୍ତରରେ ପ୍ରୟାସ ଆରମ୍ଭ କରିଛି । ଏବେ ଆମେରିକାରେ ୧୨ ରୁ ୧୫ ବର୍ଷ ମଧ୍ୟରେ ପିଲାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଛି । ଏନେଇ ଫାଇଜର- ବାୟୋଏନଟେକ କୋଭଡି-୧୯ ଟିକାକୁ ଅନୁମତି ଦେଇଛି ।

କିଭଳି କରୋନାକୁ ମାତ୍ ଦେଇହେବ ସେ ନେଇ ଅଧିକ ପ୍ରଭାବିତ ହୋଇଥିବା ଆମେରିକାରେ ଟିକାକରଣକୁ ଜୋରଦାର କରାଯାଇଛି । ଏଣିକି ୧୨ ରୁ ୧୫ ବର୍ଷର ପିଲାଙ୍କୁ ଟିକାକରଣ ଲାଗି ନିଷ୍ପତ୍ତି ହୋଇଛି ।ଫାଇଜରର କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) ଏହାକୁ ଅନୁମତି ଦେଇଛି ।ଆମେରିକା ରାଷ୍ଟ୍ରପତି ଏହାକୁ କରୋନା ବିରୋଧ ଲଢେଇରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି । ଅନ୍ୟପଟେ ଭାରତରେ ଦେଖାଦେଇଥିବା କରୋନାର ନୂଆ ଭାରିଏଣ୍ଟ(ବି-୧୬୧୭) କୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ।

ଆମେରିକାରେ କରୋନା ଭାଇରସଜନିତ ମୃତ୍ୟୁ ୬ ଲକ୍ଷ ନିକଟତର ହୋଇଛି । ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩୫ ଲକ୍ଷ ୧୨ ହଜାର ୭୦୫ରେ ପହଂଚିଛି । ସଂକ୍ରମଣରେ ଏବେ ସାରା ବିଶ୍ୱରେ ୩.୩ ମିଲିୟନ ଲୋକଙ୍କର ଜୀବନ ଗଲାଣି । କିଛି ଦେଶ ଏବେ ଟିକାକରଣ ଅଭିଯାନକୁ ଦ୍ରୁତ କରିବା ଫଳରେ ସେଠାରେ କିଛିମାତ୍ରାରେ କମ୍ ସଂକ୍ରମଣ ଦେଖିବାକୁ ମିଳିଛି ।

Comments (0)
Add Comment