ପଡିଲା ତାଲା, ଘରେ ରହିଲା ଓଡିଶା

ସହର ଶୂନଶାନ, ରାସ୍ତାଘାଟ ଖାଁ ଖାଁ, ସବୁଠି କଟକଣା, ସବୁଠି ତାଲା । ଘରେ ଲୋକେ, ବାହାରେ ପୋଲିସ । ଭୟ ପାଇଁ ଘର ଭିତରେ ମଣିଷ, ବାହାରେ ଭୂତାଣୁ । ଲକଡାଉନ ପାଇଁ ଏବେ ସାରା ରାଜ୍ୟର ଚିତ୍ର ଏମିତି । ୧୪ ଦିନିଆ ତାଲାବନ୍ଦ ପାଇଁ ଘରେ ରହିଛି ଓଡିଶା । ଆଉ ଆଜି ଠାରୁ ଲାଗୁହୋଇଛି ଲକଡାଉନ । ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହେବାରୁ ଓଡିଶାରେ ଲକଡାଉନ ଲଗାଇଛନ୍ତି ରାଜ୍ୟ ସରକାର । ଆଜିଠାରୁ ଆସନ୍ତା ୧୯ ତାରିଖ ସକାଳ ୫ଟା ଯାଏଁ ୧୪ ଦିନିଆ ଲକଡାଉନ ଲାଗୁକରାଯାଇଛି ।

ତେବେ ଏହି ଲକଡାଉନ ସମୟରେ ପୂର୍ବ ପରି ବଳବତ୍ତର ରହିବ ସପ୍ତାହନ୍ତ ସଟଡାଉନ । ଶନିବାର, ରବିବାର ରାଜ୍ୟରେ ସଟଡାଉନ ଲାଗୁ ରହିବ । ଅର୍ଥାତ ଦୁଇଦିନ ସାରା ରାଜ୍ୟ ସଟଡାଉନ । ଲକଡାଉନ ବେଳେ ସୋମବାରରୁ ଶୁକ୍ରବାର ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଜରୁରୀ ସାମଗ୍ରୀ ପାଇଁ ପରିବା ଦୋକାନ, ମାଛ ମାଂସ ଦୋକାନ ଖୋଲା ରହିବ । ଦିନ ୧୨ ପରେ ପୂରା ରାଜ୍ୟ ଘରେ ରହିବ । ବାଇକରେ ନୁହେଁ ପନିପରିବା ପାଇଁ ଲୋକେ ଚାଲିଚାଲି ଯିବେ ।

ସେପଟେ ଟୀକାକରଣ ପାଇଁ କିମ୍ବା କୋଭିଡ ପରୀକ୍ଷା ପାଇଁ ଯାଆସ କରିହେବ । ଲକଡାଉନ ସମୟରେ ବସ ବନ୍ଦ ରହିବ, ମାତ୍ର ପରିବହନ ସେବା ଜାରି ରହିବ । ସାମାଜିକ, ରାଜନୈତିକ, ସାଂସ୍କୃତିକ ମେଳା ଓ ସଭା ଉପରେ ରୋକ ଲଗାଯାଇଛି । ସିନେମା ହଲ, ମଲ, ମାର୍କେଟ କମ୍ପଲେକ୍ସ, ଜିମ, ସୁଇମିଂ ପୁଲ, ପାର୍କ, ବାର, ଅଡିଟୋରିୟମ ଆଦି ବନ୍ଦ ରହିବ । ସେମିତି ଯାତ୍ରା ମଞ୍ଚ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି । ସେଲୁନ, ବିୟୁଟି ପାର୍ଲର ବି ବନ୍ଦ ।

ତେବେ ହସ୍ପିଟା, ମେଡିକାଲ ସେବା, ମେଡିସିନ ଦୋକାନ, ବ୍ୟାଙ୍କ, ଏଟିଏମ, ଖୋଲା ରହିବ । ଜରୁରୀ ସେବାରେ ଥିବା ଲୋକଙ୍କୁ ଲକଡାଉରେ ଅନୁମତି ମିଳିଛି । ପୋଲିସ, ଡାକ୍ତର ସାମ୍ବାଦିକ, ଅଗ୍ନିଶମ ବାହିନୀ ଆଦି ଜରୁରୀ ସେବାକୁ କଟକଣାରୁ ମୁକ୍ତ କରାଯାଇଛି । ତେବେ ଏହି ଲକଡାଉନ ସମୟରେ ଅମାନିଆଙ୍କ ଉପରେ କଡା ନଜର ରଖାଯାଇଛି । କେହି ବି ଯଦି ବାହାନା କରି ବାହାରକୁ ଆସିଲେ ତେବେ ବାଟରେ, ଛକ ଛକରେ ଜଗିଛନ୍ତି ପୋଲିସ । ଲକଡାଉନକୁ ସଫଳ କରିବାକୁ ପୋଲିସ, ପ୍ରଶାସନଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର । ତେବେ କରୋନା ସଂକ୍ରମଣକୁ କମାଇବାକୁ ଆମକୁ ଲକଡାଉନ ନିୟମ ମାନିବାକୁ ପଡିବ । ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ…

Comments (0)
Add Comment