ମହାରାଷ୍ଟ୍ରରେ ଲାଗୁ ହେବ କର୍ଫ୍ୟୁ । ୧୫ ଦିନ ପାଇଁ ପୂରା ରାଜ୍ୟରେ ଲାଗୁ ହେବ ୧୪୪ ଧାରା । ଆଜି ରାତି ୮ଟାରୁ ଆସନ୍ତା ୧୫ ଦିନ ପାଇଁ ଏହି କଟକଣା ଲାଗୁ ହେବ। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି କରୋନାର ‘ବ୍ରେକ୍ ଦ ଚେନ୍’ ଅଭିଯାନ ଆରମ୍ଭ ହେବ ବୋଲି ଉଦ୍ଧବ ଠାକ୍ରେ କହିଛନ୍ତି।
ପୁରା ମହାରାଷ୍ଟ୍ରରେ ଯା’ଆସ ଉପରେ ପ୍ରତିବନ୍ଧକ ଲାଗୁ ହେବ। ବଳ ଜରୁରୀ ପରିସ୍ଥିତିରେ ହିଁ ଲୋକେ ଘରୁ ବାହାରି ପାରିବେ। ଅତ୍ୟାବଶ୍ୟକ ତଥା ଜରୁରୀ ଉଦ୍ଦେଶ୍ୟରେ ହିଁ ଘରୋଇ ଯାନକୁ ଅନୁମତି ମିଳିବ। ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ପାଇଁ ବନ୍ଦ ରହିବ, କିନ୍ତୁ ହୋମ୍ ଡେଲିଭରି ହୋଇପାରିବ।ଇ-କମର୍ସ ସେବା, ପେଟ୍ରୋଲ ପମ୍ପ, ବ୍ୟାଙ୍କ ଓ ପରିବହନ ସେବା ଚାଲୁ ରହିବ। ଏହାସହ ଗଣମାଧ୍ୟମ ପ୍ରତିନିଧିଙ୍କ ଯିବାଆସିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ସକାଳ ୭ଟାରୁ ରାତି ୮ଟା ପର୍ୟ୍ୟନ୍ତ ଅତ୍ୟାବଶ୍ୟକ ସେବା ମିଳିବ। ସପିଂ ସେଣ୍ଟର, ମଲ୍, ଫିଲ୍ମ ସୁଟିଂ, ବେଳାଭୂମି ବନ୍ଦ ରହିବ।
ସେହିପରି ନିର୍ମାଣ କାମ ଜାରି ରହିବ। ମହାରାଷ୍ଟ୍ରର ଶ୍ରମିକମାନେ ଯେପରି ବାହାରକୁ ନଯାଆନ୍ତି ସେଥିପାଇଁ ଶିଳ୍ପ ସଂସ୍ଥାର ମାଲିକମାନେ ଦାୟିତ୍ବ ବହନ କରିବେ। ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ପାଇଁ ଏହା ବ୍ୟତୀତ କିଛି ବାଟ ନଥିଲା ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି। ସେହିପରି ଏହି ୧୫ ଦିନରେ ଯେପରି କୌଣସି ସଙ୍କଟଜନକ ସ୍ଥିତି ନ ଉପୁଜେ ସେଥିପାଇଁ ଆର୍ଥିକ ଅନଗ୍ରସର ଲୋକମାନଙ୍କ ପାଇଁ ସହାୟତା ରାଶି ମଧ୍ୟ ଘୋଷଣା କରାଯାଇଛି।