ସିଲ୍ ହେଉ ଖୋର୍ଦ୍ଧା ସୀମା…

ବଢୁଛି ସଂକ୍ରମଣ, ବେକାବୁ ହେଉଛି କରୋନା । ଦିନକୁ ଦିନ ବିସ୍ଫୋରକ ରୂପା ଧାରଣ କରୁଛି କରୋନାର ୨ୟ ଲହର । ଆଉ ସୁନାମୀ ପରି ମାଡି ମାଡି ଯାଉଛି ମହାମାରୀ । ଯେଉଁଠି ଦେଖିବ ସେଇଠି ଆକ୍ରାନ୍ତ, ଯାହାକୁ ପଚାରିବ ସିଏ ପଜିଟିଭ । ପଶ୍ଚିମବଙ୍ଗରେ ପ୍ରତି ୨ ଜଣରେ ଜଣେ ପଜିଟିଭ ଚିହ୍ନଟ ହେଉଥିବା ବେଳେ ଓଡିଶାରେ ପ୍ରତି ୧୦୦ରେ ୨୦ ଜଣ ସଂକ୍ରମିତ ହେଉଥିବା ପରିସଂଖ୍ୟାନ କହୁଛି । ଧିରେଧିରେ ସ୍ଥିତି ଏମିତି ହେଉଛି ଲାଗୁଛି ଆଗକୁ ଗଳିଗଳିରେ ଥିବେ କରୋନା ରୋଗୀ, ଘରେ ଘରେ ଥିବେ କରୋନା ଆକ୍ରାନ୍ତ । ଓଡିଶାରେ ଏପ୍ରିଲ ମାସରେ ସଂକ୍ରମଣ ଶୀର୍ଷ ଛୁଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ବଢିବାରେ ଲାଗିଛି । ସବୁଦିନ ଶହ ଶହ ଆକ୍ରାନ୍ତଙ୍କ ସଂଖ୍ୟା ମୁଣ୍ଡବିନ୍ଧାର କାରଣ ସାଜିଛି । ଗତ ୯ ତାରିଖରେ ପଜିଟିଭ ସଂଖ୍ୟା ହଜାରେ ପାର କରିଥିବା ବେଳେ ସେବେଠାରୁ ହଜାର ତଳକୁ ଖସୁନି ପଜିଟିଭିଟି ରେଟ୍ । କେବେ ୨୦୦୦ ପାର କରୁଛି ତ କେବେ ୪ ହଜାର ଆଉ ଆଜି ୮୦୦୦ ଡେଇଁଛି । ୨୭ ତାରିଖରେ ହୋଇଥିବା ପରୀକ୍ଷାରେ ମୋଟ ୮୩୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ସବୁଠାରୁ ଚିନ୍ତା ଜନକ ଦିଗଟି ହେଉଛି ୮୩୮୬ ପଜିଟିଭ ଭିତରୁ ଖୋର୍ଦ୍ଧାରୁ ୧୮୪୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଶ୍ଚିମଓଡିଶାକୁ କରୋନା କବଜା କରିଥିବା ବେଳେ ସୁନ୍ଦରଗଡରେ ବେକାବୁ ସ୍ଥିତି । ସୁନ୍ଦରଗଡରୁ ୯୩୩, ଝାରସୁଗୁଡାରୁ ୪୩୩, ସମ୍ବଲପୁରରୁ ୩୦୭, ବଲାଙ୍ଗୀରରୁ ୩୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଯେତେବେଳେ ପଶ୍ଚିମ ଓଡିଶାର ସ୍ଥିତି ଭୟାବହ ହେଉଛି ଆଉ ତାର ପ୍ରଭାବ ଖୋର୍ଦ୍ଧା ଉପରେ ପଡୁଥିବା ଆଶଙ୍କା କରାଯାଉଛି । ଗୋଟିଏ ଦିନରେ ୧୮୦୦ରୁ ଅଧିକ ଆକ୍ରାନ୍ତ କେବଳ ଖୋର୍ଦ୍ଧାରୁ ବାହାରିବା ପରେ ଏବେ ଖୋର୍ଦ୍ଧାକୁ ନେଇ ଚିନ୍ତା ଆହୁରି ବଢିଯାଇଛି । ତେଣୁ ଜିଲ୍ଲାରେ ସଂକ୍ରମଣ ହାର କମାଇବାକୁ ସୀମା ସିଲ ହେବାର ଆବଶ୍ୟକତା ରହିଛି ।

ପ୍ରଥମ ଲହର ବେଳେ ଗଞ୍ଜାମରେ ସ୍ଥିତି ଅଣାୟତ ହେବା ପରେ ଗଞ୍ଜାମବାସୀଙ୍ରୁ ଭୁବନେଶ୍ୱର ମନା ଥିଲା । କେହି ଖୋର୍ଦ୍ଧାରୁ ଗଞ୍ଜାମ ଯାଆସ କରିପାରିବେନି । ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବାକୁ ଏମିତି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଆଉ ଏବେ ପୁଣି ଥରେ ସେହି ସମୟ ଆସିଲାଣି । ଦିନକୁ ୨୦୦୦ ପାଖାପାଖି ଗୋଟିଏ ଜିଲ୍ଲାରୁ ତିହ୍ନଟ ହେବା ଖାମଖିଆଲିର କଥା ନୁହେଁ । ତେଣୁ ସରକାର ତୁରନ୍ତ ଖୋର୍ଦ୍ଧାକୁ ଲାଗିଥିବା ସବୁ ସୀମା ସିଲ କରନ୍ତୁ । ନହେଲେ ଆଗାମୀ ଦିନରେ ସ୍ଥିତି ଭୟାବହ ହେବ । ଦ୍ୱିତୀୟ ଲହର ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଅନେକ କ୍ଷତି ହେବ । କିଏ କହିପାରେ ମୃତ୍ୟୁ ସଂଖ୍ୟା ବି ବଢିପାରେ । ଅକ୍ସିଜେନର ଅଭାବ ବି ଉପୁଜିପାରେ । ତେଣୁ ବେଳ ହୁଁ ସାବଧାନ ।

ଗଞ୍ଜାମ ହେଉ କି ନୟାଗଡ, କଟକ ହେଉ କି ପୁରୀ । ଖୋର୍ଦ୍ଧା ସୀମାରେ ଏହି ୪ ଜିଲ୍ଲା ଥିବାରୁ ଏ ସମସ୍ତ ସୀମାକୁ ସିଲ କରାଯାଉ । କାରଣ ଏସବୁ ଜିଲ୍ଲାରୁ ଆସୁଥିବା ଲୋକ ବି ସଂକ୍ରାମକ ସାଜିପାରନ୍ତି । କରୋନାର ବାହକ ହୋଇପାରନ୍ତି । ତେଣୁ ମୂଳୁ ମାରିଲେ ଯିବ ସରି । ଗଞ୍ଜାମ- ୨୦୯, ନୟାଗଡ- ୧୨୨, ପୁରୀ- ୨୫୯, କଟକ- ୪୯୬ ପଜିଟିଭ ଆଜି ଚିହ୍ନଟ ହୋଇଛନ୍ତି । ପୂର୍ବଥର ଗଞ୍ଜାମ ପାଇଁ ଖୋର୍ଦ୍ଧା ବାଟ ବନ୍ଦ କରିଥିବା ବେଳେ ଏଥର ପୁରୀ ଓ କଟକ ଚିନ୍ତା ବଢାଇଛନ୍ତି । ତେଣୁ ଗତବର୍ଷ ଭଳି ଏବର୍ଷ ବି ଖୋର୍ଦ୍ଧା ସୀମା ସିଲ କଲେ ସଂକ୍ରମଣକୁ ପ୍ରତିହତ କରାଯାଇ ପାରିବ ବୋଲି ଆଶା କରାଯାଉଛି ।

Comments (0)
Add Comment