ଆଉ ଗୋଟିଏ ସପ୍ତାହ ପରେ ଭାରତରେ ଉପଲବ୍ଧ ହେବ ଋଷ ଟିକା ସ୍ପୁଟନିକ-ଭି । ଭାରତୀୟ ବଜାରରେ ଉପଲବ୍ଧ ହେବା ପୂର୍ବରୁ ଏହାର ମୂଲ୍ୟ ନିର୍ଦ୍ଧାରଣ ହୋଇଛି । ଋଷ ଟିକା ସ୍ପୁଟନିକ-ଭି ଟିକାର ଦର ୯୪୮ ଟଙ୍କା ଧାର୍ୟ୍ୟ କରାଯାଇଛି । ସ୍ପୁଟନିକ-ଭି ଟିକା ଭାରତରେ ଏହି ଦରରେ ଉପଲବ୍ଧ ହେବ । ଏହା ସହ ପ୍ରତି ଡୋଜ୍ ଉପରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ । ଡକ୍ଟର ରେଡ୍ଡି ଲାବରୋଟେରୀ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
କମ୍ପାନୀ କହିଛି ଯେ ଏହି ଟିକା ସେଣ୍ଟ୍ରାଲ୍ ଡ୍ରଗ୍ ଲାବୋରେଟୋରୀ ଅନୁମୋଦନ ପାଇଛି । ଗୋଟିଏ ଡୋଜର ଦାମ ରହିବ ପାଖାପାଖି ହଜାର ଟଙ୍କା । ଅର୍ଥାତ୍ ଋଷିଆରେ ନିର୍ମିତ ଏହି ଟିକା ମୂଲ୍ୟ ରହିଛି ୯୯୫.୪୦ ଟଙ୍କା । ଋଷିଆରୁ ଏହି ଟିକା ଆମଦାନୀ ହୋଇ ଭାରତରେ ମେ ୧ରେ ପହଞ୍ଚିଥିଲା। ଏହାପରେ ମେ ୧୩ରେ ଭାରତର ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରୋଟରୀ ଏହି ଟିକାକୁ ଅନୁମତି ଦେଇଛି। ଏବେ ଏହି ଟିକା ଆମଦାନୀ ହୋଇଛି। ଆଗାମୀ ଦିନରେ ଭାରତରେ ତିଆରି ହେଲେ ଦର କମିବ ବୋଲି ସୂଚନା ରହିଛି।
ବର୍ତ୍ତମାନ ପର୍ୟ୍ୟନ୍ତ ଭାରତୀୟ ନାଗରିକଙ୍କ ପାଇଁ ଆସନ୍ତା ସପ୍ତାହରୁ ତିନୋଟି ବିକଳ୍ପ ଉପଲବ୍ଧ ହେବ। ଏହି ବିକଳ୍ପଗୁଡ଼ିକରେ ଋଷର ସ୍ପୁଟନିକ-ଭି, ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେଙ୍କା ଟିକା- କୋଭିସିଲ୍ଡ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭାକ୍ସିନ୍ ଅନ୍ତର୍ଭୁକ୍ତ । ଦେଶରେ ସଂକ୍ରମଣ ଉପରମୁହାଁ ଥିବା ବେଳେ ଏବେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି ।