କରୋନାର ନୂଆ ଭୁତାଣୁ ଓମିକ୍ରନକୁ ନେଇ ବିଶ୍ୱବାସୀଙ୍କ ଚିନ୍ତା ବଢିଥିବା ବେଳେ ଭାରତ ଛୁଇଁଛି ଓମିକ୍ରନ ଭୂତାଣୁ । ଭାରତକୁ ମିଶାଇ ବର୍ତ୍ତମାନ ପର୍ୟ୍ୟନ୍ତ ବିଶ୍ୱର ୨୯ ଟି ଦେଶରେ କାୟା ମେଲାଇସାରିଛି ଓମିକ୍ରନ ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦିନ କୋଭିଡ-୧୯ ସ୍ଥିତିର ସମୀକ୍ଷା କରାଯାଇଛି। ଯେଉଁଥିରେ କର୍ଣ୍ଣାଟକରୁ ‘ଓମିକ୍ରନ୍’ ଭାରିଆଣ୍ଟରେ ସଂକ୍ରମିତ ଦୁଇଟି ମାମଲା ଚିହ୍ନଟ ହୋଇଛି।
ଏହି ଦୁଇ ସଂକ୍ରମିତ ବ୍ୟକ୍ତି ହେଉଛନ୍ତି ୬୬ ବର୍ଷ ଏବଂ ୪୬ ବର୍ଷ ବୟସ୍କ ପୁରୁଷ । ଏହି ମାମଲା ପରେ ସରକାର କଣ୍ଟ୍ରାକ୍ଟ ଟ୍ରେସିଂକୁ ଜୋରଦାର୍ କରିଥିବା ବେଳେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ସରକାର ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୯ଟି ଦେଶରେ ଓମିକ୍ରନ୍ ଭାରିଆଣ୍ଟର ୩୭୩ ଟି ମାମଲା ଚିହ୍ନଟ ହୋଇଛି।
ସେହିପରି ଆସନ୍ତା ୧୫ ତାରିଖରୁ ଚାଲିବାକୁ ଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ବିମାନବନ୍ଦର ଗୁଡିକରେ କୋଭିଡ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର । ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଘରୋଇ ବିମାନ ଯାତ୍ରୀଙ୍କ ପାଇଁ ମଧ୍ୟ ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି ।