ରାଜ୍ୟରେ ଜାରି ହେବ କି ନାଇଟ କର୍ଫ୍ୟୁ?

ଠିକ ବର୍ଷକ ପରେ ଦେଖାଦେବନି ତ ସମାନ ସ୍ଥିତି? ଲୋକଙ୍କ ମନରୁ ଏଯାଏ ବି ଯାଇନି କରୋନା ଭୟ । ଦେଶରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ରାଜ୍ୟରେ ନିୟନ୍ତ୍ରଣରେ ଥିବା ସଂକ୍ରମଣ ଏବେ ଧିରେ ଧିରେ ବଢିବାରେ ଲାଗିଛି । ଗତକାଲି ଶତକ ପାର କରିଥିବା ବେଳେ ଆଜି ରାଜ୍ୟରେ ୨୪ ଘଂଟାରେ ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି । ଆଗକୁ ସଂକ୍ରମଣ ବଢୁଥିବାରୁ ରାଜ୍ୟରେ ଚେକିଂ କଡାକଡି ହେବ ବୋଲି କହିଛନ୍ତି ଉନ୍ନୟନ୍ନ କମିସନର ।

ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୭୧୯ରେ ପହଞ୍ଚିଛି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ସେପଟେ କରୋନା ପ୍ରବଣ ରାଜ୍ୟରୁ ଫେରନ୍ତାଙ୍କ ଉପରେ ନଜର ରହିଛି । ବିମାନବନ୍ଦରରେ ଯାତ୍ରୀଙ୍କ ବିଧିବଦ୍ଧ ଭାବେ ସ୍କ୍ରିନିଂ ଚାଲିଛି । ବାହାର ଫେରନ୍ତାଙ୍କ ଉପରେ ନଜର ରଖିବାକୁ ସରପଞ୍ଚଙ୍କୁ କୁହାଯାଇଛି ବୋଲି କହିଛନ୍ତି ଉନ୍ନୟନ୍ନ କମିସନର । ଆଗକୁ ଜୋରଦାର ଚେକିଂ ଓ ଚଢାଉ ଚାଲିବ । ହୋଲି ଓ ଦୋଳ ପାଇଁ କଟକଣା ଜାରି ହୋଇଛି । ଚଢାଉ ପାଇଁ ଜିଲ୍ଲା ପ୍ରଶାସନ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରାଗଲାଣି । କିନ୍ତୁ ଏବେ ଯାଏଁ ଓଡିଶାରେ ନାଇଟ୍ କର୍ଫ୍ୟୁର କୌଣସି ନିଷ୍ପତ୍ତି ହୋଇନି ।

Comments (0)
Add Comment