ବାଉଁଶ ବ୍ୟାରିକେଡ ପାଇଁ ଖର୍ଚ୍ଚ ୨୧ ଲକ୍ଷରୁ ଅଧିକ ଟଙ୍କା…ମହାମାରୀର କଣ୍ଟେନମେଣ୍ଟ ଜୋନକୁ ନେଇ ମନ୍ତ୍ରୀଙ୍କ ଉତ୍ତର


ଓଡ଼ିଆରେ ଏକ ଲୋକକଥା ରହିଛି, କାହାର ପୁଷମାସ ତ ପୁଣି କାହାର ସର୍ବନାଶ । ଅଥାର୍ତ ଯେତେବେଳେ କୌଣସି ପ୍ରାକୃତିକ ଦୁର୍ବିପାକ ପଡେ ସେତେବେଳେ କିଛି ଲୋକଙ୍କର ସର୍ବସ୍ୱ ଚାଲି ଯାଇଥାଏ ତ ପୁଣି କିଛି ଲୋକଙ୍କର ରାତାରାତି ଭାଗ୍ୟ ବଦଳି ଯାଇଥାଏ । ଖାସକରି କିଛି ସରକାରୀ ବାବୁଙ୍କର । ଯେଉଁମାନେ ବିପତ୍ତିକୁ ସବୁବେଳେ ସୁଯୋଗ ବୋଲି ଧରି ଆସିଥାନ୍ତି । ଆଉ ଠିକ୍ ସେହିଭଳି ଅଭିଯୋଗ କରୋନା ମହାମାରୀ ସମୟରେ ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁଠି ଖଣ୍ଡେ ବାଉଁଶର ଦାମ ଲକ୍ଷାଧିକ ଟଙ୍କା ଦର୍ଶଯାଇ ସରକାରଙ୍କ ଅର୍ଥକୁ ଆତ୍ମସାତ କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ଆସିଥିଲା । ଆଉ ଆଜି ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।
ବିଧାୟକ ଭବାନୀ ଚରଣ ଭୋଇଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଯାହା କହିଛନ୍ତି ତାହା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିବ । କ୍ୱାରେଣ୍ଟିନ ସେଣ୍ଟରର ମରାମତି, ରଙ୍ଗଦେବା ଓ ଉନ୍ନତିକରଣ ପାଇଁ କିଭଳି କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ ହୋଇଛି ତାହା ଏବେ ସାମ୍ନାକୁ ଆସିଛି । ମହାମାରୀ ସମୟରେ ରାଜ୍ୟରୁ ଆସୁଥିବା ହଜାର ହଜାର ଶ୍ରମିକଙ୍କ ପାଇଁ ବିଭିନ୍ନ ଜିଲ୍ଲାରେ କ୍ୱାରେଣ୍ଟିନ ସେଣ୍ଟର ଖୋଲାଯାଇଥିଲା । ଯେଉଁଠି ପ୍ରବାସୀଙ୍କର ରହିବାର ବ୍ୟବସ୍ଥା କରାଯାଇଥିଲା । ସେହିଭଳି ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ପରେ କିଛି ଅଞ୍ଚଳକୁ ବାଉଁଶ ଘେରାଇ କଣ୍ଟେନମେଣ୍ଟ ଜୋନ ଘୋଷଣା କରୁଥିଲା ପ୍ରଶାସନ । ତେବେ ଏହି ବାଉଁଶ ବ୍ୟାରିକେଡ ପାଇଁ ଯେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ତାହା ଆପଣଙ୍କୁ ବି ଚକିତ କରିଦେବ ।
ଗୃହରେ ମନ୍ତ୍ରୀ ରଖିଥିବା ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ପିଡବ୍ଲୁୃ୍ୟଡି ଦ୍ୱାରା ୪୦୬ଟି କଣ୍ଟେନମେଣ୍ଟ ଜୋନ କରାଯାଇଥିଲା । ଯେଉଁଥିରେ ୬୩ ହଜାର ୫୨୬ ଖଣ୍ଟ ବାଉଁଶ ବ୍ୟବହାର କରାଯାଇଥିଲା । ଆଉ ଏଥିପାଇଁ ସମୁଦାୟ ୯୧ ଲକ୍ଷ ୬୯ ହଜାର ଟଙ୍କା ବ୍ୟୟ ଅଟକଳ ରହିଥିଲା । ଆଉ ଏଥିରୁ ଏବେ ଯାଏଁ ୨୧ ଲକ୍ଷ ୯୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ୟବହାର ହୋଇଥିବା ବାଉଁଶ ଗୁଡିକ ମଧ୍ୟରୁ ଅଧିକାଂଶ ଭଡା ସୂତ୍ରରେ ଆସିଥିଲା । ଅଥାର୍ତ ଅଧାରୁ ଅଧିକ ବାଉଁଶ କିଣାଯାଇନଥିଲା ।
ସେହିଭଳି ପିଡବ୍ଲ୍ୟୁଡି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜଗୁଡିକରେ ୬୦ଟି କ୍ୱାରେଣ୍ଟିନ କେନ୍ଦ୍ର କରାଯାଇଥିଲା । ଆଉ ଏହି ୬୦ଟି କ୍ୱାରେଣ୍ଟିନ ସେଣ୍ଟରରେ ରଙ୍ଗ ଦେବା, ମରାମତି କରିବା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇଥିଲା ୧୩ କୋଟି ୪୪ ଲକ୍ଷ ୬୧ ହଜାର ଟଙ୍କା । ସରକାର କା ମାଲ ଦରିଆ ମୈ ଡାଲ ନ୍ୟାୟରେ ମହାମାରୀ ସମୟରେ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଇଛି । ଆଉ ଏଥିମଧ୍ୟରୁ ଅଧିକାଂଶ ଟଙ୍କା ଆତ୍ମସାତ କରାଯାଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି ।

Comments (0)
Add Comment