କରୋନା ସଂକ୍ରମଣ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଆଇସିୟୁ ବେଡ ସହିତ ଅକ୍ସିଜେନର ଅଭାବ ଯୋଗୁଁ ଅନେକ ରୋଗୀ ଆଖିବୁଜୁଛନ୍ତି । ଅକ୍ସିଜେନ୍ କୋଟା ବୃଦ୍ଧି ସତ୍ତ୍ୱେ ଅକ୍ସିଜେନ୍ ସଂକଟ ଟଳୁନି । ଏପରି ସମୟରେ ରାଜଧାନୀ ଦିଲ୍ଲୀରୁ ଆସିଛି ଦୁଃଖଦ ଖବର । ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଗତ ୨୪ ଘଂଟା ଭିତରେ ଅକ୍ସିଜେନ ଅଭାବରୁ ୨୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଆହୁରି ୬୦ ଜଣ ରୋଗୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ଅକ୍ସିଜେନ୍ ଅଭାବ ଯୋଗୁଁ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଭେଣ୍ଟିଲେଟର ଓ ବିପାପ ସଠିକ୍ ଭାବେ ଫଳପ୍ରଦ ହେଉନାହିଁ । ଏବେ ହସ୍ପିଟାଲରେ ୬୦ ଜଣ ରୋଗୀଙ୍କୁ ଅକ୍ସିଜେନ୍ ଦିଆଯାଉଛି ।ସରକାରଙ୍କୁ ଗୁହାରୀ ଜଣାଇବା ପରେ ହସ୍ପିଟାଲରେ ସମୟ ପୂର୍ବରୁ ଅକ୍ସିଜେନ ଅଭାବକୁ ପୂରଣ କରି ଦିଆଯାଇଛି । ଫଳରେ ଆସନ୍ନ ବିପଦ ଟଳିଯାଇଛି । ୨ ଘଣ୍ଟା ମଧ୍ୟରେ ଅକ୍ସିଜେନ ଶେଷ ହୋଇଯିବ ବୋଲି ସୂଚନା ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ ।
ସେହିପରି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ଭେଣ୍ଟିଲେଟର ଏବଂ ବାଇ ଲେଭୁଲ୍ ପଜିଟିଭ୍ ଏୟାରୱେ ପ୍ରେସର ଠିକ୍ ଭାବରେ କାମ କରୁନାହିଁ। ଆଇସିୟୁ ଏବଂ ଇଡିରେ ମାନୁଆଲ ଭାବରେ ଭେଣ୍ଟିଲେସନ୍ କରାଯାଉଛି।ସାର୍ ଗଙ୍ଗାରାମ ହସ୍ପିଟାଲ୍’ରେ ୫୦୦ରୁ ଅଧିକ କରୋନାଭାଇରସ୍ଦ୍ୱାରା ଆକ୍ରାନ୍ତ ରୋଗୀ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୫୦ଜଣଙ୍କର ପ୍ରଚୁର ଅକ୍ସଜେନ୍ ଆବଶ୍ୟକ।