ପ୍ରତ୍ୟାହାର ହେଲା ୩ ନୂଆ କୃଷି ଆଇନ

୩ ନୂଆ କୃଷି ଆଇନ ପ୍ରତ୍ୟାହାର । ଗୁରୁ ନାନକ ଜୟନ୍ତୀରେ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସମ୍ୱୋଧନ ବେଳେ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ଆନ୍ଦୋଳନକାରୀ କୃଷକଙ୍କୁ ଘରକୁ ଫେରିଯିବାକୁ ନିବେଦନ କରିଛନ୍ତି ମୋଦି ।
ଳିତ ସଂସଦ ଅଧିବେଶନରେ ଆଇନ ପ୍ରତ୍ୟାହାର ନେଇ ସାମ୍ବିଧାନିକ ପ୍ରକ୍ରିୟା ଶେଷ କରାଯିବ । ମୋଦି କହିଛନ୍ତି, କୃଷିରେ ସୁଧାର ଆଣିବା ପାଇଁ ସରକାର ତିନିଟି ନୂଆ ଆଇନ ଆଣିଥିଲେ । ଏହା ଦ୍ୱାରା କ୍ଷୁଦ୍ର ଚାଷୀଙ୍କୁ ଅଧିକ ଶକ୍ତି ମିଳିଥାନ୍ତା । ଯେତେବେଳେ ନୂଆ ଆଇନ ଆସିଥିଲା ସଂସଦରେ ଚର୍ଚ୍ଚା ହୋଇଥିଲା । ଦେଶର କୃଷକ ଓ କୃଷକ ସଂଗଠନ ଏହାକୁ ସ୍ୱାଗତ କରିଥିଲେ । ହେଲେ ନୂଆ ଆଇନ ନେଇ ଗୋଟିଏ କୃଷକ ଗୋଷ୍ଠୀ ବିରୋଧ କରୁଥିଲେ । ପ୍ରଧାନମନ୍ତ୍ରୀ କହିଲେ, ସତ୍ୟ ଓ ଅନାବିଳ ହୃଦୟରେ ମୁଁ ଭାରତବାସୀଙ୍କୁ କ୍ଷମା ମାଗୁଛି କୃଷକମାନଙ୍କୁ ବୁଝାଇବାରେ ଆମେ ଅସମର୍ଥ ହୋଇଛୁ । ତିନି କୃଷି ଆଇନ ଉଚ୍ଛେଦ କରିବା ଲାଗି ମୁଁ ଘୋଷଣା କରୁଛି । ଏ ସଂକ୍ରାନ୍ତ ସମସ୍ତ ଔପଚାରିକତା ଚଳିତ ମାସ ଅଧିବେଶନରେ ଆମେ ଶେଷ କରିବୁ । ମୁଁ ଯାହା କରିଥିଲି, କୃଷକମାନଙ୍କ ପାଇଁ ହିଁ କରିଥିଲି । ଯାହା ମୁଁ କରୁଛି ଦେଶ ପାଇଁ କରୁଛି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ ଟୁଇଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ଦେଶର ଅନ୍ନଦାତା ଆନ୍ଦୋଳନ ମାଧ୍ୟମରେ ଅହଂକାରର ମୁଣ୍ଡ ତଳକୁ ନୁଆଁଇଛନ୍ତି । ଅନ୍ୟାୟ ବିରୋଧରେ ହୋଇଥିବା ଏହି ବିଜୟକୁ ସ୍ୱାଗତ ଜଣାଇଛନ୍ତି ରାହୁଲ । ଜୟ ହିନ୍ଦ୍ ଏବଂ ଜୟ କିସାନ ବୋଲି କହିଛନ୍ତି ରାହୁଲ ।
ଅନ୍ୟପଟେ କୃଷି ଆନ୍ଦୋଳନର ମଙ୍ଗ ଧରିଥିବା ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି, ଆମେ ସଙ୍ଗେ ସଙ୍ଗେ ଆନ୍ଦୋଳନରୁ ହଟିବୁ ନାହିଁ । ସଂସଦରେ ଯେବେ ଏହି କୃଷି ଆଇନକୁ ବିଧିବଦ୍ଧ ଭାବେ ରଦ୍ଦ କରାଯିବ ସେତେବେଳେ ଏହି ଆନ୍ଦୋଳନରୁ ହଟିବୁ । ଏହାଛଡା ସରକାର ଏମଏସପି ସହ ଅନ୍ୟ ପ୍ରସଙ୍ଗରେ ମଧ୍ୟ ଚାଷୀଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ରହିଛି ।

Comments (0)
Add Comment