ଇତିହାସ ରଚିଲେ ୪ ମହିଳା ପାଇଲଟ୍ । ବିଶ୍ବର ଅନ୍ୟତମ ଦୀର୍ଘ ବାୟୁପଥରେ ଉଡାଣ କରି ଏୟାର ଇଣ୍ଡିଆର ସାନ ଫ୍ରାନସିସକୋ-ବାଙ୍ଗାଲୁରୁ ଫ୍ଲାଇଟ ଗତ ରବିବାର ରାତି ସାଢେ ୮ଟାରେ ଅବତରଣ କରିଛି । ୧୬ହଜାର କିଲୋମିଟରର ଦୀର୍ଘତମ ଉଡାଣ ଭରି ବେଙ୍ଗାଲୁରୁର କାମ୍ପାଗୌଡା ବିମାନ ବନ୍ଦରରେ ଅବତରଣ କରିଛନ୍ତି । ଆମେରିକାର ସାନଫ୍ରାନସିସକୋରୁ ଉତ୍ତର ମେରୁ ଉପରେ ବିମାନ ଉଡାଇ ବେଙ୍ଗାଲୁରୁରେ ପହଂଚିଛନ୍ତି । ପୂରା ଉତ୍ତର ମେରୁ ଉପରେ ଉଡ଼ାଣ ଭରିଥିବା ଏହି ବିମାନଟି ୧୦ ଟନ୍ ଇନ୍ଧନ ବଞ୍ଚାଇଛି ବୋଲି କ୍ୟାପ୍ଟେନ୍ ଜୋୟା ଅଗ୍ରୱାଲ୍ କହିଛନ୍ତି।
ଏହି ବିମାନର ଉଡ଼ାଣ କରିଥିଲେ ଏକ ୪ ଜଣିଆ ମହିଳା ପାଇଲଟ୍ ଦଳ ଏବଂ ଏହାର ନେତୃତ୍ବ ନେଇଥିଲେ କ୍ୟାପଟେନ୍ ଜୋୟା ଅଗ୍ରୱାଲ୍ । କ୍ୟାପଟେନ ଜୋୟା ଅଗ୍ରୱାଲଙ୍କ ନେତୃତ୍ୱରେ ଏହି ଦୀର୍ଘତମ ଉଡାଣକୁ ସଫଳତାର ସହ ଶେଷ କରିଛନ୍ତି ଏହି ଟିମ୍ । କେବଳ ଉତର ମେରୁ ଉପରେ ବିମାନ ଉଡାଇ ନାହାନ୍ତି ବରଂ ମହିଳା ପାଇଲଟ ସଫଳତାର ସହ ଦୀର୍ଘତମ ଯାତ୍ରା ଶେଷ କରିପାରିଥିବା କହିଛନ୍ତି କ୍ୟାପଟେନ ଜୋୟା ଅଗ୍ରୱାଲ ।
ବିମାନ ବନ୍ଦରରେ ପହଂଚିବା ପରେ ଏମାନଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଏହି ଦୀର୍ଘତମ ଉଡାଣ ଭରି ଇତିହାସ ରଚିଛନ୍ତି କ୍ୟାପଟେନ ଜୋୟା ଅଗ୍ରୱାଲ, କ୍ୟାପଟେନ ପାପାଗିରି ଥାନମାଇ, କ୍ୟାପଟେନ ଆକାଂକ୍ଷା ସୋନାୱରେ ଓ କ୍ୟାପଟେନ ଶିବାନୀ ମାନହସ । ଏହା ସମସ୍ତଙ୍କ ପାଇଁ ଉତ୍ସାହଜନକ ଅନୁଭୂତି ଥିବା କହିଛନ୍ତି କ୍ୟାପଟେନ ଶିବାନୀ ମାନହସ ।ଏହି ବିମାନରେ ଥିବା ୪ ଜଣ ପାଇଲଟ୍ଙ୍କ ମଧ୍ୟରୁ ଅନ୍ୟତମ ପାଇଲଟ୍ ଶିବାନୀ କହନ୍ତି, ‘‘ଏହା ଏକ ରୋମାଞ୍ଚକର ଅନୁଭୂତି ଥିଲା, କାରଣ ଏପରି ପୂର୍ବରୁ କେବେ ହୋଇ ନ ଥିଲା। ସାନ ଫ୍ରାନସିସକୋରୁ ବାଙ୍ଗାଲୁରୁ ପହଞ୍ଚିବାକୁ ୧୭ ଘଣ୍ଟା ସମୟ ଲାଗିଗଲା।’’