ଯେତେବେଳେ କରୋନାର ଦ୍ୱିତୀୟ ପ୍ରବାହ ତାର କାୟା ମେଲାଉଛି ସେତିକିବେଳେ ରାଜ୍ୟରେ ଦେଖାଦେଇଛି ଟିକାର ଅଭାବ । ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ଟିକାକରଣ ପ୍ରକିୟାକୁ ତ୍ୱରାନିତ କରୁଥିବା ବେଳେ ଟିକା ଅଭାବରୁ ରାଜ୍ୟରେ ୪୦୦ ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି ।
ରାଜ୍ୟରେ ଏବେ ୧୧ଶହ ୩ ଟିକାକରଣ କେନ୍ଦ୍ରରେ ଟିକାଦାନ ହେଉଥିବା ବେଳେ ୪୦୦ ଟିକାକରଣ କେନ୍ଦ୍ରରେ ତାଲା ପଡିଗଲାଣି । ଟିକାର ଅଭାବ ପାଇଁ ଏହି ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି । ଆଗାମୀ ୨ ଦିନ ଭିତରେ ଯଦି କୋଭିସିଲ୍ଡ ଟିକା ନଆସେ ତାହେଲେ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
୧୫ ଲକ୍ଷ କୋଭିସିଲଡ଼ ଟିକା ରାଜ୍ୟକୁ ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ୧ ଲକ୍ଷ ୮୫ ହଜାର ଟିକା କୋଲଡ଼ ଚେନ ପଏଣ୍ଟରେ ରହିଛି । ତେବେ ପର୍ଯ୍ୟାପ୍ତ ପରିମାଣର ଟିକା ଦେବା ପାଇଁ କେନ୍ଦ୍ର ନିକଟରେ ଦାବି କରାଯାଇଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ରାଜ୍ୟରେ ଯେତିକି କୋଭିସିଲ୍ଡ ଟିକା ଅଛି, ଆଉ ୨ରୁ ୩ ଦିନ ଯିବ । ଅଧିକ ଟିକା ଯୋଗାଇବାକୁ କେନ୍ଦ୍ର ନିକଟରେ ଦାବି କରାଯାଇଛି ।