ଆଶା ଦେଖାଇଲେ ଆଶାଦିଦି

ଭଦ୍ରକ: ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଥିଲେ ଅସମ୍ଭବକୁ ବି ସମ୍ଭବ କରିହେବ । କଠିନ ପରିଶ୍ରମ ଓ ଏକାଗ୍ରତା ବଳରେ ସବୁକିଛି ସମ୍ଭବ ହୋଇପାରିବ । ଯାହାକୁ ପ୍ରମାଣିତ କରିଛନ୍ତି ଭଦ୍ରକ ଜିଲ୍ଲା କଣ୍ଟି ଗାଁର ୫୭ବର୍ଷର ସ୍ବର୍ଣ୍ଣଲତା ପତି । ପାଠ ପଢ଼ିବାର କୌଣସି ବୟସ ନଥାଏ । ବୟସର ଅପରାହ୍ନରେ ମଧ୍ୟ ନିଜର ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ । ୫୭ ବର୍ଷ ବୟସରେ ବି ମାଟ୍ରିକ ପାସ କରିଛନ୍ତି ଆଶା ଦିଦି ସ୍ୱର୍ଣ୍ଣଲତା ପତି ।

ପାଠପ୍ରତି ପ୍ରବଳ ଇଚ୍ଚାଶକ୍ତି ଯୋଗୁଁ ଶିକ୍ଷା କ୍ଷେତ୍ରରେ ମନୋନିବେଶ କରି ମାଟ୍ରିକ ପରୀକ୍ଷାରେ କୃତକାର୍ୟ୍ୟ ହୋଇଛନ୍ତି ଆଶା ଦିିଦି ସ୍ୱର୍ଣ୍ଣଲତା । ଇଚ୍ଚା ଥିଲେ ଲକ୍ଷ୍ୟ ଆଗରେ ବୟସ ବି ହାର ମାନିଯାଏ ବୋଲି ସମାଜକୁ ବାର୍ତା ଦେଇଛନ୍ତି ସ୍ୱର୍ଣ୍ଣଲତା । ସ୍ୱର୍ଣ୍ଣଲତା ପତି ଦୀର୍ଘବର୍ଷ ହେବ ପିଲା ଛୁଆଙ୍କୁ ନେଇ ସଂସାର ଚଳାଉଛନ୍ତି । ବିବାହର ଅଳ୍ପ କିଛି ବର୍ଷ ପରେ ସ୍ୱମୀ ତାଙ୍କ ଠାରୁ ଅଲଗା ହୋଇଯାଇଥିବା ବେଳେ ସ୍ୱର୍ଣ୍ଣଲତା ଭାଗ୍ୟକୁ ଆଦରି ପିଲାଛୁଆଙ୍କୁ ଧରି ଚଳି ଆସୁଛନ୍ତି । ଏହାରି ଭିତରେ ସେ ଆଶା ଦିଦି ଭାବେ ନିଯୁକ୍ତ ହୋଇ ଅଞ୍ଚଳର ଅନେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି । ତେବେ ସରକାରଙ୍କ ପରିବର୍ତ୍ତିତ ନିୟମ ଅନୁସାରେ ମାଟ୍ରିକ ପାସ କଲେ ତାଙ୍କୁ ଚାକିରୀ କାଳର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଥିଲା । ତେଣୁ ଅଧିକ ସରକାରୀ ସୁବିଧା ପାଇବା ପାଇଁ ସେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଆଉ ଏଥିରେ କୃତକାର୍ୟ୍ୟ ମଧ୍ୟ ହୋଇଛନ୍ତି ।

ମାଟ୍ରିକ ପରୀକ୍ଷା ପାଇଁ ପଢାପଢି କରିବା ସହ ସେ ଆଶା ଦିଦି ଭାବେ କୋଭିଡ ସଚେତନତା ଠାରୁ ଆରମ୍ଭ କରି ଗ୍ରାମରେ ଗର୍ଭବତୀଙ୍କ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେଉଥିଲେ । ପ୍ରଥମେ ପରୀକ୍ଷା ଦେବାକୁ ସଙ୍କୋଚ ଲାଗୁଥିଲେ ମଧ୍ୟ ପୁଅ, ବୋହୁଙ୍କ ପ୍ରେରଣାରେ ପାଠ ପଢ଼ି ପରୀକ୍ଷା ଦେଇଥିଲେ ସ୍ଵର୍ଣଲତା । ସ୍ୱର୍ଣ୍ଣଲତା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥିବା ବେଳେ ନିଜେ ସାବଲମ୍ବୀ ହେବା ସହିତ ନିଜ ଛୁଆମାନଙ୍କୁ ମଧ୍ୟ ଉଚ୍ଚଶିକ୍ଷିତ କରାଇଛନ୍ତି ।

Comments (0)
Add Comment