ଆମେରିକାର ଫ୍ଲୋରିଡା ଠାରେ ପୁଣି ଥରେ ବର୍ଣ୍ଣବୈଷମ୍ୟ ଯୋଗୁଁ ଘୃଣାର କରୁଣ ପରିଣତି ଦେଖିବାକୁ ମିଳିଛି । ଫ୍ଲୋରିଡା ପ୍ରଦେଶର ଜ୍ୟାକସନଭିଲେରେ ଶନିବାର ସନ୍ଧ୍ୟାରେ ଜଣେ ଦୁର୍ବୃତ୍ତ ୩ ଜଣ କୃଷ୍ଣକାୟ ଲୋକଙ୍କୁ ଗୁଳି କରି ହତ୍ୟା କରିଛି । ଫ୍ଲୋରିଡା ପ୍ରଦେଶରେ ଜାଣିଶୁଣି କୃଷ୍ଣକାୟ ଲୋକଙ୍କୁ ଟାର୍ଗେଟ କରି ହତ୍ୟା କରିବା ମାମଲା ସାମ୍ନାକୁ ଆସିଛି । ଫ୍ଲୋରିଡା ଏକ ଦୋକାନ ବାହାରେ ଗୁଳି ବିନିମୟ ହୋଇଥିବା ବେଳେ ତିନି ଜଣଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛି ବୋଲି ସ୍ଥାନୀୟ ପୋଲିସ୍ ସୂତ୍ରରୁ ପ୍ରକାଶ । ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ କୁହାଯାଇଛି, ହତ୍ୟାକାରୀ କୃଷ୍ଣକାୟ ଲୋକଙ୍କୁ ଘୃଣା କରୁଥିଲା । ତେବେ ଗୁଳି ଚଳାଇଥିବା ବ୍ୟକ୍ତି ଜଣକ କୌଣସି ବଡ ଗୋଷ୍ଠୀର ଅଂଶ ଥିଲା ବୋଲି କୌଣସି ପ୍ରମାଣ ମିଳି ନାହିଁ । ହତ୍ୟାକାରୀର ବୟସ ମାତ୍ର ୨୦ ବର୍ଷ । ସେ ଏକ ଗ୍ଲୋକ୍ ହ୍ୟାଣ୍ଡଗନ୍ ଏବଂ ଏକ ଆର୍ -୧୫ ସେମି ଅଟୋମେଟିକ ରାଇଫଲରେ ଗୁଳି ଚଳାଇଥିଲା । ତେବେ ଏହି ହତ୍ୟାକାଣ୍ଡ ପର ଠାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।