ରାଜ୍ୟରେ ବହୁଚର୍ଚ୍ଚିତ ଏକ ଗଣବଳାକ୍ରାର ମାମଲାରେ ଶେଷରେ ଧରାପଡିଲା ଅପରାଧୀ । ୧୯୯୯ରେ ରାଜ୍ୟରେ ହୋଇଥିବା ଏହି ମାମଲା ରାଜନୈତିକ ଦିଶା ବଦଳାଇ ଦେଇଥିଲା । ଦୀର୍ଘ ୨୨ ବର୍ଷ ପରେ ଅପରାଧୀ ଧରାପଡିବା ପରେ ପୁଣି ଥରେ ମାମଲାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ମାମଲାରେ ମୋଟ ୩ ଜଣ ଅପରାଧୀ ସାମିଲ ଥିବା କୁହାଯାଇଥିଲା । ପରବର୍ତ୍ତୀ ସମୟରେ ଦୁଇ ଜଣ ଅପରାଧୀଙ୍କୁ ଧରିବାରେ ପୁଲିସ ସଫଳ ହୋଇଥିଲେ ମଧ୍ୟ ଆଉ ଜଣେ ଅପରାଧୀ ଦୀର୍ଘ ଦୁଇ ଦଶନ୍ଧି ଧରି ଫେରାର ଥିଲା । ଶେଷରେ ଏହି ମାମଲାରେ ଆଉ ଜଣେ ଅପରାଧୀ ଧରାପଡିଛି । ଏହି ଚାଂଚଲ୍ୟକର ଘଟଣାରେ ପ୍ରଥମେ ରାଜ୍ୟ ପୁଲିସ ତଦନ୍ତ ଆରମ୍ଭ କରିଥିଲା, ପରେ ମାମଲା କ୍ରାଇମବ୍ରାଂଚ ଦ୍ୱାର ଦେଇ ସିବିଆଇ ନିକଟରେ ପହଁଚିଥିଲା । ୨୦୦୨ରେ ଏହି ମାମଲାରେ ଗିରଫ ହୋଇଥିବା ପଦିଆ ସାହୁ ଏବଂ ଧୀରେନ୍ଦ୍ର ମହାନ୍ତିଙ୍କୁ ଖୋର୍ଦ୍ଧା ଜିଲ୍ଲା ଓ ଦୈାରାଜଜ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ଜେଲରେ ଦଣ୍ଡ ଭୋଗୁଥିବା ପଦିଆ ସାହୁ ଅସୁସ୍ଥ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ମୃତ୍ୟୁବରଣ କରିଥିଲେ ।
ରାଜ୍ୟ ରାଜନୀତିର ଦିଶା ବଦଳାଇଥିବା ଏହି ମାମଲା ଦୀର୍ଘ ୨୨ ବର୍ଷ ପରେ ପୁଣି ଲୋକଲୋଚନକୁ ଆସିଛି । ପୁଲିସ ପଂଝାରୁ ବିବନ ବିଶ୍ୱାଳ ଦୀର୍ଘ ଦିନ ଧରି ବାହାରେ ରହିବା ପରେ ଶେଷରେ ଧରାପଡିଛି । ସୁଚନା ଅନୁସାରେ ବିବନ୍ ନିଜ ନାଁକୁ ବଦଳାଇ ଜଳନ୍ଧର ସ୍ୱାଇଁ ନାଁରେ ପାଇପ ମିସ୍ତ୍ରୀ କାମ କରି ଅସୁଥିଲା । ଜାଲ୍ ଆଧାର କାର୍ଡ ଏବଂ ଭୋଟର ପରିଚୟ ସୃଷ୍ଟି କରି ଛଦ୍ମବେଶରେ ରହି ଆସୁଥିଲା । ଶେଷରେ ପୁଲିସ ବିବନକୁ ଗିରଫ କରିବାରେ ସକ୍ଷମ ହୋଇଛି । ଏହି ମାମଲାରେ ସେତେବେଳର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ବିବାଦ ଘେରକୁ ଆସିଥିଲେ । ଜାନୁଆରୀ ୧୦, ୧୯୯୯ରେ କଟକରୁ ଭୁବନେଶ୍ୱର ଫେରୁଥିବା ବେଳେ ବାରଙ୍ଗ ନିକଟରେ ଏହି ଅଘଟଣ ଘଟିଥିଲା । ଜଣେ ସାମ୍ବାଦିକ ସାଙ୍ଗ ସହ ଫେରୁଥିବା ବେଳେ ଗଣଧର୍ଷଣର ଶୀକାର ହୋଇଥିଲେ । ଏହି ମାମଲା ଜାନକୀ ପଟ୍ଟନାୟକଙ୍କ ସରକାରର ପତନର ଏକ ପ୍ରମୁଖ କାରଣ ପାଲଟିଥିଲା ।