ବ୍ରିଗେଡ଼ ଗ୍ରାଉଣ୍ଡର ‘ଚକ୍ରବର୍ତ୍ତୀ’

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବହୁ ଦିନ ଧରି ହେଉଥିବା ଚର୍ଚ୍ଚା ଉପରୁ ପରଦା ଉଠିଛି । ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ବିଜେପିର ବଙ୍ଗ ମିଶନର ସାରଥୀ ସାଜିବେ ମିଥୁନ ଦା’ । ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ରାଜନୀତି ଉଠୁଥିବା ପଡୁଥିବା ବେଳେ ମିଥୁନ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ତାହା ସତ ପ୍ରମାଣିତ ହୋଇଛି ।

ପଶ୍ଚିମବଙ୍ଗ ନିର୍ବାଚନରେ ଦିଦିଙ୍କୁ ମାତ ଦେବାକୁ ରାଜ୍ୟର ବରିଷ୍ଠ ନେତା ତଥା ଅଭିନେତାମାନଙ୍କୁ ନିଜ ପକ୍ଷକୁ ଆଣି ଗେରୁଆ ଦଳ ନିଜର ଶକ୍ତି ବୃଦ୍ଧି କରୁଛି। ପଶ୍ଚିମବଙ୍ଗର ବହୁ ଅଭିନେତା ଅଭିନେତ୍ରୀ ବିଜେପି ଓ ଟିଏମସିରେ ଯୋଗ ଦେଉଛନ୍ତି । ମିଥୁନଙ୍କୁ ସାମିଲ କରିବାକୁ ବିଜେପି ବହୁ ଚେଷ୍ଟା କରିଥିଲା, ସେଥିରେ ଦଳ ସଫଳ ହୋଇଛି । ବର୍ଷିୟାନ୍‌ ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରବିବାର ଦିନ କୋଲ୍‌କାତାସ୍ଥିତ ‘ବ୍ରିଗେଡ୍‌ ଗ୍ରାଉଣ୍ଡ୍‌’ରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେଇ ‘ବିଜେପି’ରେ ସାମିଲ ହୋଇଛନ୍ତି।

ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡ ପଡିଆରେ ପ୍ରଥମ ରାଲିକୁ ସମ୍ବୋଧନ କରିଛନ୍ତି । ବ୍ରିଗେଡ୍‌ ଗ୍ରାଉଣ୍ଡ୍ ରାଲିରେ ମୋଦି ପହଞ୍ଚିବା ପୂର୍ବରୁ ପଦ୍ମ ଧରିଛନ୍ତି ଅଭିନେତା ତଥା ଟିଏମ୍‌ସିର ପୂର୍ବତନ ରାଜ୍ୟସଭା ସାଂସଦ । ତେବେ ପଦ୍ମ ପୋଖରୀକୁ ଲମ୍ପ ପ୍ରଦାନ କରିବା ପରେ ଦାଦା ଦଳୀୟ ପତାକା ଧରିଥିବା ଦେଖିବାକୁ ମିଳିଛି। ସେପଟେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି।

ମିଥୁନ ଚକ୍ରବର୍ତ୍ତୀ ପଶ୍ଚିମ ବଙ୍ଗରେ ଶାସକ ମମତା ବାନାର୍ଜୀଙ୍କ ପାର୍ଟିରୁ ରାଜ୍ୟସଭା ସଦସ୍ୟ ଥିଲେ। ମିଥୁନ ଚକ୍ରବର୍ତ୍ତୀ ୨ ବର୍ଷ ପାଇଁ ରାଜ୍ୟସଭା ସାଂସଦ ରହିବା ପରେ ପଦ ଛାଡ଼ି ଦେଇଥିଲେ। ଶାରଦା ଚିଟ୍‌ ଫଣ୍ଡ ମାମଲାରେ ଇଡ଼ି ତାଙ୍କୁ ପଚରାଉଚରା କରିଥିଲା। ଏକ ଟିଭି ନ୍ୟୁଜ ଚାନେଲର ବ୍ରାଣ୍ଡ ଆମ୍ବାସଡର ହୋଇଥିବାରୁ ସେ ୧.୨ କୋଟି ଟଙ୍କା ନେଇଥିଲେ। ପଚରାଉଚରା ପରେ ମିଥୁନ ଏହି ଟଙ୍କା ଫେରାଇ ଦେଇଥିଲେ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ।

Comments (0)
Add Comment