ଆଜି ପବିତ୍ର ଅକ୍ଷୟ ତୃତୀୟା ।ଏହି ଦିନ ଚାଷୀ ଅଖିମୁଠି ଅନୁକୂଳ କରିଥାନ୍ତି । ତେଣୁ ଏହାକୁ କୃଷିଭିତ୍ତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ । ଚାଷୀ ଆଜି ନିଜ ବିଲରେ ଅଖିମୁଠି ବିହନ ବୁଣି ମାଲକ୍ଷ୍ମୀ ପୂଜାର୍ଚନା ସହ ପ୍ରାର୍ଥନା କରନ୍ତି । ଏହାବ୍ୟତୀତ ମହାପ୍ରଭୁଙ୍କ ଚନ୍ଦନ ଓ ଚାପ ଯାତ୍ରା ଏହି ଦିନରୁ ଆରମ୍ଭ ହୁଏ ।
ସେପଟେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାର୍ୟ୍ୟର ଆଜି ଅନୁକୂଳ ହେବ । ଶ୍ରୀମନ୍ଦିର କାର୍ୟ୍ୟାଳୟ ସମ୍ମୁଖରେ ପାରମ୍ପରିକ ରୀତିନୀତିରେ ଯଜ୍ଞ ଓ ପୂଜାର୍ଚ୍ଚନା କରାଯିବ । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ବିଶ୍ୱକର୍ମାମାନେ ୩ଟି ଧଉରା କାଠରେ ରଥ ନିର୍ମାଣର ଶୁଭାରମ୍ଭ କରିବେ । ଏପଟେ ରଥ ନିର୍ମାଣ କାର୍ୟ୍ୟକୁ ଆଗେଇ ନେବାକୁ ଶ୍ରୀନହର ସମ୍ମୁଖରେ ଚାଳି ତିଆରି ଶେଷ ହୋଇଛି । ମଙ୍ଗଳବାର ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ମଧ୍ୟ ଚାଲିବ ।
ରଥ ନିର୍ମାଣ ଅନୁକୂଳ ପାଇଁ ୩ଟି ୧୨ଫୁଟିଆ ଧଉରା କାଠ ମହା ରଥଖଳାରେ ରଖା ସରିଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବ ଅପରାହ୍ନ ୪ଟାରେ । ଏହାପରେ ଯଥାବିଧି ପୂଜାର୍ଚ୍ଚନା ସରି ବିଶ୍ୱକର୍ମାମାନେ ଶାଢ଼ି ବନ୍ଧାଇ ସ୍ୱତନ୍ତ୍ର କୁରାଢିରେ ରଥ ନିର୍ମାଣ ଅନୁକୂଳ କରିବେ । ପରଦିନ ଠାରୁ ଶ୍ରୀନହର ସମ୍ମୁଖରେ ତିନି ରଥ ତିଆରିର ଶୁଭାରମ୍ଭ ହେବ । ପ୍ରଥମେ ଚକ ନିର୍ମାଣ କରାଯିବ ।ଆଜି ଅପରାହ୍ନ ୪ଟାରେ ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥ ନିର୍ମାଣ କାମ ଅନୁକୂଳ ହେବ ।
୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ। ଚନ୍ଦନଯାତ୍ରା ଉପଲକ୍ଷେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ-କୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବର ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିବେ । ଚନ୍ଦନ ଚକଡ଼ାରେ ଚନ୍ଦନ ନୀତିକାନ୍ତି ପରେ ନନ୍ଦା-ଭଦ୍ରାରେ ବସି ଚାପ ଖେଳିବେ। ।