ବିଜେଡିର ସାଂସଦ ଓ ବିଧାୟକଙ୍କ ଭିତରେ ସବୁକିଛି ଠିକ୍ ନାହିଁ । ଉପରକୁ ସବୁ କିଛି ଠିକଠାକ ଦେଖାଯାଉଥିଲେ ମଧ୍ୟ ସଙ୍ଗଠନ ଭିତରେ ଦେଖାଦେଲାଣି ସାଂଘାତିକ ସ୍ଥିତି । ଦଳର ସାଂସଦ ଓ ବିଧାୟକ କେହି କାହା କଥା ଶୁଣିବା ମୁଡରେ ନାହାନ୍ତି । ଅବଶ୍ୟ ସବୁ ସାଂସଦ କିମ୍ବା ସବୁ ବିଧାୟକଙ୍କ ମଧ୍ୟରେ ଏଭଳି ମନାନ୍ତର ନାହିଁ ବରଂ କିଛି ନିର୍ବାଚନମଣ୍ଡଳୀରେ ଏଭଳି ଚିତ୍ର ସାମ୍ନାକୁ ଆସୁଛି । ଯାହା ଦଳ ଭିତରେ ଥିବା ଅନ୍ତଃକନ୍ଦଳକୁ ପଦାରେ ପକାଉଛି । ଗତ କିଛି ମାସ ମଧ୍ୟରେ ଏଭଳି ଅନେକ ଘଟଣା ଘଟିଛି ଯାହା ବିଜେଡି ସୁପ୍ରିମୋଙ୍କ ଚିନ୍ତା ବଢାଇବ ନିଶ୍ଚୟ । ଖାସକରି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଏହି ଟ୍ରେଣ୍ଡ ଏବେ ଆରମ୍ଭ ହୋଇଛି । ଆଉ ସବୁଠୁ ଅଧିକ ଜଟିଳ ସ୍ଥିତି ସୃଷ୍ଟି ହୋଇଛି ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀରେ । ଯେଉଁଠି ସାଂସଦ ଓ ବିଧାୟକଙ୍କ ଭିତରେ ଲାଗି ରହିଥିବା ଶୀତଳ ଯୁଦ୍ଧ ସାଂଘାତିକ ରୂପ ନେଇଛି ।
ଗତ ଏପ୍ରିଲ ମାସରେ ତାଳଚେର ଥର୍ମାଲ ପାୱାର ଷ୍ଟେସନ ବା ଟିଟିପିଏସ ପୁଣି ଚାଲୁ କରିବା ଦାବିରେ ହୋଇଥିବା ଆନ୍ଦୋଳନରେ ବିଜେଡି ସଙ୍ଗଠନ କିଭଳି ଦୁଇ ଭାଗରେ ବାଣ୍ଟି ହୋଇ ଯାଇଥିଲା ତାହା ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ସାଂସଦ ମହେଶ ସାହୁ ଓ ଅନ୍ୟପଟେ ବିଜେଡି ବିଧାୟକ । ଉଭୟ ଗୋଷ୍ଠୀଙ୍କର ଦାବି ଥିଲା ଟିଟିପିଏସ ଚାଲୁ ହେଉ । ଟିଟିପିଏସ ଆନ୍ଦୋଳନରେ ପ୍ରଥମରୁ ଜଡିତ ଥିବା ସାଂସଦ ମହେଶ ସାହୁ ଏଥିପାଇଁ ଏପ୍ରିଲ ୮ରେ ତାଳଚେର ବନ୍ଦ ପାଇଁ ଡାକରା ଦେଇଥିଲେ । କିନ୍ତୁ ସାଂସଦଙ୍କ ଏଭଳି ଏକଚାଟିଆ ନିଷ୍ପତି ବିରୋଧରେ ଏକଜୁଟ ହୋଇଥିଲେ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ । କାଳେ ସାଂସଦ ଏକାକୀ ମାଇଲେଜ ନେଇଯିବେ ସେଥିପାଇଁ ସାଂସଦଙ୍କ ତାଳଚେର ବନ୍ଦ ଡାକରାର ଗୋଟିଏ ଦିନ ପୂର୍ବରୁ ବିଜେଡି ପକ୍ଷରୁ ଅନୁଗୁଳ ବନ୍ଦ ଡାକରା ଦିଆଯାଇଥିଲା । ବିଜେଡିର ବିଧାୟକ ମାନେ ଏନେଇ ସାମ୍ବାଦିକ ସମ୍ମଳନୀ କରି ସୂଚନା ଦେଇଥିଲେ । ହେଲେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସାଂସଦଙ୍କ ଦେଖା ମିଳିନଥିଲା । ଲାଗୁଥିଲା ସତେ ଯେପରି ସାଂସଦଙ୍କୁ ଚେକ୍ ଦେବାକୁ ବିଜେଡି ବିଧାୟକ ବ୍ୟୁହ ରଚନା କରିଥିଲେ ।
ତେବେ ବିଜେଡି ପକ୍ଷରୁ ଅନୁଗୁଳ ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ସାଂସଦ ଏହାକୁ ସମର୍ଥନ କରିବେ ନାହିଁ ବୋଲି ସଫା ସଫା ମନା କରିଥିଲେ । ଦଳର ନିଷ୍ପତି ନୁହେଁ ବରଂ ନିଜେ ନେଇଥିବା ନିଷ୍ପତିକୁ ପ୍ରାଥମିକତା ଦେଇଥିଲେ ମହେଶ । ଏପରିକି ଯେଉଁ ବିଧାୟକଙ୍କ ନେତୃତ୍ୱରେ ଅନୁଗୁଳ ବନ୍ଦ ଡାକରା ଦିଆଯାଇଥିଲା ତାଙ୍କ ଉପରେ ବର୍ଷିଥିଲେ ମହେଶ । ଯାହା ଦଳର ସାଂସଦ ଓ ବିଧାୟକଙ୍କ ମଧ୍ୟରେ ଫାଟକୁ ପଦାରେ ପକାଇଥିଲା । ଆଉ ଏଭଳି କରି ଦଳୀୟ ନିଷ୍ପତି ବାହାରେ ସାଂସଦ ଯାଉଥିବା ନେଇ ସୁପ୍ରିମୋଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇଥିଲେ ବିଧାୟକ । ଏତିକିରେ ଥମିନଥିଲା ସାଂସଦ-ବିଧାୟକ ଶୀତଳ ଯୁଦ୍ଧ । ସୋସିଆଲ ମିଡ଼ିଆରେ ପରସ୍ପରକୁ ଆକ୍ଷେପ କରିବାକୁ ପଛାଉ ନାହାନ୍ତି ଉଭୟ ସାଂସଦ ଓ ବିଧାୟକଙ୍କ ଗୋଷ୍ଠୀ । ଯାହା ଦଳ ମୁଖିଆଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । କାରଣ ମହେଶଙ୍କ ଭଳି ପୁରୁଖା ନେତା ପାର୍ଟି ଲାଇନ ବାହାରେ ରହି କାମ କରିବା କେଉଁଠି ନା କେଉଁଠି ଦଳକୁ ବଡ କ୍ଷତି ପହଞ୍ଚାଇପାରେ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବିଧାୟକ-ସାଂସଦଙ୍କ ମଧ୍ୟରେ ସମନ୍ୱୟ ନରହିଲେ ଦଳ ବ୍ୟାକଫୁଟକୁ ଚାଲି ଯାଇପାରେ । ତେବେ ଏଭଳି ସ୍ଥିତି କେବଳ ଢେଙ୍କାନାଳ ନୁହେଁ ବରଂ ଜଗତସିଂହପୁର, କେନ୍ଦ୍ରାପଡା ଓ କଟକରେ ମଧ୍ୟ ଦେଖିବାକୁ ମିଳୁଛି ।
ଏହାପୂର୍ବରୁ ଏକ ଶିଳାନ୍ୟାସ କାର୍ୟ୍ୟକ୍ରମରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ନାଁ ନାମଫଳକର ତଳେ ରହିଥିବାରୁ ସେ ସଭା ମଝିରେ କାନ୍ଦି ପକାଇଥିଲେ । ସେତେବେଳେ ଚର୍ଚ୍ଚା ହେଲା ଜାଣିଶୁଣି ସାଂସଦଙ୍କ ନାଁକୁ ନାମଫଳକର ତଳେ ରଖାଯାଇଥିଲା । ଏହାଛଡା ଜଗତସିଂହପୁର ରାଜନୀତିରେ ସାଂସଦଙ୍କ ପତିଆରାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଦଳର ବିଧାୟକ ମାନେ ହାତ ମିଳାଇଥିବା କୁହାଯାଉଛି । ସେହିଭଳି କଟକ ସାଂସଦ ଓ ବିଧାୟକଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିଛି ତାହା ବୋଧହୁଏ କାହାକୁ ଅଛପା ନାହିଁ । କଟକର ଏକ ଦଳୀୟ କାର୍ୟ୍ୟକ୍ରମରେ ସାଂସଦ ଭର୍ତ୍ତୃହରିଙ୍କୁ ବାଦ୍ ଦେବା ପରେ ଯେଉଁ ସ୍ଥିତି ଉତ୍ପନ୍ନ ହୋଇଛି ତାହା ଥମିବାର ନାଁ ନେଉନାହିଁ । ଭର୍ତ୍ତୃହରି ଏବେ ଖୁଲମଖୁଲା ଦଳୀୟ ନେତୃତ୍ୱଙ୍କ ଉପରେ ନିଜର ଅସନ୍ତୋଷ ଝାଡୁଛନ୍ତି । ଏପରିକି ଏଭଳି ଶୀତଳଯୁଦ୍ଧ ଭିତରେ ଭର୍ତ୍ତୃହରି ବିଜେପି ଆଡକୁ ଢଳୁଥିବାର ସଂକେତ ମିଳୁଛି ।
ସେହିଭଳି ପାରିବାରିକ ବିବାଦରେ ଛନ୍ଦି ହେବା ପରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ପାଖ ପୂରାଇ ଦେଉନାହାନ୍ତି ଜିଲ୍ଲାର ବିଧାୟକ । ଜିଲ୍ଲାରେ ବିଭିନ୍ନ ଦଳୀୟ ଓ ସରକାରୀ କାର୍ୟ୍ୟକ୍ରମ ହେଉଛି, କିନ୍ତୁ ସେଥିରେ ଅନୁଭବଙ୍କୁ ସାମିଲ ହେବାକୁ ସୁଯୋଗ ଦିଆଯାଉନାହିଁ । ଏପରିକି ଦଳର ବିଧାୟକ ମାନେ ମଧ୍ୟ ଅନୁଭବଙ୍କ ଠାରୁ ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି । ତେବେ ଏଭଳି କମାଣ୍ଡ ଦଳର ଶୀର୍ଷ ନେତୃତ୍ୱ ଦେଇଛନ୍ତି ନା ଭୋଟବ୍ୟାଙ୍କ ହରାଇବା ଭୟରେ ବିଧାୟକ ମାନେ ସାଂସଦଙ୍କୁ ଧରାଛୁଆଁ ଦେଉନାହାନ୍ତି ତାହା ବୁଝି ହେଉନାହିଁ । କିନ୍ତୁ ପୂରା ଚିତ୍ରକୁ ଦେଖିଲେ ଲାଗୁଛି ଉପକୂଳ ବିଜେଡିରେ ଏବେ ସାଂସଦ -ବିଧାୟକଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗିଛି । ଯାହାର ପରିସମାପ୍ତି ନଘଟିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ବହୁମୂଲ୍ୟ ଦେବାକୁ ପଡିପାରେ ।