ଟିକା ନେଲେ ବିଧାୟକ

ତୃତୀୟ ପର୍ୟ୍ୟାୟ ଟିକାକରଣ ଜୋରସୋରରେ ଚାଲିଛଇ । ସୋମବାର ମୁଖ୍ୟମନ୍ତ୍ରୀ ବିଧାନସଭା ପରିସରରେ ଟିକା ନେଇଥିବାବେଳେ ଆଜି ଅନେକ ବିଧାୟକ ଏବଂ ପୂର୍ବତନ ବିଧାୟକ ଟିକାକରଣ ପକ୍ରିୟାରେ ସାମିଲ ହୋଇଛନ୍ତି । ଟିକା ନେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତ ରାୟ । ସୁରଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନା ଟିକା ନେଇଛନ୍ତି ।

ସେହିପରି ବିଧାୟକ ନବ ଚରଣ ମାଝି, ଅରବିନ୍ଦ ଢାଲି, ଶ୍ରୀକାନ୍ତ ସାହୁ, ମଧ୍ୟ ସାମିଲ ହୋଇଛନ୍ତି । ସେପଟେ ବଲାଙ୍ଗୀରରେ ନରସିଂହ ମିଶ୍ର, କଟକରେ ସୁବାସ ସିଂ ଓ ଦେବାଶିଷ ସାମନ୍ତରାୟ ନେଇଛନ୍ତି ଟିକା । ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର ମଧ୍ୟ ଟିକା ନେଇଛନ୍ତି । କରୋନା ଟିକା ନେବା ପାଇଁ ବିଧାନସଭା ଡିସପେନସରୀରେ ପହଂଚିଥିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ହେଲେ ତାଙ୍କୁ ଟିକା ନଦେଇ ଫେରାଇ ଦିଆଯାଇଛି । ତାଙ୍କର ବୟ ୪୮ ବର୍ଷ ହୋଇଥିଲେ ମଧ୍ୟ କୌଣସି ଜଟିଳ ରୋଗରେ ପୀଡ଼ିତ ନଥିବାରୁ ନିୟମ ଅନୁଯାୟୀ ତାଙ୍କୁ ଟିକା ଦିଆଯାଇ ନାହିଁ ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ବିଧାନସଭା ପରିସରରେ ଥିବା ହସ୍ପିଟାଲରେ ଟିକା ନେଇଥିଲେ । ଏବଂ ରାଜ୍ୟବାସୀଙ୍କୁ ମଧ୍ୟ ଟିକାକରଣରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଧାର୍ୟ୍ୟ ଲକ୍ଷ୍ୟରୁ ଅଧିକ ଟିକା କରଣ ହୋଇଛି । ରାଜ୍ୟର ନିର୍ଦ୍ଧାରିତ ଘରୋଇ ହସ୍ପିଟାଲରେ ୨୫୦ ଟଙ୍କାରେ ଟିକା ପ୍ରଦାନ କରାଯାଉଛି । ଗତକାଲି ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ୧୧ ହଜାର ୨୮୯ ଟିକାକରଣ କରାଯାଇଛି । ୪୫ରୁ ୫୯ ବର୍ଷ ଯାଏ ୩୦୦ଜଣଙ୍କୁ ଟିକା ଦିଆଯାଇଛି । ବୟସ୍କଙ୍କୁ ଅନଲାଇନ ଓ ଅଫଲାଇନରେ ଟିକା ଦିଆଯାଇଛି । କାହାରି ପାଖରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇନଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

Comments (0)
Add Comment