ଦେଶରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଥିବା ବେଳେ ଟିକାକରଣ ପ୍ରକ୍ରିୟାକୁ ଗରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ମେ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା ଦିଆଯିବ । କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫାର୍ମା କମ୍ପାନୀ ମାନଙ୍କ ସହ ବୈଠକ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଅକସ୍ମାତ ହୁ ହୁ ହୋଇ ବଢ଼ିବା ପରେ କେନ୍ଦ୍ର ସରକାର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ନେବାକୁ ଅନୁମତି ଦେଇଛନ୍ତି। ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ତୃତୀୟ ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକଙ୍କୁ ଟିକା ଦିଆଯିବ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ କୋଭିଡ଼ ଯୋଦ୍ଧା, ବୟସ୍କ ଓ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯାଉଥିଲା ।
ଟିକାକରଣ ନେଇ ତିନୋଟି ରଣନୀତି ପ୍ରସ୍ତୁତ କରିଛନ୍ତି ସରକାର। ଏଣିକି ରାଜ୍ୟ ଗୁଡିକ ନିଜେ ଟିକେ ମଗାଇପାରିବେ କି କିଣିପାରିବେ । ଟିକା କମ୍ପାନିମାନେ ଯେପରି ଟିକା ଉତ୍ପାଦନ ବଢାଇପାରିବେ ସେଥିପାଇଁ ସରକାର ସେମାନଙ୍କୁ ପ୍ରେତ୍ସାହନ ଦେବେ । ସେହିପରି କମ୍ପାନିମାନେ ନିଜର ଉତ୍ପାଦନର ୫୦ ପ୍ରତିଶତ ସିଧାସଳଖ ରାଜ୍ୟମାନଙ୍କୁ ଓ ଖୋଲାବଜାରରେ ବିକ୍ରି କରିପାରିବେ । ସେହିପରି ରାଜ୍ୟ ସରକାରମାନେ ସିଧାସଳଖ କମ୍ପାନିମାନଙ୍କଠାରୁ ଟିକା କିଣିପାରିବେ ଓ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ଦେବାପାଇଁ ନିଷ୍ପତ୍ତି ନେଇପାରିବେ ।