ନିୟମ ମାନ, ସ୍କୁଲ ଚାଲ

୯ ମାସ ପରେ ଆସନ୍ତା ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ । ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ଏସଓପି । କରୋନା ଭିତରେ ମାଟ୍ରିକ ଓ ପ୍ଲସ ୨ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଥିବାରୁ କୋଭିଡ୍ ନିୟମରେ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏସ୍‌ଓପି ଅନୁଯାୟୀ ରାଜ୍ୟରେ ସରକାରୀ ଓ ଘରୋଇ ସ୍କୁଲ ଗୁଡ଼ିକ ଖୋଲିବ।

ଅନଲାଇନ ପଢିବାକୁ ଚାହିଁଲେ ଛାତ୍ରଛାତ୍ରୀଙ୍କୁ ଅନୁମତି ଦିଆଯିବ । ସ୍କୁଲ ଖୋଲିଲେ ମଧ୍ୟ ପୂର୍ବ ଭଳି ଅନଲାଇନ୍ କ୍ଲାସ୍ ଜାରି ରହିବ । ଅନଲାଇନ ପାଠ୍ୟକ୍ରମ ପାଇଁ ସମୟ ସାରଣୀ ପ୍ରସ୍ତୁତ ହେବ। ଯେଉଁମାନେ ଅଫଲାଇନରେ ପଢ଼ିବାକୁ ଚାହୁଁଛନ୍ତି, ଅଭିଭାବକଙ୍କ ଅନୁମତି ଦରକାର । କୌଣସି ପିଲାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ। ବିଦ୍ୟାଳୟ ଖୋଲିବା ସଂପୃକ୍ତ ଜିଲ୍ଲାପାଳଙ୍କ ନିଷ୍ପତ୍ତି ନିର୍ଭର କରିବ । କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଅନୁମତି ମିଳିବନି ।ଗୋଟିଏ ଶ୍ରେଣୀଗୃହରେ ସର୍ବାଧିକ ୨୫ ଛାତ୍ରଛାତ୍ରୀ ରହିବେ । ପୂର୍ବଭଳି ୧୦ଟାରୁ ୪ଟା ପର‌୍ୟ୍ୟନ୍ତ ସ୍କୁଲରେ ହେବ ପାଠପଢା । ଭିନ୍ନଭିନ୍ନ ଶ୍ରେଣୀ ପାଇଁ ଭିନ୍ନଭିନ୍ନ ଖାଇବା ଛୁଟି ରହିବ । ସ୍କୁଲରେ ଖେଳ ଓ ବୈଠକକୁ ବାରଣ କରାଯାଇଛି ।ସ୍କୁଲ ହତାର ୧୦୦ ମିଟର ଭିତରେ କୌଣସି ଖାଦ୍ୟ ସାମଗ୍ରୀ ବିକ୍ରି ମନା ।

ସ୍କୁଲ ହତାର ୧୦୦ ମିଟର ଭିତରେ କୌଣସି ଖାଦ୍ୟ ସାମଗ୍ରୀ ବିକ୍ରି ମନା । ସେପଟେ କମନ ରୁମ ଓ ଷ୍ଟାଫ୍ ରୁମରେ ଦୂରତା ରଖିବାକୁ ନିର୍ଦ୍ଦେଶ । ହାତ ସାନିଟାଇଜ ପାଇଁ ସମସ୍ତ ଶୌଚାଳୟରେ ସାବୁନ ରଖିବାକୁ ପରାମର୍ଶ । କ୍ଲାସରୁମ ଭିତରକୁ ପଶିବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ହାତ ଧୋଇବାକୁ ଉତ୍ସାହିତ କରିବେ ଶିକ୍ଷକ । ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍କୁଲ ପରିସରରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଓ ରାଜ୍ୟର କୋଭିଡ ହେଲ୍ପଲାଇନ ନମ୍ବର ଲେଖାରହିବ । ସ୍କୁଲ ପରିସରରେ ଏକ ନିର୍ଦ୍ଦିଷ୍ଟ ଆଇସୋଲେସନ ରୁମ୍ ରହିବ । ସ୍କୁଲ ଚାଲୁଥିବା ବେଳେ ହଠାତ୍ ଯଦି କାହା ଦେହରେ କୋଭିଡ ଲକ୍ଷଣ ଦେଖାଯାଏ ତେବେ ସେଠାରେ ସେମାନଙ୍କୁ ଆଇସୋଲେଟ କରାଯିବ ।

ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ। ବିଦ୍ୟାଳୟ ପରିସର ମଧ୍ୟରେ ୬ ଫୁଟ ଦୂରତା ରକ୍ଷା କରି ପିଲାଙ୍କୁ ଚଳପ୍ରଚଳ କରିବାକୁ ହେବ। ଶ୍ରେଣୀ ମଧ୍ୟରେ ଛାତ୍ରଛାତ୍ରୀମାନେ ସୁରକ୍ଷିତ ଭାବେ ସାମାଜିକ ଦୂରତା ରକ୍ଷା କରିବେ। ପିଲାମାନଙ୍କ ବସିବା ସ୍ଥାନ ସୁନିଶ୍ଚିତ କରାଯିବ। ପ୍ରତ୍ୟେକ ପିଲାଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ସୁନିଶ୍ଚିତ କରାଯିବ। ଏଥି ପାଇଁ ସଂପୃକ୍ତ ସ୍ଥାନରେ ରୋଲନମ୍ବର ଲେଖାଯାଇପାରିବ । ଏହା ଦ୍ବାରା ସାମାଜିକ ଦୂରତା ବଳବତ୍ତର ରହିବ । ସେହିଭଳି ଷ୍ଟାଫ ରୁମରେ ମଧ୍ୟ ସାମାଜିକ ଦୂରତାକୁ ରକ୍ଷା କରାଯିବ। ଅନ୍ୟ ସ୍ଥାନ ଯଥା- ମେସ, ପାଠାଗାର, କ୍ୟାଫଟେରିଆରେ ମଧ୍ୟ ସାମାଜିକ ଦୂରତା ରକ୍ଷା କରାଯିବ।

Comments (0)
Add Comment