ସତ ଘୋଡାଇବାକୁ ହେଉଛି କି ଷଡଯନ୍ତ୍ର? କିଏ କହୁଛି ସତ? ମାଲକାନଗିରି ଜିଲ୍ଳାପାଳ ଡାକ୍ତର ୟେଦୁଲ୍ଲା ବିଜୟ ନା କଂଗ୍ରେସ ନେତା ପ୍ରଦୀପ ମାଝୀ । କାହା କଥା ଭରସାଯୋଗ୍ୟ? ପ୍ରଦୀପ ଦେଇଥିବା କାଗଜପତ୍ର ପ୍ରମାଣ ନା ଜିଲ୍ଲାପାଳ ଦେଉଥିବା ସୁରକ୍ଷା ଥିଓରୀ । ଟେଣ୍ଡର ଫିକ୍ସିଂ ଓ ଲାଞ୍ଚ କାରବାର ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ କଂଗ୍ରେସ ନେତା ପ୍ରଦୀପ ମାଝୀ ସଙ୍ଗୀନ ଅଭିଯୋଗ ଆଣିବା ଓ ଜିଲ୍ଳାପାଳ ଏହାର ଉତ୍ତର ରଖିବା ପରେ କିଛି ଏଭଳି ଦିଗକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଗତକାଲି କଂଗ୍ରେସ ନେତା ପ୍ରଦୀପ ମାଝୀ ଜିଲ୍ଳାପାଳଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଟେଣ୍ଡର ଫିକ୍ସିଂ କରି ମାଲକାନଗିରି ଜିଲ୍ଲାପାଳ ଆନ୍ଧ୍ର ବେପାରୀଙ୍କ ହାତରେ ମାଲକାନଗିରି ୭ଟି ମୂଲ୍ୟବାନ ପଥର ଖାଦନ ଟେକି ଦେଇଥିବା ନେଇ ଅଭିଯୋଗ କରିଥିଲେ । ଆଉ ଏଥିପାଇଁ ତହସିଲଦାରଙ୍କୁ ଟେଣ୍ଡର ପ୍ରକ୍ରିୟାରୁ ସାଇଡଲାଇନ କରି ନିଜେ ଟେଣ୍ଡର ଆହ୍ୱାନ କରିଥିବା କହିଛନ୍ତି ପ୍ରଦୀପ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟେଣ୍ଡର ଦାଖଲ ପରେ ଟେଣ୍ଡର ବକ୍ସକୁ ନିଜ ଘରେ ୩ ଦିନ ରଖିବା ଓ ୧୦ ଦିନ ପରେ ଟେଣ୍ଡର ବକ୍ସ ଖୋଲିବା କେଉଁଠି ନା କେଉଁଠି ଜିଲ୍ଳାପାଳଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । କାରଣ ଟେଣ୍ଡର ଦାଖଲ ଶେଷ ହେବାର କେଇ ଘଣ୍ଟା ବା ପରଦିନ ଟେଣ୍ଡର ବକ୍ସ ଖୋଲିବାର ନିୟମ ରହିଛି । କିନ୍ତୁ ଏ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜିଲ୍ଳାପାଳ ନିଜ ବାସଭବନରେ ୩ ଦିନ ଟେଣ୍ଡର ବକ୍ସ ରଖି କାଗଜପତ୍ର ହେରଫର କରି ଆନ୍ଧ୍ର ବେପାରୀଙ୍କ ହାତରେ ପଥର ଖାଦାନ ଟେକି ଦେଇଥିବା କହିଛନ୍ତି ପ୍ରଦୀପ । ଆଉ ଏହାର ପ୍ରତିଟି ପ୍ରମାଣପତ୍ର ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି ପ୍ରଦୀପ ।
ଅନ୍ୟପଟେ ଅଭିଯୋଗ ନେଇ ଜିଲ୍ଳାପାଳ ଯେଉଁ ସଫେଇ ରଖିଛନ୍ତି ତାହା ସହଜରେ ହଜମ ହେବା ଯୋଗ୍ୟ ନୁହେଁ । କଂଗ୍ରେସ ଆଣିଥିବା ଅଭିଯୋଗ ଭିତ୍ତିହୀନ, ଟେଣ୍ଡର ପ୍ରକ୍ରିୟାରେ କୌଣସି ବେନିୟମ କାର୍ୟ୍ୟ ହୋଇନାହିଁ ବୋଲି କହିଛନ୍ତି ଜିଲ୍ଳାପାଳ । ସୁରକ୍ଷା ଦୃଷ୍ଟିରୁ ଟେଣ୍ଡର ବକ୍ସକୁ ନିଜ ବାସଭବନକୁ ନେଇ ଯାଇଥିବା ଯୁକ୍ତି ବାଢିଛନ୍ତି ଜିଲ୍ଳାପାଳ । କିନ୍ତୁ ଜିଲ୍ଳାପାଳଙ୍କ ଏହି ବୟାନ ଅନେକ ପ୍ରଶ୍ନଚିହ୍ନ ଛିଡା କରିଛି । କାରଣ ଟେଣ୍ଡର ଆହ୍ୱାନ ପରେ ଟେଣ୍ଡର ବକ୍ସକୁ ସବ ଟ୍ରେଜରୀ ଅଫିସକୁ ନିଆଯାଇଥାଏ । ସବ ଟ୍ରେଜରୀ ଅଫିସରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିଥିବାରୁ ଏଠାରେ ଜିଲ୍ଲାର ମୂଲ୍ୟବାନ ନଥିପତ୍ର ରହିଥାଏ । କିନ୍ତୁ ଏହି ନିର୍ଦ୍ଦିଷ୍ଟ ଟେଣ୍ଡର ପ୍ରକ୍ରିୟାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଲା । ଜିଲ୍ଳାପାଳଙ୍କ ବାସଭବନ ରାସ୍ତାରେ ସବ ଟ୍ରେଜରୀ ଅଫିସ ପଡୁଥିଲେ ମଧ୍ୟ ଏଠାରେ ଟେଣ୍ଡର ବକ୍ସ ରଖିବାକୁ କାହିଁକି ସୁରକ୍ଷିତ ମଣିଲେ ନାହିଁ ୟେଦୁଲ୍ଲା ବିଜୟ? ଜିଲ୍ଲାପାଳଙ୍କ ପାଇଁ ଏହି ଟେଣ୍ଡର ବକ୍ସ ସବ ଟ୍ରେଜରୀ ଅଫିସରେ ଥିବା କାଗଜପତ୍ର ଠାରୁ ମଧ୍ୟ କଣ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା କି? ପୂର୍ବରୁ କେବେ ଟେଣ୍ଡର ବକ୍ସ ଜିଲ୍ଲାପାଳଙ୍କ ବାସଭବନକୁ ଯାଇଛି କି? ଟେଣ୍ଡର ବକ୍ସ ରଖିବା ପାଇଁ ସବ-ଟ୍ରେଜରୀ ଅଫିସ କଣ ସୁରକ୍ଷିତ ନୁହେଁ କି? ଯଦି ହଁ ତେବେ ଅନ୍ୟ କାଗଜପତ୍ର ଭଳି ସେଠାରେ ମଧ୍ୟ ଟେଣ୍ଡର ବକ୍ସ ରହିପାରିଥାନ୍ତା? ଯଦି ନା ତେବେ ଏଭଳି କରି ଜିଲ୍ଲାପାଳ ସବ-ଟ୍ରେଜରୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉ ନାହାନ୍ତି କି?
ଟେଣ୍ଡର ପ୍ରକ୍ରିୟାକୁ ସ୍ୱଚ୍ଛ କରିବାକୁ ସରକାର ଲଗାତାର ପ୍ରୟାସ କରି ଆସୁଛନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାପାଳଙ୍କ ନାଁ ଟେଣ୍ଡର ଫିକ୍ସିଂରେ ଉଠିବା କେଉଁଠି ନା କେଉଁଠି ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଛିଡା କରୁଛି । ହଁ , ଟେଣ୍ଡର ପ୍ରକ୍ରିୟାରେ ଫିକ୍ସିଂ ହୋଇଛି କି ନାହିଁ ତାହା କେବଳ ତଦନ୍ତ ହେଲେ ହିଁ ଜଣାପଡିବ । କିନ୍ତୁ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗକୁ ଲୁଚାଇବାକୁ ଯାଇ ଜିଲ୍ଲାପାଳ ସୁରକ୍ଷା ବ୍ୟବସ୍ଥାର ଦ୍ୱାହି ଦେଇ ସବ-ଟ୍ରେଜରୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା କେତେଦୂର ଯୁକ୍ତିଯୁକ୍ତ? ଟେଣ୍ଡର ବକ୍ସକୁ ଘରକୁ ନେଇ ମାଲକାନଗିରି ଜିଲ୍ଲାପାଳ ଯେଉଁ ପରମ୍ପରା ଆରମ୍ଭ କରିଛନ୍ତି ତାହାର ଝଲକ ଆଗାମୀ ଦିନରେ ଅନ୍ୟ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିପାରେ । ତେଣୁ ଏ ବାବଦରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକୃତ ସତ କଣ ତାହା ସାମ୍ନାକୁ ଅଣାଯାଉ ବୋଲି ଦାବି ଉଠିଛି ।