ମାନସ ଦାସକୁ କିଏ ଦେଉଛି ସୁରକ୍ଷା?

ମାନବବାଦୀ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କୁ ସୁରକ୍ଷା ଦେଉଛି କିଏ? କାହିଁକି ପୋଲିସ ମାନସଙ୍କ ହାତରେ ହାତକଡି ପକାଇବାକୁ ପଛଘୁଞ୍ଚା ଦେଉଛି? ମାନସଙ୍କ ଗିରଫଦାରୀ ଅଟକାଇବାକୁ ପୋଲିସ ଉପରେ ପଡୁଛି କି ଚାପ? ପୁଳା ପୁଳା ଅଭିଯୋଗ ସତ୍ତେ୍ୱ ମଧ୍ୟ କାହିଁକି ପୋଲିସ ଚୁପ୍ ବସିଛି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଟିର ମନରେ ଉଙ୍କି ମାରୁଛି । କିନ୍ତୁ ଏହାର ଜବାବ ଦେବାକୁ ଯେପରି ପୋଲିସ ଜୁ ଜୁଟାଇପାରୁନି । ଗତ କିଛିଦିନ ହେବ ଗଣମାଧ୍ୟମର ଶୀର୍ଷକରେ ରହୁଥିବା ମାନସ ଦାସଙ୍କ ବାବଦରେ କଣ ଅଭିଯୋଗ ରହିଛି ସେ ବାବଦରେ ପାଠକଙ୍କୁ ଜଣାଇବାର ଆଉ ଆବଶ୍ୟକତା ନାହିଁ । କାରଣ ଭୁବନେଶ୍ୱରରୁ ଭବାନୀପାଟଣା, କଟକରୁ କନ୍ଧମାଳ, ମାନସ ଦାସର ସୈତାନ ସାମ୍ରାଜ୍ୟ ବାବଦରେ ଓଡ଼ିଶାବାସୀ ଉଣା ଅଧିକେ ଜାଣିଛନ୍ତି । ଆଉ ଚାରିଆଡୁ ମାନସ ଦାସକୁ ଗିରଫ କରିବାକୁ ଦାବି ଜୋର ଧରିଛି । କିନ୍ତୁ ପୋଲିସ ଏପ୍ରସଙ୍ଗରେ କେବଳ ତଦନ୍ତର ଦ୍ୱାହି ଦେଇ ମାନସ ଗିରଫଦାରୀ ପାଇଁ ଦ୍ୱାର ଯେପରି ବନ୍ଦ କରି ଦେଇଛି ।
କିନ୍ତୁ ସେହି ଓଡ଼ିଶା ପୋଲିସ ମାନସଙ୍କ କ୍ଷେତ୍ରରେ ଯେଉଁ ଆଭିମୁଖ୍ୟ ଦେଖାଉଛି ତାହା ଅନ୍ୟମାନଙ୍କ କ୍ଷେତ୍ରରେ ସେଭଳି ଦେଖିବାକୁ ପ୍ରାୟତଃ ମିଳେନାହିଁ । ଅଭିଯୋଗ ମିଳିବା ମାତ୍ରେ ଆକ୍ସନ ନେଇ ପୋଲିସ ବାହାବା ସାଉଁଟିବାର ଅନେକ ନଜିର ରହିଛି । ସଜ ସଜ ବିଜେଡିରୁ ବିଦା ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କଥା ଦେଖୁନାହାନ୍ତି । ପ୍ରଦୀପଙ୍କ ନାଁରେ ଲୋକଙ୍କୁ ଠକୁଥିବା ନେଇ କେବଳ ଅଭିଯୋଗଟିଏ ହୋଇଥିଲା, ବାସ୍ ପୋଲିସ ପାଇଁ ଏତିକି ହିଁ ଯଥେଷ୍ଟ ଥିଲା । ନା ତଦନ୍ତ ହୋଇଥିଲା, ନା ପ୍ରମାଣ ଥିଲା । ବାସଭବନରୁ ପ୍ରଦୀପଙ୍କୁ ଟେକି ଆଣିଥିଲା ପୋଲିସ । ଏପରିକି ଏଥିପାଇଁ ପ୍ରଦୀପଙ୍କୁ ଜେଲ ହାୱା ଖାଇବାକୁ ପଡିଥିଲା । ଠିକ୍ ସେହିଭଳି ସାରଥୀ ଓ ସୁରଙ୍କ କ୍ଷେତ୍ରରେ ମଧ୍ୟରେ ପୋଲିସର ସମାନ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା । କେବଳ କିଛି ଏତଲା ଆଧାରରେ ଉଭୟ ସାରଥୀ ଓ ସୁରଙ୍କୁ ଉଠାଇ ଆଣିଥିଲା ପୋଲିସ । ଉଭୟ ଆତ୍ମଘୋଷିତ ବାବାଙ୍କୁ ଜେଲର ଚାରିକାନ୍ଥ ଭିତରେ ଦୀର୍ଘ ବର୍ଷ କାଟିବାକୁ ପଡିଥିଲା । ଠକେଇ ଅଭିଯୋଗରେ ପୋଲିସ ଗିରଫ କରିବା ଯୁକ୍ତିଯୁକ୍ତ କିନ୍ତୁ ମାନସ ଦାସଙ୍କ କ୍ଷେତ୍ରରେ ପୋଲିସ ସେହି ସମାନ ଫର୍ମୁଲା ଆପଣାଇବାକୁ କାହିଁକି ପଛଘୁଞ୍ଚା ଦେଉଛି? ମାନସ ଦାସ ନିଜକୁ ଗୁରୁଜୀ ବୋଲାଉଥିବା ବେଳେ ହତ୍ୟା, ମାରପିଟ, ଅତ୍ୟାଚାର, ଧମକ ଦେବା, ଚାନ୍ଦା ଆଦାୟ କରିବା ଭଳି ସଙ୍ଗୀନ ଅଭିଯୋଗ ତା ନାଁରେ ରହିଛି । ଏହାସତ୍ତେ୍ୱ ମଧ୍ୟ ଖୋର୍ଦ୍ଧା ପୋଲିସ କିଭଳି ନିଜକୁ କେବଳ ତଦନ୍ତ ଭିତରେ ସୀମିତ ରଖିଛି? ନୀରିହ ଆଦିବାସୀ ଓ ଗରିବଙ୍କ ଉପରେ ଯେଉଁଭଳି ମାନବବାଦୀ ସଙ୍ଗଠନର ସଦସ୍ୟ ପାଶବିକ ଅତ୍ୟାଚାର କରୁଛନ୍ତି, ତାହା ଦେଖିଲେ ଆଖିରେ ଲୁହ ଆସିଯିବ, ହୃଦୟ ଥରିଉଠିବ । ଏହାସତ୍ତେ୍ୱ ମଧ୍ୟ ମୁହଁଟାଣ ଦେଖାଇବାକୁ ପଛାଉ ନାହାନ୍ତି ମାନସ ।
କିନ୍ତୁ ପ୍ରଶ୍ନ ଉଠୁଛି ମାନସଙ୍କ ଏଭଳି ମୁହଁଟାଣ କଣ ପାଇଁ? କାହା ବଳରେ ବଳୀୟାନ ମାନସ? କିଏ ସାଜିଛି ମାନସଙ୍କ ପାଇଁ ସୁରକ୍ଷାକବଚ? ଆଉ ଏହାର ଉତ୍ତର ହୁଏତ ମାନସଙ୍କ ପଛରେ ଲାଗିଥିବା ବିଜେଡି ଟ୍ୟାଗ୍ ହୋଇଥାଇପାରେ । ଗତ ଦୁଇବର୍ଷ ତଳେ ବିଜେଡିରେ ସାମିଲ ହୋଇଥିଲେ ମାନସ । ଶାସକ ଦଳର ଆଢୁଆଳରେ ରହି ନିଜ ସୈତାନ ସାମ୍ରାଜ୍ୟର ବିସ୍ତାର କରିବାକୁ ବୋଧହୁଏ ଯୋଜନା କରିଥିଲେ ମାନସ । ଗରିବ ଆଦିବାସୀଙ୍କୁ ଡରାଇ ଧମକାଇ ଏକ ବଡଧରଣର ଭୋଟବ୍ୟାଙ୍କ ମଧ୍ୟ ତିଆରି କରି ସାରିଥିଲେ । ଯେଉଁଥିପାଇଁ ନେତା ମଧ୍ୟ ମାନସଙ୍କ ଶରଣରେ ପଶିବାକୁ କୁଣ୍ଠାବୋଧ କରୁନଥିଲେ । ଖାସକରି ଶାସକ ଦଳର ନେତା ମାନସଙ୍କ ପାଖକୁ ଯାଉଥିବା ନେଇ ଭାଇରାଲ ଭିଡ଼ିଓରେ ସାମ୍ନାକୁ ଆସିଛି । କିଏ ମାନସଙ୍କୁ ମୁଣ୍ଡିଆ ମାରୁଛି ତ ପୁଣି କିଏ ମାନସଙ୍କୁ ବିଶ୍ୱର ଶ୍ରେଷ୍ଠ ଗୁରୁ ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି । ଆଉ ଏହା ହିଁ ଦର୍ଶାଉଛି ଯେ ନିଜକୁ ଗୁରୁଜୀ ବୋଲାଉଥିବା ଭଣ୍ଡ, ଠକ, ଅତ୍ୟାଚାରୀ ମାନସଙ୍କ ପ୍ରତି ଶାସକ ଦଳର ନେତାଙ୍କ କିଭଳି ଧାରଣା ରହିଥିଲା? ଏହାଛଡା ସଙ୍ଗଠନର ପିଲା ବିଜେଡିକୁ ଭୋଟ ଦେଇଥିବା ନେଇ ମାନସ ଗଣମାଧ୍ୟମରେ ସ୍ପଷ୍ଟ ଭାବେ କହିଛି, ତେଣୁ ଭୋଟ ପାଇଥିବା ନେତା ମାନସଙ୍କ ପାଇଁ ସୁରକ୍ଷା କବଚ ସାଜୁନାହାନ୍ତି ତ ? ମାନସଙ୍କ ଗିରଫଦାରୀ ଏଡାଇବାକୁ ଶାସକ ଦଳର ନେତାଙ୍କ ଆଡୁ ଚାପ ପଡୁନି ତ? ତେବେ ଏସବୁ ଭିତରେ ଶାସକ ବିଜେଡି କହିଛି, ଆଇନ ତା ବାଟରେ ଯିବ । କିନ୍ତୁ ଆଇନର ହାତ ମାନସଙ୍କ ପାଖରେ ପହଞ୍ଚିବାକୁ କେତେ ସମୟ ଲାଗିବ ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିବ । ତେବେ ଆଦିବାସୀଙ୍କୁ ନ୍ୟାୟ ଦେବାକୁ କହି ନୃସଂଶତାର ସୀମା ଟପୁଥିବା ମାନବବାଦୀ ସଙ୍ଗଠନର ସଦସ୍ୟ ଓ ଏହାର ମୁଖ୍ୟ ପୁରୋଧା ମାନସ ଦାସ ହାତରେ କେବେ ହାତକଡି ପଡିବ ତାହା ଦେଖିବା ବାକି ରହିଲା ।

Comments (0)
Add Comment