କରୋନା ସଂକ୍ରମଣ ଯେପରି ବଢିଚାଲିଛି ଆଗକୁ ସ୍ଥିତି ଅସମ୍ଭାଳ ହୋଇପାରେ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଆହୁରି ଭୟାନକ ହୋଇପାରେ ସ୍ଥିତି । ଏଥପାଇଁ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ କଡାନଜର ରଖାଯାଇଛି । କରୋନା ସଂକ୍ରମଣ ଭୟାନକ ସ୍ଥିତି ଉପୁଜାଇଥିବା ବେଳେ ଓଡିଶାରେ ବି କରୋନାର ପ୍ରଭାବ କିଛି କମ୍ ନାହିଁ । ଓଡିଶାରେ ବିଗୁଡିଥିବା ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମେ ଛତିଶଗଡ ସୀମା ସିଲ କରିଥିବା ବେଳେ ଆଜି ଆନ୍ଧ୍ର- ଓଡିଶା ସୀମାକୁ ସିଲ କରାଯାଇଛି ।
ଆନ୍ଧ୍ର-ଓଡିଶା ସୀମା ସିଲ୍ । ଆନ୍ଧ୍ରପଟୁ ଓଡିଶାକୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ଆରଟିପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି ସରକାର । ସେହିପରି ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ୍ କଲା ପ୍ରଶାସନ । ମୁଖ୍ୟତଃ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଗୁଜରାଟ, ଛତିଶଗଡ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯାଇଛି । ମୁଖ୍ୟତଃ ଏହି ଅଞ୍ଚଳରୁ ଆସୁଥିବା ଲୋକେ ୭୨ ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ କିମ୍ବା ୨ ପର୍ୟ୍ୟାୟରେ ଟିକା ଗ୍ରହଣ କରିଥିବା ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ । ଯେଉଁମାନଙ୍କ ପାଖରେ ଆରଟିପିସିଆର ରିପୋର୍ଟ ନାହିଁ ଜିଲ୍ଲା ଭିତରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ ଓ ସେମାନଙ୍କୁ ୭ ଦିନିଆ ଆଇସୋଲେସନରେ ରଖାଯିବ ।
ପ୍ରଥମ ପର୍ୟ୍ୟାୟରେ ଗଜପତି ଜିଲ୍ଲାର ସମସ୍ତ ଚେକ୍ ପଏଣ୍ଟକୁ ପୁଣିଥରେ ପ୍ରସ୍ତୁତ କରାଯାଇଛି ଜିଲ୍ଲାକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଟ୍ରାଭେଲ ହିଷ୍ଟ୍ରିକୁ ଯାଞ୍ଚକରି ସମସ୍ତ ତଥ୍ୟକୁ ରଖାଯାଉଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୭୪୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି ।