ପଞ୍ଚାୟତ ନିର୍ବାଚନରେ ପରାଜିତ ହେଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା । ସମତି ସଭ୍ୟ ପଦ ପାଇଁ ଲଢ଼େଇ କରି ପରାସ୍ତ ହେଲେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଅଞ୍ଜଳି ବେହେରା । ଅଞ୍ଜଳି ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୮୨୬ ଖଣ୍ଡ ଭୋଟ୍ରେ ପରାଜିତ ହୋଇଛନ୍ତି ।ହିନ୍ଦୋଳ ବ୍ଲକର ଗିରିଧାରି ପ୍ରସାଦ ପଂଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ ବି ପରାଜିତ ହୋଇଛନ୍ତି ଅଞ୍ଜଳି । କୁହାଯାଉଛି ସମିତି ସଭ୍ୟା ଭାବେ ଜିତି ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ଆଶାୟୀ ଥିଲେ ଅଞ୍ଜଳି ବେହେରା । ହେଲେ ସେହି ସ୍ୱପ୍ନ ଧୁଳିସାତ ହୋଇଯାଇଛି ।
ହିନ୍ଦୋଳରୁ ବିଧାନସଭାକୁ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହୋଇଥିଲେ ଅଞ୍ଜଳି ବେହେରା । ହେଲେ ବିଜେପି ଶିବିରକୁ ଯିବା ପରେ ସେ ଚଳିତ ପଂଚାୟତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ ।
ବିଜେଡି ଟିକେଟରୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।୨୦୦୦, ୨୦୦୪ ଓ ୨୦୦୯ ନିର୍ବାଚନରେ ସେ ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ପରେ ଦୁଇ ଦୁଇ ଥର ମନ୍ତ୍ରୀ ପଦରେ ମଧ୍ୟ ବସିଥିଲେ। ବିଜେଡିରେ ବିଧାୟକ ହେବା ପରେ ୨୦୦୯ରୁ ୨୦୧୧ ଯାଏ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ୨୦୧୧ରୁ ୨୦୧୨ ଯାଏ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଥିଲେ । ପରେ ଦଳ ବିରୋଧୀ କାର୍ୟ୍ୟ ପାଇଁ ସେ ଦଳରୁ ନିଲମ୍ବିତ ହୋଇଥିଲେ ଓ ଟିକେଟ୍ ମଧ୍ୟ ପାଇ ନ ଥିଲେ।ଏହାପରେ ଗତବର୍ଷ ସେ ବିଜେପିରେ ଯୋଗ ଦେଇଥିଲେ।