ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି ଦୁଇ ସାଂସଦ । ଏକାମ୍ର କ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ନେଇ ଦାବି ଭୁବନେଶ୍ୱରରୁ ଯାଇ ଦିଲ୍ଲୀରେ ପହଚିଂଛି । ରାଜ୍ୟରେ ପ୍ର୍ତିବାଦ ସ୍ୱର ଜୋରଦାର ହୋଇଥିବା ବେଳେ ବାଇ-ଲ’ଙ୍କୁ ନେଇ ଦୁଇ ସାଂସଦଙ୍କ ଟୁଇଟ ଯୁଦ୍ଧ ଏବେ ସାମନାକୁ ଆସିଛି । ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।
ଏନ୍ଏମ୍ଏ ବାଇ-ଲ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜେଡିର ଏଖ ପ୍ରତିନିଧି ଦଳ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ସିଂ ପଟେଲଙ୍କୁ ଭେଟିଛନ୍ତି । ଏନେଇ ବିଜେଡି ସାଂସଦ ଅନୁଭବ ମହାନ୍ତି ଟୁଇଟ କରି ଲେଖିଛନ୍ତି ଯେ, ସେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାକୁ ଯିବାକୁ ଅନୁରୋଧ କରିଥିଲେ । ହେଲେ ଅପରାଜିତା ଷଡଙ୍ଗୀ ଯିବା ପାଇଁ ମନା କରିଦେଇଥିଲେ ବୋଲି ଅନୁଭବ ଟୁଇଟ କରିଥିଲେ । ଓଡ଼ିଶାର ସମ୍ମାନ ଓ ସାଂସ୍କୃତିକ ଭାବାବେଗ ସହ ଜଡିତ ପ୍ରସଙ୍ଗରେ ସହଯୋଗ ନକରିବା ଅନୁତାପର ବିଷୟ ବୋଲି ଅନୁଭବ ମହାନ୍ତି କହିଛନ୍ତି ।
ଅନୁଭବଙ୍କ ଟୁଇଟ ପରେ ଏହାର ଜବାବ ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସେ ଭୁବନେଶ୍ୱର ଆସିଲେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି । ବିନା କାରଣରେ କିଛି ବି ହୁଏ ନାହିଁ । ସେ ଉଚିତ୍ ସମୟରେ ଜବାବ ଦେବେ ,ଏଥିପାଇଁ ଦୟାକରି ଅପେକ୍ଷା କରିବାକୁ ସାଂସଦ ଅପରାଜିତା ଟ୍ୱିଟ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଶନିବାର ଦିନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ବିଜେଡି ନେତା ଭେଟି ଏକାମ୍ର କ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ପାଇଁ ଦାବି ରଖିଛନ୍ତି । ପୁରୀ ପରି ଲିଙ୍ଗରାଜ ମନ୍ଦିରରୁ ମଧ୍ୟ ବାଇ-ଲ ଉଠାଇବାକୁ ଦାବି ହେଉଛି ।