ଅନୁଭବଙ୍କ ହାତ ଛାଡୁଛି ବିଜେଡି?

ହୁଏତ ବର୍ଷା-ଅନୁଭବଙ୍କ ଘରୋଇ ମାମଲାରେ ଦଳ ମୁଣ୍ଡ ଖେଳାଇବାକୁ ଚାହୁଁନଥିବ ହେଲେ ପ୍ରତିଦିନ କେନ୍ଦ୍ରାପଡା ସାଂସଦ ଯେଉଁଭଳି ହଲାପଟା ହେଉଛନ୍ତି ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ବାଲେଶ୍ୱର- ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ପ୍ରଥମେ ଦଳର ତାରକା ପ୍ରଚାରକ ତାଲିକାରୁ ସେ ବାଦ୍ ପଡିଲେ । ଆଉ ଏବେ ଦଳ ଭିତରେ ଧୀରେ ଧୀରେ ସେ ଅଲୋଡା ହୋଇସାରିଲେଣି । ନିଜର ଲୋକପ୍ରିୟତା ପାଇଁ ଅନୁଭବ ବିଜେଡି ପାଇଁ ଯେତିକି ସହାୟକ ହୋଇଥିଲେ ଏବେ ଘରୋଇ କଳି ପାଇଁ ତାଠାରୁ ଅଧିକ ବୋଝ ହୋଇଗଲେଣି । ଏକଥା ଦଳୀୟ ନେତାଙ୍କ ବ୍ୟବହାର ଆଉ ଅନୈାପଚାରିକ ଭାବେ ରଖୁଥିବା ଆଲୋଚନାରୁ ସ୍ପଷ୍ଟ ହେଉଛି ।

ଶୁଣିବାକୁ ମିଳୁଛି, କଟକ ପୁଲିସ କୁଆଡେ ଅନୁଭବଙ୍କ କଥା ଶୁଣୁନି । ଏପରିକି ଅନୁଭବଙ୍କ ପରିବାର ପକ୍ଷରୁ ଦିଆଯାଉଥିବା ମାମଲାରେ କୈାଣସି ପଦକ୍ଷେପ ପୁଲିସ ନେଉନି ଓଲଟା ବର୍ଷା କରୁଥିବା ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଥରେ ଭାବନ୍ତୁ ୨୦୧୯ ନିର୍ବାଚନରେ କେନ୍ଦ୍ରାପଡାରେ ବୈଜୟନ୍ତଙ୍କ ବିପକ୍ଷରେ ଅନୁଭବଙ୍କୁ ଠିଆ କରାଇ ବିଜେଡି ବାର୍ତ୍ତା ଦେଇଥିଲା, ଦଳରେ ତାଙ୍କ କେତେ ଗୁରୁତ୍ୱ ରହୁଛି । ଅନୁଭବଙ୍କୁ ଜିତାଇବାକୁ ପୁରା ବିଜେଡି ଏକାଠି ହୋଇଯାଇଥିଲା । ନିଜେ ନବୀନ ଅନୁଭବଙ୍କୁ ପଠାଇଥିବା କଥା କହିଥିଲେ । ହେଲେ ଏବେ ସେହି ଅନୁଭବଙ୍କ କଥା ପୁଲିସ ଶୁଣୁନଥିବା ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି, ଅନୁଭବଙ୍କ ଉପରେ ତୃତୀୟ ମହଲା ଖୁସି ନାହିଁ । ତେଣୁ ଦିନକୁ ଦିନ ଗୁରୁତ୍ୱହୀନ ହେଉଛନ୍ତି ଅନୁଭବ ।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଛି। ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଭିତ୍ତିରେ କଟକର ପୁରୀଘାଟ ଥାନା ପୁଲିସ ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି। ଅନୁଭବ ଓ ତାଙ୍କ ସହଯୋଗୀଙ୍କୁ ଏନେଇ ପୁଲିସ ପଚରାଉଚରା କରିଛି । ଦୁଇ ଦିନ ତଳେ ବର୍ଷା ଓ ଅନୁଭବଙ୍କ ଯୁକ୍ତିତର୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଭାଇରାଲ୍ ଭିଡିଓ ନେଇ ବର୍ଷା ଅଭିଯୋଗ କରିଥିଲେ । ପୁରୀଘାଟ ଥାନାରେ ଘରୋଇ ହିଂସା ଓ ନିର୍ୟାତନା ନେଇ ବର୍ଷା ଅଭିଯୋଗ କରିଥିଲେ।

ଏପଟୋ ନିଜ ତଥା ନିଜ ପରିବାରର ସୁରକ୍ଷା ପାଇଁ ପୁଲିସ ଡିଜିଙ୍କୁ ଚିଠି ଲେଖିଥିଲେ ଅଭିନେତା ଅନୁଭବ ମହାନ୍ତି। ଏଥିରେ ସେ ଅଭିଯୋଗ କରିଛନ୍ତି, ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡ଼ଯନ୍ତ୍ର ଚାଲିଛି। ହେଲେ ଏହା ଉପରେ କଣ ପଦକ୍ଷେପ ନିଆଗଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଅନୁଭବଙ୍କ ଅଡୁଆ କିନ୍ତୁ ଦିନକୁ ଦିନ ବଢିବାରେ ଲାଗିଛି ।

Comments (0)
Add Comment