ଅନୁଭବ ମହାନ୍ତି । ବିଜେଡି ସାଂସଦ । ବିଜେଡିର ଟ୍ୟାଗ୍ ସିନା ଲାଗିଛି କିନ୍ତୁ ଦଳରେ ସମ୍ପୂର୍ଣ୍ଣ କୋଣଠେସା ଅବସ୍ଥାରେ । ସ୍ଥିତି ଏମିତି ହୋଇଛି ଯେ, ପିପିଲି ଭଳି ହାଇଭୋଲଟେଜ ନିର୍ବାଚନରେ ମଧ୍ୟ ଅନୁଭବଙ୍କୁ ଖୋଜା ପଡୁନି । ୨୦୧୯ ନିର୍ବାଚନ ପୂର୍ବରୁ ଦଳର କ୍ରାଉଡ ପୁଲର ଥିବା ଅନୁଭବଙ୍କୁ ପିପିଲି ଉପ-ନିର୍ବାଚନରୁ ସମ୍ପୂର୍ଣ୍ଣ ରୂପେ ସାଇଡଲାଇନ କରାଯାଇଛି । ଆଉ ଦଳରେ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଏବେ ଖବର ସରବରାହ ସଂସ୍ଥା ଏଏନଆଇ ପ୍ରେମରେ କେନ୍ଦ୍ରାପଡା ସାଂସଦ । ଦଳରେ ନିଜର ଭୁଷୁଡିପଡିଥିବା ଭାବମୂର୍ତ୍ତିକୁ ସଜାଡିବାକୁ ଏବେ ପୁଣିଥରେ ପ୍ରୟାସ ଆରମ୍ଭ କରିଛନ୍ତି ଅନୁଭବ ।
୨୦୧୯ ନିର୍ବାଚନରେ ଅନୁଭବଙ୍କୁ ହେଭିୱେଟ ଟ୍ୟାଗ୍ ଦେଇଥିଲା ବିଜେଡି । କେନ୍ଦ୍ରାପଡାରେ ଦଳକୁ ବଡ ବିଜୟ ଭେଟି ଦେଇଥିବାରୁ ଅନୁଭବଙ୍କୁ ବଡ ଆସେଟ ଭାବେ ଗ୍ରହଣ କରିଥିଲା ବିଜେଡି । କିନ୍ତୁ ୨୦୨୦ରେ ପତ୍ନୀ ବର୍ଷାଙ୍କ ସହ ପାରିବାରିକ କଳହକୁ ନେଇ ବିବାଦ ଘେରକୁ ଆସିଥିଲେ ଅନୁଭବ । ମହିଳାଙ୍କୁ ଗୁରୁତ୍ୱ ଦେଇ ଆସୁଥିବା ବିଜେଡି, ଦଳୀୟ ସାଂସଦଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରିଥିଲା । ଆଉ ବର୍ଷାଙ୍କ ଅଭିଯୋଗ ସହ ଅନୁଭବଙ୍କ ରାଜନୈତିକ କ୍ୟାରିୟର ଉପରେ ଘୋଟି ଆସିଥିଲା ଆଶଙ୍କାର କଳାବାଦଲ । ଧୀରେ ଧୀରେ ସାଂସଦଙ୍କୁ ଦଳରୁ ସାଇଡଲାଇନ କରାଯାଉଥିବା ନେଇ ସଂକେତ ମଧ୍ୟ ମିଳିଲା । ଯାହାର ଝଲକ ନିର୍ବାଚନମଣ୍ଡଳୀରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଲା । ଅନୁଭବଙ୍କୁ ବାଦ୍ ଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରାଗଲା । ଯାହା ଦର୍ଶାଉଥିଲା ଯେ, ଅନୁଭବଙ୍କ ଭଳି ବିବାଦୀୟ ନେତାଙ୍କୁ ପାଖ ପୂରାଇବାକୁ ଚାହୁଁନାହାନ୍ତି ବିଜେଡି ନେତା । ନିର୍ବାଚନମଣ୍ଡଳୀକୁ ଆସିଲେ ବି ସ୍ଥାନୀୟ ନେତା ଧରାଛୁଆଁ ଦେଲେନି । ତେଣୁ ନିଜର ଭାବମୂର୍ତ୍ତି ସଜାଡିବାକୁ ଏବେ ମିଡ଼ିଆର ସାହାରା ଖୋଜିବା ଆରମ୍ଭ କରିଛନ୍ତି ଅନୁଭବ । ଆଉ ତାହା ବି ପୁଣି ଜାତୀୟସ୍ତରୀୟ ମିଡ଼ିଆ ।
ପାରିବାରିକ କଳହ ଘଟଣାକୁ ବାରମ୍ବାର ପ୍ରସାରଣ ପରେ ଓଡ଼ିଶାର ପ୍ରତିଟି ଘରେ ବିବାଦୀୟ ଚେହେରା ଭାବେ ସାମ୍ନାକୁ ଆସିଥିଲେ ସାଂସଦ ଅନୁଭବ । ତେଣୁ ଏହି ବିବାଦୀୟ ଦାଗ ଧୋଇବାକୁ ଏବେ ଖବର ସରବରାହ ସଂସ୍ଥା ଏଏନଆଇ ପ୍ରେମରେ ସତେ ଯେପରି ପଡିଛନ୍ତି ଅନୁଭବ । କାରଣ ବିଭିନ୍ନ ସମୟରେ ଓଡ଼ିଶା ପ୍ରସଙ୍ଗରେ ମତ ରଖୁଥିଲେ ମଧ୍ୟ ଆଞ୍ଚଳିକ ଗଣମାଧ୍ୟମ ବଦଳରେ ଏଏନଆଇ ପାଲଟିଛି ଅନୁଭବଙ୍କ ପ୍ରଥମ ପସନ୍ଦ । ଦିଲ୍ଲୀରେ ଓଡ଼ିଶାର ଏକାଧିକ ଆଞ୍ଚଳିକ ଗଣମାଧ୍ୟମର ଥିଲେ ମଧ୍ୟ ଏଏନଆଇକୁ ବାଛିବା ପଛର କାରଣ କଣ? କୁହାଯାଉଛି, ଓଡ଼ିଶାର ଆଞ୍ଚଳିକ ଗଣମାଧ୍ୟମକୁ ସାମ୍ନା କରିବାକୁ ସାହସ ଜୁଟାଇ ପାରୁନାହାନ୍ତି ଅନୁଭବ । କାଳେ କିଏ ପୁଣିଥରେ ସେହି ପାରିବାରିକ ପ୍ରସଙ୍ଗକୁ ଉଠାଇ ବିବାଦ ବଢାଇବ ସେଥିପାଇଁ ଆଞ୍ଚଳିକ ଗଣମାଧ୍ୟମ ଠାରୁ ଦୂରଛଡା ଦେଉଛନ୍ତି ଅନୁଭବ । ତେଣୁ ଜାତୀୟସ୍ତରର ମିଡ଼ିଆର ହାତ ଧରିଛନ୍ତି ଅନୁଭବ । ଯେଉଁଠି ନିଜେ ସ୍ଥିରୀକୃତ କରିଥିବା ଏଜେଣ୍ଡା ଅନୁଯାୟୀ ଖୋଲା ମତ ରଖିପାରିବେ ଅନୁଭବ । ଯେଉଁଥିପାଇଁ ଆଞ୍ଚଳିକ ଗଣମାଧ୍ୟମ ବଦଳରେ ଏଏନଆଇ ପ୍ରେମରେ ଅନୁଭବ ।