ଓଲିଉଡ ଷ୍ଟାର କପୁଲ ବିବାଦ କୋର୍ଟ କଚେରୀର ଚକ୍କର କାଟି ଏବେ ପୁଲିସ ହେଡକ୍ୱାର୍ଟର ଯାଏଁ ପହଁଚିଲାଣି । ପ୍ରଥମେ ଥାନାରେ ଅଭିଯୋଗ କରି ବର୍ଷା ପୁଲିସ ସୁରକ୍ଷା ପାଇଥିଲେ । ଆଉ ଏବେ ଅନୁଭବ ନିଜକୁ ଅସୁରକ୍ଷିତ ମଣିଲେଣି । ବିଜେଡିର ଏହି ସାଂସଦ ନିଜର ସୁରକ୍ଷା ପାଇଁ ଚିନ୍ତିତ । ଆଉ ଏଥିପାଇଁ ସେ ପୁଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି । ସୁରକ୍ଷା ମାଗି ପୁଲିସ ଡିଜିଙ୍କୁ ଚିଠି ଲେଖି ଅନୁଭବବ ଅଭିଯୋଗ କରିଛନ୍ତି, ତାଙ୍କ ପରିବାର ବିରୋଧରେ ଷଡ଼ଯନ୍ତ୍ର ଚାଲିଛି।
ପୁଲିସ ଡିଜିଙ୍କ ପାଖରେ କିଛି ଘଟଣା ସଂପର୍କରେ ଦର୍ଶାଇଛନ୍ତି ଅନୁଭବ। ସେ ଚିଠିରେ ଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ନାଁ ମଧ୍ୟ ଦର୍ଶାଇଛନ୍ତି। କିଛି ଦିନ ତଳେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଦୁଇଉଭଣୀଙ୍କ ସହିତ ଫୋନରେ କଥା ହେଉଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏହାର ସତ୍ୟାସତ୍ୟ ଯଦିଓ ସନ୍ଦେହ ଘେରରେ କିନ୍ତୁ ଏହାକୁ ଆଧାର କରି ଶାସକ ଦଳର ସାଂସଦ ଅଭିଯୋଗ ଆଣିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ବର୍ଷା-ଅନୁଭବ ବିବାଦ ଥମିବା ବଦଳରେ ବଢିବାପରେ ଲାଗିଛି । ଭିଡିଓ ଏବଂ ଅଡିଓ ଭାଇରାଲ ହେଉଛି । ଉଭୟପକ୍ଷ ପରସ୍ପରକୁ ଦୋଷାରୋପ କରୁଛନ୍ତି । ଭାଇରାଲ ହେଉଥିବା ଅଡିଓର ସତ୍ୟାସତ୍ୟ ଯାଂଚ ପାଇଁ ଅନୁଭବ ପୁଲିସ ଡିଜିଙ୍କୁ ଅନୁରୋଧ କରିଛନ୍ତି । ଯଦି ଅଡିଓ ମିଛ, ତେବେ କିଏ କାହିଁକି ଏଭଳି ଅଡିଓକୁ ଭାଇରାଲ କରାଇଛି ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଯଦି ଅଡିଓ ସତ ହୋଇଥାଏ ତେବେ ତାଙ୍କ ପରିବାରକୁ ସୁରକ୍ଷା ଦିଆଯାଉ ବୋଲି ପୁଲିସ ଡିଜିଙ୍କୁ ଅନୁରୋଧ କରିଛନ୍ତି ।