ଅନୁଭବଙ୍କୁ ପାଖ ପୁରାଇଲେନି !

କି ପାରିବାରିକ ବିବାଦ ଆରମ୍ଭ ହେଲା କେଜାଣି, ମୁଖିଆଙ୍କ ଶୁଭ ନଜର ଅନୁଭବଙ୍କ ଉପରୁ ହଟିଗଲା । ନହେଲେ ଦେଖୂନାହାନ୍ତି, କେନ୍ଦ୍ରାପଡା ପାଇଁ ଏତେବଡ ଖୁସି ଆଉ ଉପଲବ୍ଧିର ଦିନ, ହେଲେ ଏଠି କେନ୍ଦ୍ରାପଡା ସାଂସଦଙ୍କର କିନ୍ତୁ ଦେଖାନଥିଲା । ଡଜନେ ଅଫିସରଙ୍କ ଭିତରେ ଅବଶ୍ୟ କିଛି କଣ ନେତା ଥିଲେ । ବିଭାଗୀୟ ମନ୍ତ୍ରୀ ଭାବେ ପ୍ରଫୁଲ୍ଲ ମଲ୍ଲିକ ଏବଂ ମହାକାଳପଡାରେ ପ୍ରକଳ୍ପ ହେବାକୁ ଥିବାରୁ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ । ପ୍ରକଳ୍ପକୁ ଆଗେଇ ନେବା ପାଇଁ ଯେଉଁ ସବୁ ବିଭାଗର ସହଯୋଗ ଆବଶ୍ୟକ, ପ୍ରାୟ ସବୁ ବିଭାଗର ସଚିବ ଉପସ୍ଥିତ ଥିଲେ । ହେଲେ ଏହି ପୁରା ଏମଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯଦି କେହି ଉପସ୍ଥିତ ନଥିଲେ, ସେ ହେଉଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ।

ଅନୁଭବଙ୍କୁ ଡକାଯାଇନଥିଲା ନା ସେ ରାଜ୍ୟରେ ନଥିଲେ ଯେଉଁଥିପାଇଁ କାର୍ଯ୍ୟକ୍ରମରେ ସାମିଲ ହୋଇପାରିଲେ ନାହିଁ ତାକୁ ନେଇ ଏବେ କେନ୍ଦ୍ରାପଡାରୁ କଟକ ଯାଏଁ ଚର୍ଚ୍ଚା । ସୁଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ କାହିଁ କେଉଁଠି ବି ଅନୁଭବଙ୍କର ଗୋଟିଏ ସେକେଣ୍ଡ ପାଇଁ ବି ଚିତ୍ର ନାହିଁ । ସେମିତିରେ ବି କାର୍ଯ୍ୟକ୍ରମରେ କିଏ ସାମିଲ ହୋଇଛି, ଆଉ କିଏ ସାମିଲ ହୋଇନାହିଁ ତାକୁ ଜାଣିବାର ସାମର୍ଥ୍ୟ ଆଉ ଗଣମାଧ୍ୟମ ପାଖରେ ନାହିଁ । କାରଣ ଲୋକସେବା ଭବନକୁ ପ୍ରବେଶ ଅନୁମତି ଆଉ କାହା ପାଖରେ ନାହିଁ । ତେଣୁ ସରକାରୀ ସ୍ତରରେ ଯାହା ଫଟୋ ଆଉ ଭିଡିଓ ଆସିବ ତାହା ଚୁଡାନ୍ତ । ତେଣୁ ଏହି ଫଟୋ ଆଉ ଭିଡିଓକୁ ଦେଖି ସ୍ପଷ୍ଟ ଭାବେ କୁହାଯାଇପାରେ କେନ୍ଦ୍ରାପଡା ସାଂସଦ ଏହି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ସାମିଲ ନଥିଲେ । ହେଲେ କାହିଁକି? ଅନୁଭବ କଣ ମୁଖିଆଙ୍କ ଶୁଭଦୃଷ୍ଟିରୁ ହଟିଯାଇଛନ୍ତି?

୨୦୧୯ ନିର୍ବାଚନରେ ଯେତେବେଳେ ନବୀନ କହିଥିଲେ, ସେ ନିଜେ କେନ୍ଦ୍ରାପଡାର ବିକାଶ କଥା ବୁଝିବେ, ତେଣୁ ଅନୁଭବଙ୍କର ଆଉ ଆବଶ୍ୟକତା ଦଳ ଅନୁଭବ କରୁନାହିଁ ନା ବର୍ଷା-ଅନୁଭବ ପାରିବାରିକ ବିବାଦ ପରେ ଦଳ ତାଙ୍କଠାରୁ ସମଦୁରତା ବଜାୟ ରଖୁଛି । ସେମିତିରେ ବି ଗତ କେତେ ମାସ ହେଲାଣି ଦଳର କୈାଣସି ବଡ ଏବଂ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟକ୍ରମରେ ଅନୁଭବ ସାମିଲ ହେଉନାହାନ୍ତି । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ବିଧାୟକଙ୍କ ସହ ମଧ୍ୟ ଆଉ ସଂପର୍କ ଭଲ ନଥିବା କଥା କୁହାଯାଉଛି । ତେଣୁ ଦଳ ଭିତରେ ଏକପ୍ରକାରର କୋଣଠେସା ଅବସ୍ଥାରେ ଅଛନ୍ତି ଏହି ନେତା ଜଣଙ୍କ । ମଝିରେ ମଝିରେ କଟକ ଓ କେନ୍ଦ୍ରାପଡାରେ ହାତଗଣତି କିଛି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି, ନହେଲେ ନିଜକୁ ଏସବୁ ରାଜନୈତିକ କନ୍ଦଳରୁ ଦୁରେଇ ରଖୁଛନ୍ତି।

ପ୍ରଚାର ସମୟରେ ମଧ୍ୟ ବିଜେଡି ଅନୁଭବଙ୍କୁ ନଲୋଡିବା ମଧ୍ୟ ଆଲୋଚନାର ବିଷୟ ହୋଇଥିଲା । ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପ ନିର୍ବାଚନ ସମୟରେ ଯେଉଁ ତାରକା ପ୍ରଚାରକ ତାଲିକା ତିଆରି ହୋଇଥିଲା ସେଥିରେ ଅନୁଭବଙ୍କର ନାଁ ନଥିଲା । ତେଣୂ ଦଳ ଆଉ ଅନୁଭବଙ୍କୁ ଲୋଡୁନଥିବା ଚର୍ଚ୍ଚା ହେଉଛି । ମିତ୍ତଲ ସହ ଏମଓୟୁ ସ୍ୱାକ୍ଷର ବେଳର ଚିତ୍ର ଏକଥାକୁ ପ୍ରମାଣିତ ବି କରୁଛି ।

Comments (0)
Add Comment