କହିଁ ପେ ନିଗାଁହୈ ଔର କହିଁ ପେ ନିଶାନା । ହିନ୍ଦୀରେ ଏଭଳି ଏକ ଢଗ ରହିଛି । ଆଉ ଯାହାର ଝଲକ କେନ୍ଦ୍ରାପଡା ସାଂସଦ ଅନୁଭବଙ୍କ ଫେସବୁକ୍ ପୋଷ୍ଟରୁ ସ୍ପଷ୍ଟ ବାରି ହୋଇ ପଡୁଛି । ସୁଦଶାବ୍ରତ ବା ଗୁରୁବାର ଓଷାରେ ଅନୁଭବ କରିଥିବା ପୋଷ୍ଟରେ କିଛି ଏଭଳି କଥା ଉଲ୍ଲେଖ କରିଛନ୍ତି ଯାହା ପୁଣିଥରେ ତାଙ୍କୁ ଚର୍ଚ୍ଚାର ପରିଧିକୁ ଟାଣି ଆଣିଛି । ଅନୁଭବ ବେଶ ଭାବପ୍ରବଣ ହୋଇପଡି ଏଭଳି ପୋଷ୍ଟ କରିଥିବା ଜଣାପଡୁଛି । ଆଉ ଏହାସହ ନାଁ ନନେଇ ନିଜର ଘର ଦେଖାଇ ଘରଣୀଙ୍କୁ ଟାର୍ଗେଟ କରିବାକୁ ପଛାଇନାହାନ୍ତି ଅନୁଭବ ।
ସୁଦଶାବ୍ରତ ଓଷା ଅବସରରେ ଅନୁଭବ ନିଜ ଘରର କିଛି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଆଉ ଘର ସହ ଜଡିତ ଥିବା କିଛି ସ୍ମୃତିକୁ ମଧ୍ୟ ବଖାଣିଛନ୍ତି । ଏହି ଘରେ ତାଙ୍କ ବାପାଙ୍କର ଓ ତାଙ୍କର ଜନ୍ମ ହୋଇଥିବା ବେଳେ କିଭଳି ଦୀର୍ଘ ଦଶନ୍ଧି ହେବ ଏହି ଘର ଖୁସି ବାଣ୍ଟି ଚାଲିଥିଲା ତାହା କହିଛନ୍ତି । କିନ୍ତୁ ଏବେ ଏହି ଘର ପାଇଁ ଅନୁଭବଙ୍କ ଆଖିରେ ଲୁହ । କାରଣ ଘରର ଅବସ୍ଥା ଦେଖି ଅନୁଭବଙ୍କ ଅନ୍ତରାତ୍ମାକୁ ବୋଧହୁଏ ବେଶ ବାଧିଛି ।
କାରଣ ଯେଉଁ ଗୁରୁବାର ଓଷାରେ ମହାଲକ୍ଷ୍ମୀଙ୍କ ଆଗମନ ପାଇଁ ଘରକୁ ଧୁଆଯାଏ, ଝୋଟି ଚିତା ପକାଯାଏ । ପିଠା ପଣାରେ ପୂରି ଉଠେ ପୂରା ଘର । ପ୍ରତିଟି ଓଡ଼ିଆଙ୍କ ଘରେ ସୁଦଶାବ୍ରତରେ କିଛି ଏଭଳି ଦେଖିବାକୁ ମିଳିଥାଏ । କିନ୍ତୁ ନିଜ ଘରେ ସେମିତି କିଛି ବି ଦେଖିବାକୁ ପାଇନଥିଲେ ଅନୁଭବ । ନା ଘର ଧୁଆ ହୋଇ ହୋଇଥିଲା, ନା କେଉଁଠି ଝୋଟି ଚିତା ପଡିଥିଲା । ବରଂ ଘରେ ସବୁ ଘରେ ତାଲା ପଡିଥିଲା । ଲାଗୁଥିଲା ସତେ ଯେପରି ଶ୍ରୀହୀନ ହୋଇଯାଇଛି ଘର । ବିନା ଚିତା ଓ ଝୋଟିରେ ସବୁ ଫିକା ଫିକା ଲାଗୁଛି । ଯେତେବେଳେ ପୂରା ଓଡ଼ିଶା ସୁଦଶାବ୍ରତ ଓଷା କରୁଛି ସେତେବେଳେ ନିଜର ଘରର ଏ ଅବସ୍ଥା ଅନୁଭବଙ୍କୁ ବେଶ କଷ୍ଟ ଦେଇଛି । ଦୀର୍ଘ ଦଶନ୍ଧି ହେବ ତାଙ୍କ ପରିବାର ଏହି ଘରେ ରହି ଆସୁଥିଲେ ମଧ୍ୟ କିଛି ମାସ ହେବ ଘରଠୁ ଦୂରରେ ରହୁଛନ୍ତି ଅନୁଭବଙ୍କ ପରିବାର । କାରଣ ଜଣେ ମହିଳାଙ୍କର ମିଛ ଅଭିଯୋଗ ପାଇଁ ପୂରା ପରିବାରକୁ ଘର ଛାଡିବାକୁ ପଡିଛି ବୋଲି କହିଛନ୍ତି ଅନୁଭବ । ଆଉ ଅନୁଭବ ଯେଉଁ ମହିଳାଙ୍କ ବାବଦରେ କହୁଛନ୍ତି ସେ ତାଙ୍କର ଘରଣୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।
ଅନୁଭବ ଓ ବର୍ଷାଙ୍କ ବିବାଦ କାହାକୁ ବା ଅଛପା । ଓଲିଉଡର ଏହି ହିଟ୍ ଯୋଡିଙ୍କ ପାରିବାରିକ ବିବାଦକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ମଧ୍ୟ ହୋଇଥିଲା । ଛାଡପତ୍ର ପାଇଁ ଆବେଦନ ହୋଇଥିବା ବେଳେ ମାମଲା ଏବେ କୋର୍ଟରେ ଗଡୁଛି । ଆଉ ଏଭଳି ସ୍ଥଳେ ଏକାଠି ହୋଇ ରହିବା ଉଭୟଙ୍କ ପକ୍ଷେ ଆଉ ସମ୍ଭବ ନୁହେଁ । ଯେଉଁଥିପାଇଁ ବର୍ଷା ଶାଶୁ ଘରେ ରହୁଥିବା ବେଳେ ଅନୁଭବଙ୍କ ପରିବାର ବାହାରେ ରହୁଛନ୍ତି । ପୂର୍ବରୁ ଶାଶୁଘର ଲୋକଙ୍କ ନାଁରେ ବର୍ଷା ଯେଉଁ ଅଭିଯୋଗ ଆଣିଥିଲେ ତାକୁ ଦୃଷ୍ଟିରେ ରଖି ଅନୁଭବଙ୍କ ପରିବାର ତାଙ୍କ ଠାରୁ ଦୂରେଇ ରହୁଛନ୍ତି । ଆଉ ବର୍ଷା ମଧ୍ୟ ଅନୁଭବଙ୍କ ଘରେ ଏକା ରହୁଛନ୍ତି । କିନ୍ତୁ ଏବେ ଘରର ଅବସ୍ଥା ଯାହା ରହିଛି ତାହା ବହୁତ ଆଘାତ ଦେଉଛି ବୋଲି ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି ଅନୁଭବ । ଆଉ ଏଥିପାଇଁ ନାଁ ନେଇନଥିଲେ ମଧ୍ୟ ବର୍ଷା ହିଁ ଦାୟୀ ବୋଲି ପରୋକ୍ଷରେ ଅନୁଭବ ସଂକେତ ଦେଇଛନ୍ତି ।
ନିଜ ଘରର ଏଭଳି ଅବସ୍ଥା ଅନୁଭବଙ୍କୁ କେବଳ କଷ୍ଟ ଦେଇନି ବରଂ ବିଚଳିତ ମଧ୍ୟ କରିଛି । ଘରର ବିଭିନ୍ନ ରୁମ ଓ ଅଗଣାର ଫଟୋ ଛାଡି ଭାବପ୍ରବଣ ହୋଇପଡିଛନ୍ତି ଅନୁଭବ । ଆଉ ଯିଏ ଏହି ଘରର ପ୍ରକୃତ ମାଲିକ ତାଙ୍କ ପାଖକୁ ଖୁବଶୀଘ୍ର ଏହି ଘର ଫେରିଆସୁ ବୋଲି ମହାଲକ୍ଷ୍ମୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଆଉ ଏଭଳି ପ୍ରାର୍ଥନା କରି ଅନୁଭବ ପରୋକ୍ଷରେ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି । ଯେହେତୁ ବର୍ଷା ଏବେ ଅନୁଭବଙ୍କ ଘରେ ରହୁଛନ୍ତି ତେଣୁ କିଭଳି ଶୀଘ୍ର ସେ ଘର ଛାଡିବେ ବୋଧହୁଏ ସେଥିପାଇଁ ମହାଲକ୍ଷ୍ମୀଙ୍କୁ ସ୍ମରଣ କରିଛନ୍ତି କେନ୍ଦ୍ରାପଡା ସାଂସଦ । ଏହାସହ ଅନୁଭବ କହିଛନ୍ତି ସତ ଜାଣିବା ପୂର୍ବରୁ କାହାର ଭାବପ୍ରବଣତାକୁ ନେଇ ମଜାକ କରିବା ଉଚିତ ନୁହେଁ । ଶେଷରେ ଅନୁଭବ ଏଭଳି ଲାଇନ ଉଲ୍ଲେଖ କରିବା ପଛର ସବୁଠୁ ବଡ କାରଣ ହେଲା, ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଅନୁଭବ ଯାହା କିଛି ପୋଷ୍ଟ କରୁଛନ୍ତି ସେଥିପାଇଁ ଟ୍ରୋଲର ଶିକାର ହେଉଛନ୍ତି । ଏପରିକି କିଛି ଗଣମାଧ୍ୟମ ଅନୁଭବଙ୍କୁ ଅଡୁଆରେ ପକାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଖବର ପରିବେଷଣ କରୁଛନ୍ତି । ତେଣୁ ଏହି ପୋଷ୍ଟ ଆରମ୍ଭରୁ କୌଣସି ଆକ୍ଷେପ କିମ୍ବା ଟ୍ରୋଲ ନ କରିବାକୁ ଅନୁରୋଧ କରିଛନ୍ତି ଅନୁଭବ । ଏବେ ପ୍ରଶ୍ନ କେବେ ଶୁଖିବ ଅନୁଭବଙ୍କ ଆଖିରୁ ଲୁହ?