ପ୍ରତ୍ୟାହୃତ ହେଲା ପ୍ରସ୍ତାବିତ ଆଇନ, ଦାବି ଜଣାଇଲେନି ପୁରୀ ବୋହୂ ! ବିଜେପିରେ ଅଲୋଡା ହେଲେଣି କି ଅପରାଜିତା? ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ, ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ’କୁ ସ୍ଥଗିତ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ବିଜେପିର ସାଂସଦ ମାନେ ଭେଟିବା ପରେ ସେମିତି କିଛି ସଂକେତ ମିଳୁଛି । ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅଶ୍ୱିନୀ ବୈଷ୍ଣବ, ସଙ୍ଗୀତା ସିଂହଦେଓ, ନୀତିଶ ଗଙ୍ଗଦେବ ଓ ରାଜ୍ୟସଭା ସାଂସଦ ଥିବା ସୋନାଲ ମାନସିଂହ ଓ ରଘୁନାଥ ମହାପାତ୍ର କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଏହି ବାଇ-ଲ’କୁ ସ୍ଥଗିତ ରଖିବାକୁ ଦାବି ଜଣାଇଥିଲେ । କିନ୍ତୁ ଓଡ଼ିଶାର ହକର ଲଢେଇରେ ଏକାଠି ହେବାକୁ ଆହ୍ୱାନ ଦେଉଥିବା ତଥା ଦିଲ୍ଲୀ ଦରବାରରେ ଦବବଦା ରଖିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀକୁ ଏହି ପ୍ରତିନିଧିମଣ୍ଡଳୀରେ ଦେଖିବାକୁ ମିଳିନଥିଲା । ଆଉ ଅପରାଜିତାଙ୍କ ଅନୁପସ୍ଥିତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ଏଥିପାଇଁ ହେଉଛି କାରଣ ଅପରାଜିତା ହେଉଛନ୍ତି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ବୋହୂ । ଅପରାଜିତା ଭୁବନେଶ୍ୱର ସାଂସଦ ହୋଇପାରନ୍ତି ସତ କିନ୍ତୁ ପୁରୀ ବୋହୂ ହିସାବରେ ଶ୍ରୀମନ୍ଦିରକୁ ନେଇ ଆସିଥିବା ଏହି ବାଇ-ଲ’ ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବା ବେଳେ ତାଙ୍କର ଉପସ୍ଥିତି ରହିବାର ଯଥେଷ୍ଟ ଆବଶ୍ୟକତା ରହିଥିଲା । କିନ୍ତୁ ସେମିତି କିଛି ଦେଖିବାକୁ ମିଳିଲା ନାହିଁ । କୁହାଯାଉଛି ଏହା ପଛର ସବୁଠୁ ବଡ କାରଣ ହେଉଛି ପାୱାର ପଲିଟିକ୍ସ । ଯାହାର ହାୱା ଏବେ ଅପରାଜିତାଙ୍କ ବିପକ୍ଷରେ ପ୍ରବାହ ହେଉଛି ।
ଦିଲ୍ଲୀ ଦରବାରରେ ଦବଦବା ରଖିଥିବା ଅପରାଜିତା ଏବେ ରାଜ୍ୟ ବିଜେପିରେ ନିଜର ସ୍ଥିତି ସୁଦୃଢ କରିବାକୁ ଜୋରଦାର ଉଦ୍ୟମ କରୁଛନ୍ତି । ଦଳୀୟ ସଙ୍ଗଠନକୁ ସାଇଡ କରି ନିଜସ୍ୱ ସମାନ୍ତରଳ ସଙ୍ଗଠନ ମାଧ୍ୟମରେ ରାଜ୍ୟ ବିଜେପିରେ ଦବଦବା ଜାହିର କରିବାକୁ ଚାହୁଁଛନ୍ତି ଅପରାଜିତା । ଯେଉଁଥିପାଇଁ ଅଜିତା,ୟୁଥ୍ ଫର୍ ଆକ୍ସନ ଭଳି ସଙ୍ଗଠନ ଅପରାଜିତାଙ୍କ ଆର୍ଶୀବାଦରୁ ଜନ୍ମ ନେଇଛନ୍ତି । ଆଉ ଏହାରି ମାଧ୍ୟମରେ ଓଡ଼ିଶାରେ ନିଜର ଏକ ବ୍ରାଣ୍ଡ ଭାଲ୍ୟୁ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛନ୍ତି ଅପରାଜିତା । ତେବେ ଅପରାଜିତାଙ୍କ ଏଭଳି ଏକଚାଟିଆ ନିଷ୍ପତ୍ତିକୁ ରାଜ୍ୟ ବିଜେପିର ବଡ ଚେହେରା କୁହାଯାଉଥିବା ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ସହଜରେ ଗ୍ରହଣ କରିପାରୁନାହିଁ । ଯେଉଁଥିପାଇଁ ଏବେ ଅପରାଜିତାଙ୍କୁ ଦଳରେ ପ୍ରଭାବଶୂନ୍ୟ କରିବାକୁ ଧର୍ମେନ୍ଦ୍ର କ୍ୟାମ୍ପ ମେଳି ବାନ୍ଧିଥିବା କୁହାଯାଉଛି ।
ଅପରାଜିତା ବିଜେପିରେ ମିଶିବା, ନିର୍ବାଚନ ଜିତିବା ପରେ ରାଜ୍ୟ ବିଜେପିରେ ପାୱାର ପଲିଟିକ୍ସର ଗେମ୍ ଆରମ୍ଭ ହୋଇଛି । ଉପରକୁ କିଛି ଜଣାପଡୁନଥିଲେ ମଧ୍ୟ ଭିତରେ ଏହା ବେଶ ବିସ୍ଫୋରକ ସ୍ଥିତିର ରୂପ ନେଇଛି । ଯାହାର ଝଲକ ବିଜେପିର ନବନିଯୁକ୍ତ ଓଡ଼ିଶା ପ୍ରଭାରୀ ପୁରେନ୍ଦଶ୍ୱରୀ ଆସିଥିବା ବେଳେ ଦେଖିବାକୁ ମିଳିଥିଲା । ପୁରନ୍ଦେଶ୍ୱରୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ଅପରାଜିତାଙ୍କୁ ତାଙ୍କ ପାଖେ ପାଖେ ଦେଖିବାକୁ ମିଳିଥିଲା । କିନ୍ତୁ ରାଜ୍ୟ ବିଜେପିର ପୋଷ୍ଟରବୟ କୁହାଯାଉଥିବା ଧର୍ମେନ୍ଦ୍ରଙ୍କୁ ସେହି ସମୟରେ ଦେଖିବାକୁ ମିଳିନଥିଲା । ଆଉ ଏହାକୁ ନେଇ ରାଜନୀତି କରିଡରରେ ଚର୍ଚ୍ଚା ହୋଇଥିଲା ଯେ, ଧର୍ମେନ୍ଦ୍ର ଓ ଅପରାଜିତାଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ । ଏହାଛଡା ବିଜେପିର ସମାବେଶରେ ଅପରାଜିତା-ଧର୍ମେନ୍ଦ୍ରଙ୍କୁ ଏକାଠି ଉପସ୍ଥିତ ଥିବାର ଖୁବ୍ କ୍ୱଚିତ ଦେଖିବାକୁ ମିଳିଥାଏ । ଗୋଟିଏ ପଟେ ନିଜସ୍ୱ ସମାନ୍ତରଳ ସଙ୍ଗଠନ ମାଧ୍ୟମରେ ବିଜେପି ରାଜନୀତିରେ ବଡ଼ ଚେହେରା ଭାବେ ଉଭା ହେବାକୁ ଅପରାଜିତା ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ପାୱାର ପଲିଟିକ୍ସର ଏହି ଖେଳରେ ଅପରାଜିତାଙ୍କୁ ଘେରିବାକୁ ଦିଲ୍ଲୀ ଦରବାରରୁ ମେଳି ବାନ୍ଧିଲେଣି ଧର୍ମେନ୍ଦ୍ର । ଯାହାର ଝଲକ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବା ବେଳେ ଦେଖିବାକୁ ମିଳିଛି ।