ଅପରାଜିତାଙ୍କୁ ଅନୁମତି ଦେଉଛି କିଏ?

ସଭା ହେଉଛି, ସାମାଜିକ ଦୂରତା ରହୁନି । ମୁହଁରେ ମାସ୍କ ଦେବା ତ ଦୂରର କଥା କୋଭିଡ ନିୟମକୁ ଫୁ କରି ଉଡାଇ ଦିଆଯାଉଛି । କିନ୍ତୁ ଏସବୁକୁ ଅନୁମତି କିଏ ଦେଉଛି? ଆଉ ତାହା ବି ପୁଣି ରାଜଧାନୀର ଛାତି ଉପରେ । କିଛି ଏଭଳି ଚିତ୍ର ଦୀର୍ଘ ଦିନ ହେବ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଆଉ ଏଭଳି ସଭା କରୁଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ନା କାହାକୁ ପରବାଏ ଅଛି ନା କୋଭିଡ ଆଇନ ଉଲ୍ଲଂଘନ କରୁଥିବାରୁ ମନରେ ଅନୁଶୋଚନା ।

ଅମାନିଆ ଅପରାଜିତା । ଏକଥା ଆମେ ଏଥିପାଇଁ କହୁଛୁ କାରଣ ମହାମାରୀ ସମୟରେ ସବୁଠୁ ଅଧିକଥର କୋଭିଡ ଗାଇଡଲାଇନ ଉଲ୍ଲଂଘନ କରୁଥିବାର ଯଦି ତାଲିକା ପ୍ରସ୍ତୁୂତ କରାଯାଏ ତେବେ ଅପରାଜିତାଙ୍କ ନାଁ ଶୀର୍ଷରେ ରହିବ । ଓଡ଼ିଆରେ ଏକ ଲୋକକଥା ରହିଛି କିଛି ଲୋକ ମନ୍ଦିର ତୋଳି ନାଁ କରନ୍ତି ତ ଆଉ କିଛି ଲୋକ ବାଟରେ …? ଆଉ ଅପରାଜିତାଙ୍କ କ୍ଷେତ୍ରରେ ଏହି ଉକ୍ତିଟି ବେଶ ଗ୍ରହଣୀୟ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟ ପ୍ରଶାସନ ବାରମ୍ବାର କୋଭିଡ ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦେଉଥିବା ବେଳେ ଅପରାଜିତା କିନ୍ତୁ ବେଫିକର । ନିୟମ ମାନିବେନି କି ସଭାସମିତି ବନ୍ଦ କରିବେନି, ଅପରାଜିତା ଯେମିତି ଏଭଳି କିଛି ପଣ କରିଛନ୍ତି ।

କରୋନା ସଂକ୍ରମଣ ଟିକିଏ କମୁ କମୁ ପୁଣି ସଭା ସମିତି ଆରମ୍ଭ କରିଦେଲେଣି ଅପରାଜିତା । ଆଉ ଏହି ସଭା ଗୁଡିକରେ କୋଭିଡ ଗାଇଡଲାଇନର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି । କେତେବେଳେ ରାସ୍ତା ଉପରେ ଲୋକଙ୍କୁ ଏକାଠି କରୁଛନ୍ତି ତ ପୁଣି କେତେବେଳେ ବନ୍ଦ କୋଠରୀରେ ସଭା ସମିତି କରିବାକୁ ପଛାଉନାହାନ୍ତି ଅପରାଜିତା । କୋଭିଡ ନିୟମ ଭାଙ୍ଗିବାକୁ ସତେଯେପରି ଏକ ଅଭ୍ୟାସରେ ପରିଣତ କରି ସାରିଲେଣି ଅପରାଜିତା । ଆଉ ଏଭଳି କରି କେବଳ ଯେ ଲୋକଙ୍କ ଜୀବନକୁ ସଙ୍କଟରେ ପକାଉଛନ୍ତି ତାହା ନୁହେଁ ବରଂ ଯେପରି ବିଏମସି ଓ ପୋଲିସ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଭୁବନେଶ୍ୱର ସାଂସଦ ।

କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଅପରାଜିତାଙ୍କୁ ଏଭଳି ସଭାସମିତି କରିବାକୁ କିଏ ଅନୁମତି ଦେଉଛି? ରାଜ୍ୟ ସରକାରଙ୍କ କାଟାଗୋରୀ ବି ଜିଲ୍ଳା ଭିତରେ ଖୋର୍ଦ୍ଧା ରହିଛି । ତେଣୁ ଭୁବନେଶ୍ୱରରେ ସଭାସମିତି ଉପରେ କଡା କଟକଣା ଲଗାଯାଇଛି, ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଉଛି । ଏପରିକି ସାଧାରଣ ଲୋକଟିଏ କରୋନା ନିୟମର ଉଲ୍ଳଂଘନ କଲେ ଫାଇନ କଟାଯାଉଛି, ବଡ ବଡ ମାର୍କେଟ ଓ ଦୋକାନ ସିଲ ହେଉଛି । ଏପରିକି ଲୁଚାଇକି ଯଦି କେହି କିଛି ବେପାର କରୁଛି ତେବେ ତାହା ଦୋକାନରେ ତାଲା ଝୁଲାଇ ଦିଆଯାଉଛି । କାରଣ କାଳେ ସଂକ୍ରମଣ ବ୍ୟାପିବ ସେଥିପାଇଁ ବିଏମସି ଓ ପୋଲିସ ପ୍ରଶାସନ ପକ୍ଷରୁ ଏଭଳି କାର୍ୟ୍ୟାନୁଷ୍ଠାନ ନିଆଯାଉଛି । କିନ୍ତୁ ଅପରାଜିତା କରୁଥିବା ସଭା ବାବଦରେ ଗଣମାଧ୍ୟମରେ ଖବର ବାଜୁଛି, ହେଲେ ଏହାସତ୍ତ୍ୱେ ମଧ୍ୟ ବିଏମସି ଯେପରି ଆଖି ବୁଜି ଦେଇଛି । କାର୍ୟ୍ୟାନୁଷ୍ଠାନ ନେବା ତ ଦୂରର କଥା ଫାଇନ କାଟିବାକୁ ଯେପରି ସାହସ ଜୁଟାଇ ପାରୁନି ବିଏମସି । ଆଉ ବିଏମସିର ଏଭଳି ଦୋମୁହାଁ ନୀତିକୁ ନେଇ ଲୋକ ମଧ୍ୟ ପ୍ରଶ୍ନ ଉଠାଇଲେଣି । ନେତାଙ୍କ ପାଇଁ କଣ ଗୋଟିଏ ନିୟମ ଓ ସାଧାରଣ ଜନତାଙ୍କ ପାଇଁ କଣ ଅଲଗା ନିୟମ?

Comments (0)
Add Comment