ଜିଦରେ ଅଟଳ ଦୁଇ ଦଳ : ‘କ୍ଷମା’ ରାଜନୀତିରେ କିଏ ସଫଳ, କିଏ ବିଫଳ?

ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । କାରଣ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଏଯାଏଁ ଗୋଟିଏ ମିନିଟ୍ ପାଇଁ ମଧ୍ୟ ଚାଲିପାରିନି ଗୃହକାର୍ଯ୍ୟ । ମୁଲତବିରୁ ଦିନ ଆରମ୍ଭ ହୋଇ ମୁଲତବିରେ ଗୃହକାର୍ଯ୍ୟ ଶେଷ ହେଉଛି । କିନ୍ତୁ ଏଯାଏଁ ସ୍ୱାଭାବିକ ଅବସ୍ଥାକୁ ଫେରିପାରୁନି ଗୃହ । ଆଉ ଏଥିପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ଦାୟୀ ବୋଲି ଆମେ କହିପାରିବା । କିନ୍ତୁ ଏହି ହଟ୍ଟଗୋଳ ଭିତରେ କେତେବେଳେ ଯେ ମୁଖ୍ୟ ପ୍ରସଙ୍ଗ ବାଟବଣା ହୋଇଯାଉଛି ସେଥିପ୍ରତି ଯେମିତି କାହାର ନିଘା ନାହିଁ । ଉଭୟ ଦଳର ଜିଦ୍ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସେହିଭଳି ନାଲିଫିତା ତଳେ ଚାପି ହୋଇ ରହୁଛି ।

ରାଜ୍ୟରେ ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ଲଗାତାର ହଟ୍ଟଗୋଳ କରି ଆସୁଥିଲା ବିରୋଧୀ ବିଜେପି । ଦାବି ରହିଥିଲା ଚାଷୀଙ୍କ ଧାନ ସରକାର କିଣନ୍ତୁ । ପୂର୍ବରୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହାକୁ ପାଳନ ନ କରିବାରୁ ଶେଷରେ ଗୃହ ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦେଓଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ଚାଷୀ ମଣ୍ଡି ପ୍ରସଙ୍ଗରେ ବିଧାନସଭାରେ ବ୍ୟାକଫୁଟକୁ ବିଜେଡି ଚାଲି ଯାଇଥିବା ବେଳେ ସୁବାସଙ୍କ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ବିଜେଡି ପାଇଁ ଆର୍ଶୀବାଦ ସାଜିଥିଲା ।ବିରୋଧୀଙ୍କୁ ଟ୍ୟାକେଲ କରିବାକୁ ବାଟ ପାଉନଥିବା ବିଜେଡି ପାଇଁ ଗୃହ ଭିତରେ ସୁବାସଙ୍କ ଏଭଳି ପଦକ୍ଷେପ ଶାସକ ଦଳ ପାଇଁ ନୂଆ ମୁଦ୍ଦା ଛିଡା କରିଥିଲା । ଆତ୍ମହତ୍ୟା ଉଦ୍ୟମ କରି ଗୃହର ମର୍ଯ୍ୟାଦା କ୍ଷୂର୍ଣ୍ଣ କରିଥିବାରୁ ସୁବାସ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲା ବିଜେଡି । ଏପରିକି ସୁବାସ କ୍ଷମା ନ ମାଗିଲା ଯାଏଁ ଗୃହ ଚଳାଇ ଦିଆଯିବନି ବୋଲି ରୋକଠୋକ କହିଥିଲେ ବିଜେଡି ବିଧାୟକ । ଆଉ ଏଇଠୁ ଆରମ୍ଭ ହୋଇଥିଲା ‘କ୍ଷମା’ ରାଜନୀତି ଲଢେଇ । ବିଜେଡି ସୁବାସଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିବା ବେଳେ ସୁବାସଙ୍କ ସମର୍ଥନରେ ବାହାରିଛି ବିଜେପି । ସୁବାସ କାହିଁକି କ୍ଷମା ପ୍ରାର୍ଥନା କରିବେ ବୋଲି ବିଜେଡିକୁ ପ୍ରଶ୍ନ କରିଛି । ଆଉ ଉଭୟ ଦଳର ଜିଦ୍ ଓ ଆତ୍ମବଡିମା ଆଢୁଆଳରେ ଲୁଚିଯାଇଛି ଚାଷୀଙ୍କ ‘ସ୍ୱପ୍ନ ଓ ହକ’ର ଲଢେଇ । ମୂଳ ପ୍ରସଙ୍ଗରୁ ମୁହଁ ମୋଡିଦେଇ ଏବେ କିଏ କ୍ଷମା ମାଗିବ ତାକୁ ନେଇ ଉଭୟ ଦଳ ମଧ୍ୟରେ ଲଢେଇ ଆରମ୍ଭ ହୋଇଛି ।

ଚାଷୀଙ୍କ ହକ ପାଇଁ ଉଭୟ ବିଜେଡି-ବିଜେପି ଲଢେଇ କରୁଥିବା ନେଇ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଏବେ ବିଧାନସଭାରେ ଚାଷୀ ପ୍ରସଙ୍ଗ ଅପେକ୍ଷା କ୍ଷମା ରାଜନୀତି ଉଭୟ ଦଳ ପାଇଁ ଅଧିକ ଗୁରୁତ୍ୱ ରଖୁଥିବା ଦେଖିବାକୁ ମିଳୁଛି । ଯଦି ଏହା ସତ ନୁହେଁ ତେବେ ଯେକୌଣସି ଗୋଟିଏ ଦଳ ପକ୍ଷରୁ କ୍ଷମା ପ୍ରାର୍ଥନା କରି ଗୃହକୁ ସ୍ୱାଭାବିକ କରିବାକୁ କାହିଁକି ଉଦ୍ୟମ କରାଯାଉନାହିଁ? ଯଦି ଚାଷୀଙ୍କ ପ୍ରତି ଏତେ ଦରଦ ରହିଛି ତେବେ ବିଜେଡି ସୁବାସଙ୍କ କ୍ଷମା ପ୍ରାର୍ଥନା ଦାବିରୁ ଓହରି ପୁଣିଥରେ ଶାନ୍ତିଶୃ୍‌ଙ୍ଖଳାରେ ଗୃହକାର୍ଯ୍ୟ ଚଳାଇବାକୁ କାହିଁକି ଆଗଭର ହେଉନାହିଁ? ନା ଚାଷୀ ପ୍ରସଙ୍ଗକୁ ସାମ୍ନାକୁ କରିବାକୁ ଶାସକ ଦଳ ପାଖରେ ସାହସ ନାହିଁ । ଅନୁରୂପ ଭାବେ ଚାଷୀଙ୍କୁ ହକ୍ ଦେବାକୁ ବିଜେପି ସତରେ ଚାହୁଁଛି ତେବେ ସୁବାସଙ୍କ କ୍ଷମାପ୍ରାର୍ଥନା ସହ ଗୃହକୁ ସ୍ୱାଭାବିକ କରିବାକୁ କାହିଁକି ଆଗେଇ ଆସୁନି । ସାଧାରଣତଃ ଆତ୍ମହତ୍ୟା ଉଦ୍ୟମ ଏକ ଅପରାଧ ବୋଲି ବିବେଚନା କରାଯାଏ । ତେଣୁ ଯେତେବେଳେ ସୁବାସ ସର୍ବସାଧାରଣରେ ଅପରାଧ କରିଛନ୍ତି ସେଠାରେ କ୍ଷମା ମାଗିବାରେ ଅସୁବିଧା ବା କେଉଁଠି? କ୍ଷମା ପ୍ରାର୍ଥନା ବଦଳରେ ସୁବାସଙ୍କୁ ସମର୍ଥନ ଦେଇ ବିଜେପି କଣ ବାର୍ତ୍ତା ଦେବାକୁ ଚାହୁଁଛି? ଏଭଳି କରି ଚାଷୀଙ୍କ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦୁନି କି ବିଜେପି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ବାସ୍ତବରେ ବିଧାନସଭାରେ ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ଦୁଇ ଦଳ ଆଲୋଚନା କରିବାକୁ ଚାହୁଁଛନ୍ତି ନା ହଟ୍ଟଗୋଳ ବାହାନାରେ ଚାଷୀ ପ୍ରସଙ୍ଗରୁ ନଜର ହଟାଇବାକୁ ଚେଷ୍ଟା କରାଯାଉଛି ।

Comments (0)
Add Comment