ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରୱାଣେ ଶୁକ୍ରବାର ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି । ଯେଉଁଠି ସେ ସୁରକ୍ଷା ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ଭାରତ-ଚୀନ ସୀମାରେ ସୁଧୁରୁଛି ସ୍ଥିତି । ଗତ ୬ମାସ ହେଲା ସ୍ଥିତି ସ୍ୱାଭାବିକ ହେଉଛି । ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ଏଯାବତ୍ ୧୨ ଥର ଆଲୋଚନା ହୋଇଥିବା ବେଳେ ଆସନ୍ତା ସପ୍ତାହରେ ପରବର୍ତ୍ତୀ ପର୍ୟ୍ୟାୟ ମଧ୍ୟ ଆଲୋଚନା ହେବ ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ. ନରୱାଣେ କହିଛନ୍ତି ।
ସେପଟେ କିନ୍ତୁ ଇଷ୍ଟର୍ଣ୍ଣ ଲଦାଖ ଓ ନର୍ଥର୍ଣ୍ଣ ଫ୍ରଣ୍ଟରେ ଏଲ୍ଏସି ଆରପଟେ ଚୀନର ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ ଓ ଭିତ୍ତିଭୂମି ନିର୍ମାଣକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି ସ୍ଥିତି ନେଇ ନିୟମିତ ଅନୁଧ୍ୟାନ କରାଯାଉଛି । ଆବଶ୍ୟକ ପଡ଼ିଲେ ଭାରତ ପକ୍ଷରୁ ସେଠାରେ ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ କରାଯିବ । ଏବେ ଭାରତୀୟ ଯବାନମାନେ ସେଠାରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଭାରତୀୟ ସେନା ମଧ୍ୟ ଆଧୁନିକ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛି । ବର୍ତ୍ତମାନ ପରିସ୍ଥିତିରେ ଭାରତୀୟ ସେନା ଯେ କୌଣସି ଚ୍ୟାଲେଂଜର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ବୋଲି ଲଦାଖ ଗସ୍ତ ଅବସରରେ ସ୍ଥଳସେନା ମୁଖ୍ୟ ଏମ.ଏମ. ନରୱାଣେ କହିଛନ୍ତି ।
ତା ସହିତ ନରୱାଣେ ଆହୁରି ମଧ୍ୟ କହିଛନ୍ତି ଯେ, ଚୀନ ନିଜ ସୀମା ପାଖରେ ଏବେ ନିର୍ମାଣ କାମ ଜାରି ରଖିଛି । ଯାହାକି ଆମ ପାଇଁ ଚିନ୍ତାର ବିଷୟ । ହେଲେ ସବୁ ପରିସ୍ଥିତିର ସମ୍ମୁଖୀନ ହେବାକୁ ଭାରତୀୟ ସେନା ପ୍ରସ୍ତୁତ ବୋଲି ସେ କହିଛନ୍ତି । ତା ସହିତ ପାକିସ୍ତାନ ସୀମାରେ ମଧ୍ୟ ସ୍ଥିତି ଠିକ୍ ରହିଛି , ହେଲେ ଗତ କିଛି ଦିନ ହେଲା ସୀମାରେ ଅନୁପ୍ରବେଶ ଜାରି ରହିଛି । ଏହାକୁ ରୋକିବାକୁ ସେନା ଜୋରଦାର ଉଦ୍ୟମ କରୁଛି ବୋଲି ସେନା ମୁଖ୍ୟ ସୂଚନା ଦେଇଛନ୍ତି ।