‘ପରୀ’ ପାଇଁ ସରକାରଙ୍କ ବୋଥ୍ରା ବ୍ରହ୍ମାସ୍ତ୍ର


ବୋଥ୍ରାଙ୍କ କାନ୍ଧରେ ପରୀ ବନ୍ଧୁକ । ପରୀ ପିଶାଚକୁ ଧରିବାକୁ ସିଙ୍ଘମ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ହାତରେ ବନ୍ଧୁକ ଧରାଇଛନ୍ତି ରାଜ୍ୟ ସରକାର । ପରୀ ପାଇଁ ଯେତେବେଳେ ସରକାରଙ୍କୁ ଦୀର୍ଘ ୧୦ ଦିନ ହେବ ବାରମ୍ବାର ଘେରୁଛନ୍ତି ବିରୋଧୀ । ଆଉ ନବୀନଙ୍କ ଶାସନରେ ନାବାଳିକାକୁ ନ୍ୟାୟ ନାହିଁ ବୋଲି ନାରା ଦେଇ ଯେତେବେଳେ ରାଜ୍ୟ ସରକାରଙ୍କୁ ହରଡଘଣାରେ ପକାଉଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଠିକ ସେତିକି ବେଳେ ଘଟଣାକୁ ଗୁରୁତର ସହ ନେଇ ସମ୍ବେଦନଶୀଳ ପ୍ରସଙ୍ଗର ପ୍ରକୃତ ସୈତାନକୁ ଖୋଜିବାକୁ ସରକାର ପୁଣି ବୋଥ୍ରାଙ୍କୁ ବିଶ୍ୱାସ କରିଛନ୍ତି । ଅଫିସର ଅରୁଣଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସଆଇଟିର ମୁଖ୍ୟ କରିଛନ୍ତି । ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ରହସ୍ୟ ପେଡି ଖୋଲିଥିବା ଏହି ବିଚକ୍ଷଣ ବୁଦ୍ଧି ଥିବା ଅଫିସରଙ୍କୁ ନୟାଗଡର ନିଆଁ ଲିଭାଇ ପରୀକୁ ନ୍ୟାୟ ଦେବାକୁ ସରକାର ଘୋଷଣା କରିଛନ୍ତି ।

ନୟାଗଡ ଯଦୁପୁର ଗାଁର ୫ ବର୍ଷର କୁନି ଝିଅ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ତାକୁ କେହି ଅପହରଣ କରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ପରୀ ମୃତ୍ୟୁ ଘଟଣାକୁ ଇତି ମଧ୍ୟରେ ୪ ମାସ ବିତି ଯାଇଥିଲେ ବି ପୋଲିସ ମାମଲାକୁ ଗୁରୁତର ସହ ନେଉନଥିଲା । ଗରିବର ଝିଅ ବୋଲି ପୋଲିସ ଗୁହାରୀ ଶୁଣୁନଥିବା ବାପାମାଆ ଅଭିଯୋଗ କରି କରି ଶେଷରେ ନ୍ୟାୟ ପାଇଁ ଆସିଥିଲେ ନବୀନଙ୍କ ଶାସନ କଳ ପାଖକୁ । ବିଧାନସଭା ଚାଲିଥିବା ବେଳେ ଝିଅ ହତ୍ୟାକାରୀକୁ ଧରିବା ଦାବିରେ ଆତ୍ମାହୁତି ଉଦ୍ୟମ କରିଥିଲେ ପରୀର ବାପାମାଆ । ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେବା ପରେ ନିଆଁରେ ଘିଅ ଢାଳିବାକୁ ଧାଇଁ ଆସିଥିଲେ ବିରୋଧୀ । ଆଉ ଗତ କିଛି ଦିନ ହେବ ସରକାରଙ୍କୁ ସେହି ପରୀ ଇସ୍ୟୁରେ ଅଣନିଶ୍ୱାସୀ କରି ପକାଇଲେଣି ବିରୋଧୀ । ସେପଟେ ଖାଲି ବିରୋଧୀ ନୁହେଁ ସାରା ରାଜ୍ୟରେ ବି ଅରୁଣଙ୍କ ଇସ୍ତଫା ଦାବି ତୀବ୍ର ହେଲାଣି ।

ଯେତେବେଳେ ସରକାର ବିରୋଧୀ ସରରେ ଆକ୍ତାମାକ୍ତା ହେଲେ ସେତେବେଳେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ କାନ୍ଧକୁ ଭାର ଦେଲେ ମାତ୍ର ତଦନ୍ତରେ ଏପଟ ସେପଟ ହେବା ଆଶଙ୍କାରେ ପୁଣି ଯେବେ ବିରୋଧୀ ଘେରିଲେ ସେବେ ଖୋଦ ମୁଖ୍ୟମନ୍ତ୍ରୀ ତଦନ୍ତ ପାଇଁ ଏସଆଇଟି ଗଠନ ପାଇଁ ନିର୍ଦ୍ଦେଶ ଦେଲେ । ଆଉ ଏବେ ଜଘଣ୍ୟ ଅପରାଧ, ସରକାରଙ୍କ ପାଇଁ ଜଟିଳ ଗଣିତର ସରଳ ସମାଧାନ ପାଇଁ ସାଧା ବର୍ଦ୍ଦିର ସଚ୍ଚୋଟ ଅଫିସର ଅରୁଣଙ୍କୁ ଆବାହନ କଲେ ସରକାର ।

ଯଦିଓ ପାଟଣାଗଡ ଭଳି ସସପେନ୍ସ ଷ୍ଟୋରୀର ସତ ସେ ସାମ୍ନାକୁ ଆଣିଥିଲେ । ସାରଥୀର କଳା ସାମ୍ରାଜ୍ୟର କାରନାମା ପଦାକୁ ଆଣି ସମସ୍ତଙ୍କ ବିଶ୍ୱାସ ଜିଣିଥିଲେ ବୋଥ୍ରା । ଆଉ ସେହି ଅଭିଜ୍ଞତା ପାଇଁ ତାଙ୍କୁ ପୁଣି ପରୀ ପେଡି ଖୋଲିବାକୁ ଦିଆଯାଇଛି । କିନ୍ତୁ ପାଟଣାଗଡ ଭଳି ପରୀ ପ୍ରସଙ୍ଗରେ ପିଶାଚ ପେଡି ଖୋଲିବା ବୋଥ୍ରାଙ୍କ ପାଇଁ ଏତେ ସହଜ ହେବନି । କାପଣ ପାଟଣାଗଡ ମାମଲାରେ କୌଣସିି ସରକାରୀ ଲିଙ୍କ ନଥିଲା । ପାରିବାରିକ ଓ କ୍ଷମତା ଲୋଭରୁ ଏମିତି ଲୋମଟାଙ୍କୁରା ହତ୍ୟା ହୋଇଥିବାରୁ ତାର ମାଷ୍ଟରମାଇଣ୍ଡଙ୍କୁ ଧରିବାରେ ବୋଥ୍ରା ବ୍ରହ୍ମାସ୍ତ୍ର ପ୍ରୟୋଗ କରି ସୈତାନ ପୁଞ୍ଜିଲାଲକୁ ବାନ୍ଧିଥିଲେ । କିନ୍ତୁ ପରୀ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ଲିଙ୍କ ଥିବା ବାପାମାଆ ଅଭିଯୋଗ କରୁଛନ୍ତି ।

ଯଦି ଅରୁଣଙ୍କ ଲିଙ୍କ ଥିବ ତେବେ ଅରୁଣ ଗଡରେ ଅଭିମନ୍ୟୁ ଚକ୍ରବ୍ୟୁହ ଭେଦି ଅସଲ ସତ କାଢିବା ଅରୁଣଙ୍କ ପାଇଁ ଅସମ୍ଭବ ହୋଇପାରେ । ତେବେ ଏଭଳି ପରିସ୍ଥିତିରେ ବୋଥ୍ରାଙ୍କ ତଦନ୍ତଙ୍କୁ ନେଇ ଅନେକ ପ୍ରଶ୍ନ ଉଠୁଛି କି, ବୋଥ୍ରା ସତରେ ସତ ପାଖରେ ପହଞ୍ଚି ସୈତାନକୁ ଧରି ପାରିବେ ତ ନା ସରକାରୀ ଚାପରେ ସୈତାନକୁ ଛାଡିଦେଇ ପରିବାର ଆଖିରେ ନିରାଶାର ନଈ ଖୋଳି ଦେବେ । କାରଣ ଅରୁଣ ବୋଥ୍ରାଙ୍କ ନାଁ ଘୋଷଣା ପରେ ପରୀ ପରିବାର ଆଖିରେ ଆଶା ଫେରିଛି କି, ନା ଡେରି ହେଉ ପଛେ ଆମ ଝିଅକୁ ନ୍ୟାୟ ମିଳିବ, ପିଶାଚକୁ ଫାଶୀ ହେବ । ଆଉ ନିରିହ ବାପାମାଆଙ୍କ ଏହି ବିଶ୍ୱାସକୁ ବଜାୟ ରଖିବେ ତ ବୋଥ୍ରା । ନା ସରକାରୀ ଚାପରେ ପ୍ରକୃତ ଅଭିଯୁକ୍ତକୁ ଦେଖି ଆଖି ବୁଜିଦେବେ ଅରୁଣ ବୋଥ୍ରା । ତାହା ସମୟ ହିଁ କହିବ, ପରୀ ଉପରେ ଥାଇ ଦେଖିବ…

Comments (0)
Add Comment