ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ବିଜେଡି ନେତା ତଥା ୨୦୧୯ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରେ ପରାଜିତ ପ୍ରାର୍ଥୀ ଅରୁପ ପଟ୍ଟନାୟକ ରଖିଥିବା ବୟାନ ବେଶ ବିବାଦୀୟ ଏବଂ ବିତର୍କିତ ମଧ୍ୟ ହୋଇଛି । ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ପଂଚାମ ପାଳିରେ ମୁଖ୍ୟମନ୍ତ୍ରୀ ନେଇଥିବା ସବୁଠାରୁ ବଡ ନିଷ୍ପତ୍ତି ହେଉଛି ମୋ ସରକାର । ହେଲେ ଏହାର କାର୍ଯ୍ୟକାରୀତା ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି ଅରୁପ ପଟ୍ଟନାୟକ । ବିଜୁ ଜନତା ଦଳ ତରଫରୁ ଗଠିତ ଓଡିଶା ମୋ ପରିବାର ଦାୟିତ୍ୱରେ ଥିବା ଏହି ପୂର୍ବତନ ପ୍ରଶାସନିକ ଅଧିକାରୀ କିଛି ଏଭଳି ବୟାନ ଦେଇଛନ୍ତି ଯାହା ମୋ ସରକାରର କାର୍ଯ୍ୟକାରୀତା ଉପରେ ସନ୍ଦେହ ସୃଷ୍ଟି କରିଛି ।
ମୋ ସରକାରର କାର୍ଯ୍ୟକାରୀତା ସମୟରେ ଯେଉଁ ଦୁଇଟି ସ୍ଥାନର ଉଦାହରଣ ଦିଆଯାଇଥିଲା, ତାହା ହେଉଛି ହସ୍ପିଟାଲ ଏବଂ ପୋଲିସ ଥାନା । ଜଣେ ରୋଗୀ ଡାକ୍ତରଖାନା ଗଲେ କିଭଳି ବିନା କୈାଣସି ଅସୁବିଧାରେ ଚିକିତ୍ସା ପାଇବ ଏବଂ ଥାନାକୁ ଗଲେ ଜଣେ ଅଧିକାରୀ ଜଣଙ୍କୁ ଭଲ ବ୍ୟଭହାର ଦେଖାଇବେ ସେନେଇ ବ୍ୟାଖା କରାଯାଇଥିଲା । ନିଜେ ୫-ଟି ସଚିବ ଭି. କେ. ପାଣ୍ଡିଆନ କହିଥିଲେ ପ୍ରାଥମିକ ପର୍ଯ୍ୟାୟରେ କାହିଁକି ଡାକ୍ତରଖାନା ଏବଂ ଥାନାକୁ ବଛାଯାଇଥିଲା । ଲୋକଙ୍କ ଦୃଷ୍ଟିକୋଣରୁ ସରକାରଙ୍କୁ ସେମାନଙ୍କ ନିକଟରେ ପହଁଚାଯାଇପାରିବ, ତାକୁ ଆଖି ଆଗରେ ରଖି ଏହାକୁ ରୋଲ୍ ଆଉଟ୍ କରାଯାଇଥିଲା । ହେଲେ ଏହାର ବର୍ଷ କେଇଟା ନପୁରୁଣୁ ପୂର୍ବତନ ପୋଲିସ ବାବୁ ମୋ ସରକାରର କାର୍ଯ୍ୟକାରୀତା ଉପରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି ।
ଅରୁପ ପଟ୍ଟନାୟକ କହିଛନ୍ତି, ଡାକ୍ତରଖାନା ଏବଂ ଥାନାରେ ଚିହ୍ନା ନଥିଲେ ଜଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଥାନାକୁ ଅଭିଯୋଗ ନେଇ ଗଲେ ବନ୍ଦୀ ହେବାର ସମ୍ଭାବନା ଏବଂ ଡାକ୍ତରଖାନାକୁ ଚିହ୍ନା ନଥାଇ ଗଲେ ଗୋଟିଏ ଗୋଡରେ ଅପରେସନ ହେବାକୁ ଥିଲେ ଅନ୍ୟ ଗୋଡରେ ଅପରେସନ ହୋଇଯିବ । କହିବାର ତାତ୍ପର୍ଯ୍ୟ ଥିଲା ଉଭୟ ସ୍ଥାନରେ ଆପଣଙ୍କର ଚିହ୍ନା ଜଣା ଥିବା ନିହାତି ଦରକାର । ନହେଲେ ଆପଣ ସଠିକ ସେବା ପାଇବାରୁ ବଂଚିତ ହେବେ । ତେଣୁ ସବୁ ଡାକ୍ତରଖାନାରେ ଓଡିଶା-ମୋ ପରିବାରର ହେଲ୍ପ ଡେସ୍କ ସ୍ଥାପନ ହେବ । ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଏହା କାର୍ଯ୍ୟ କରିବ ।
ହେଲେ ଯେଉଁ ଦିଗଟି ବିତର୍କ ତିଆରି କରୁଛି ତାହା ହେଲା, ଯଦି ମୋ ସରକାର ସଠିକ ଭାବେ କାର୍ଯ୍ୟ କରୁଥାନ୍ତା ତେବେ ମୋ ପରିବାରର ହେଲ୍ପ ଡେସ୍କର ଆରବଶ୍ୟକତା ପଡନ୍ତା କି? ଅରୁପ ପଟ୍ଟନାୟକ କଣ ଜାଣିନାହାନ୍ତି ମୋ ସରକାର କିଭଳି କାର୍ଯ୍ୟ କରୁଛି ଏବଂ ଏହା ପଛର ଉଦ୍ଦେଶ୍ୟ କଣ? ମୋ ପରିବାରକୁ ପ୍ରମୋଟ କରିବାକୁ ଯାଇ ଏଭଳି ବୟାନ ଦେଇନାହାନ୍ତି ତ ଅରୁପ୍? ନା ନିଜ ଅଭିଜ୍ଞତାରୁ ଅରୁପ ପଟ୍ଟନାୟକ ଦେଖୁଛନ୍ତି, ମୋ ସରକାର କେବଳ ଘୋଷଣାରେ ସୀମିତ ରହିଛି?