ଜେଲରୁ ବେଲ୍ । ଶେଷରେ ବଲିଉଡ୍ ଅଭିନେତା ଶାହାରୁଖ୍ ଖାନଙ୍କ ପୁଅ ଆରୟନ ଖାନଙ୍କୁ ମିଳିଛି ଜାମିନ୍ । ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଆରୟନଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ଆଜି କିନ୍ତୁ ଶାହାରୁଖଙ୍କ ପୁଅକୁ ଜେଲରେ ରହିବାକୁ ପଡିବ ।
ଆସନ୍ତାକାଲି ସେ ଜେଲରୁ ମୁକୁଳିବା ନେଇ ଖବର ମିଳୁଛି । ଆରୟନ ଖାନଙ୍କୁ ଜାମିନ୍ ମିଳିଥିଲେ ବି, କୋର୍ଟ ଆସନ୍ତାକାଲି ବେଲ୍ ଡିଟେଲ୍ସ ଅର୍ଡର ଜାରି କରିବେ । ତେଣୁ ଆସନ୍ତାକାଲି ଆରୟନ୍ ‘ମନ୍ନତ’କୁ ଫେରିବେ ବୋଲି ଆଶା କରାଯାଉଛି ।
ଅକ୍ଟୋବର ୨ ତାରିଖରେ ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କ୍ରୁଜ୍ ସିପ ଉପରେ ଏନସିବିର ଏକ ଟିମ୍ ରେଡ୍ କରିଥିଲା । ଯେଉଁଥିରେ ଏନସିବି ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ୍, ଅରବାଜ ମର୍ଚାଣ୍ଟ ଓ ମୁନମୁନ୍ ଧମେଚା ସମେତ ଆଠ ଜଣ ଲୋକଙ୍କ ନିଜ ହେପାଜତକୁ ନେଇଥିଲା । ଅକ୍ଟୋବର ୩ ତାରିଖରେ ଏହି ମାମଲାରେ ଏନସିବି ଆରୟନ ଖାନ୍, ଅରବାଜ ମର୍ଚାଣ୍ଟ ଓ ମୁନମୁନ୍ ଧମେଚାଙ୍କୁ ଗିରଫ କରିଥିଲା । ଗିରଫ ପରେ ଏହି ତିନି ଜଣଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଅକ୍ଟୋବର ୪ ତାରିଖରେ ଆରୟନଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା । ଏନସିବି ତରଫରୁ ଓକିଲ ଅନୀଲ ସିଂହ କୋର୍ଟରେ ସବୁ ଅଭିଯୁକ୍ତଙ୍କୁ ୧୧ ଅକ୍ଟୋବର ପର୍ୟ୍ୟନ୍ତ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ । ଏହି ସମୟରେ ସେ କହିଥିଲେ ଯେ, ଆରୟନଙ୍କ ଫୋନରୁ କିଛି ଏଭଳି ଲିଙ୍କ୍ ମିଳିଛି, ଯାହାକି ଏହି ଡ୍ରଗ୍ସ କେସରେ ଇଣ୍ଟରନ୍ୟାସନାଲ ରାକେଟ ସାମିଲ ଥିବା ସୂଚନା ଦେଉଛି ।
ଏହାପରେ ଆରୋପୀମାନଙ୍କୁ ଅକ୍ଟୋବର ୭ ତାରିଖ ଯାଏଁ ଏନସିବି ରିମାଣ୍ଡରେ ନେଇଥିଲା ।ଅକ୍ଟୋବର ୭ ତାରିଖ ପର୍ୟ୍ୟନ୍ତ ଏନସିିବି ରିମାଣ୍ଡରେ ରହିବା ପରେ ଆରୟନ ଖାନ୍, ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା । ଯେଉଁଠି ତାଙ୍କୁ ପୁଣି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।
ଅକ୍ଟୋବର ୮ ତାରିଖରେ ଆରୟନ ଖାନଙ୍କୁ ଜାମିନ୍ ଆବେଦନ ନେଇ ଶୁଣାଣି ଆରମ୍ଭ ହୋଇଥିଲା । କୋର୍ଟ କହିଥିଲେ, ଏହି ମାମଲାର ଶୁଣାଣି ସ୍ପେଶାଲ ଏନଡିପିଏସ୍ କୋର୍ଟରେ ହେବ । ଯାହା ପରେ ଆରୟନ ଖାନ ସମେତ ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଆର୍ଥର ରୋଡ ଜେଲକୁ ସ୍ଥାନାନ୍ତର କରିଦିଆଯାଇଥିଲା । ସେଶନ୍ସ କୋର୍ଟରେ ୨ ଥର ଜାମିନ ଆବେଦନ ଖାରଜ ହେବା ପରେ ଆଜି ବମ୍ବେ ହାଇକୋର୍ଟରୁ ଜାମିନ ମିଳିଛି ।