ପୁରୀରେ ପହଞ୍ଚିଲା ଏଏସଆଇର ତିନି ଜଣିଆ ଟିମ୍ । ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲିପ ଖମାରୀ, ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ, ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାସ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଯାଇ ସମସ୍ତ କାର୍ୟ୍ୟର ଅନୁଧ୍ୟାନ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା କମ୍ପାନୀ ଟାଟା ଜରିଆରେ ମେଘନାଦ ପାଚେରୀଠାରୁ ୧୦୦ ମିଟର ନିଷିଦ୍ଧ ଅଂଚଳ ଭିତରେ ଖନନ କାମ ଚାଲିଛି । ଏହି ଟିମ୍ ପ୍ରକଳ୍ପ କାମର ଅନୁଧ୍ୟାନ କରିବା ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଓଡିଶା ସେତୁ ଓ ନିର୍ମାଣ ନିଗମ, ଟାଟା ପ୍ରକଳ୍ପ ଅଧିକାରୀଙ୍କୁ ଭେଟି ଆଲୋଚନା କରିବ ।
ଗତ ୬ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର କୁମାର ଯାଦବ ଏ.ଏସ.ଆଇ ନିକଟରେ ସଂଶୋଧିତ ପ୍ରକଳ୍ପର ନକ୍ସା ଦାଖଲ କରିଥିଲେ । ଏ.ଏସ.ଆଇ ଭୁବନେଶ୍ୱର ମଣ୍ଡଳ ଅଧୀକ୍ଷକ ତାହାକୁ ଅନୁଧ୍ୟାନ କରିବା ପରେ ମହାନିର୍ଦ୍ଦେଶକଙ୍କୁ ସୁପାରିସ କରାଯିବ । କାରଣ ଏ.ଏସ.ଆଇର ବିନା ଅନୁମତିରେ ନିଷିଦ୍ଧାଞ୍ଜଳରେ ପରିକ୍ରମା ପ୍ରକଳ୍ପ କାମ ହେଉଛି ହେଉଛି ବୋଲି ଅଭିଯୋଗ ରହିଛି । ବଡ ବଡ ଖନନ ଯୋଗୁଁ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ରହିଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ, ବିଶେଷଜ୍ଞ । ଏହାକୁ ନେଇ ହାଇକୋର୍ଟରେ ମାମଲା ପହଂଚିଛି । ଉଭୟ ରାଜ୍ୟ ସରକାର ଏବଂ ଏ.ଏସ.ଆଇକୁ ପ୍ରକଳ୍ପକୁ ନେଇ ରିପୋର୍ଟ ଦେବାକୁ କୁହାଯାଇଛି । ଆଗାମୀ ୯ ତାରିଖରେ ମାମଲାର ପରବର୍ତୀ ଶୁଣାଣି ରହିଛି ।