ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷମା ମାଗନ୍ତୁ । କ୍ଷମା ନମାଗିବା ଯାଏ ଗୃହ ଚଲାଇଦେବୁନି । ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ଏଭଳି ଜିଦରେ ଅଡିବସିଛନ୍ତି ଶାସକ ଦଳ ବିଧାୟକ । ପ୍ରଥମଥର ପାଇଁ ଶାସକ ଦଳର ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହଙ୍ଗାମା କରିଛନ୍ତି । ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଧମକ ଦେଇ ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି । ସାନିଟାଇଜର ପିଇ ସେ କଣ ଦର୍ଶାଇବାକୁ ଚାହୁଁଛନ୍ତି ବୋଲି ବିଜେଡି ବିଧାୟକ ପ୍ରଶ୍ନ କରିଛନ୍ତି । ସେପଟେ ବିଜେପି କହିଛି, ବିଧାନସଭାର ପରମ୍ପରା ଶାସକ ଦଳ ଭାଙ୍ଗିଛି । ସେମାନେ କ୍ଷମା ମାଗନ୍ତୁ । ଚାଷୀଙ୍କ ସମସ୍ୟା ଯେ ପର୍ଯ୍ୟନ୍ତ ସମାଧାନ ହୋଇନାହିଁ , ଆନ୍ଦୋଳନ ଚାଲିବ ବୋଲି ବିଜେପି ବିଧାୟକ କହିଛନ୍ତି ।
ଆଜି ବିଧାନସଭା ଆରମ୍ଭରୁ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ହଙ୍ଗାମା କରିଛନ୍ତି । ଫଳରେ ଚାଲିପାରିଲାନି ଗୃହ କାର୍ୟ୍ୟ । ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ଗୃହ ମଧ୍ୟ ଭାଗରେ ବିଜେପି ଓ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଛନ୍ତି। ଏଣେ ବିଜେଡି ସଦସ୍ୟମାନେ ପ୍ରଥମେ ନିଜସ୍ଥାନରେ ପ୍ରତିବାଦ କରିବା ପରେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଛନ୍ତି। ଦେବଗଡ ବିଧାୟକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରି ଆଜି ବିଜେଡି ବିଧାୟକମାନେ ପ୍ରଥମେ ନିଜ ନିଜ ଆସନରେ ବସି ପାଟିତୁଣ୍ଡ କରିଥିଲେ । ଏହାପରେ ଗୃହର ମଧ୍ୟ ଭାଗକୁ ଆସି ପ୍ରବଳ ହଙ୍ଗାମା କରିଛନ୍ତି ।ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ପାଇଁ ଧମକ ଦେଇଥିବାରୁ କ୍ଷମା ମାଗନ୍ତୁ ବୋଲି ବିଜେଡି ବିଧାୟକମାନେ ଦାବି କରିଛନ୍ତି। ଯଦି କ୍ଷମା ନ ମାଗିବେ, ତେବେ ଗୃହ କାର୍ୟ୍ୟ ଚଳାଇଦେବୁନି ବୋଲି ବିଜେଡି ସଦସ୍ୟ କହିଛନ୍ତି।
ସେପଟେ ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, ସୁବାଷ ପାଣିଗ୍ରାହୀ କାହଁକି କ୍ଷମା ମାଗିବେ । ଶାସକ ଦଳର ମନ୍ତ୍ରୀ ମାନେ ଗୃହର ମଧ୍ୟ ଭାଗକୁ ଆସିଥିଲେ । ଶାସକ ଦଳ ବିଧାନସଭା ପରମ୍ପରା ଭାଙ୍ଗିଛି । ସେମାନେ କ୍ଷମା ମାଗନ୍ତୁ । ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି କହିଛନ୍ତି, ସରକାର ବେଇମାନି କରିଛନ୍ତି। ବିଜେଡି ବିଧାନସଭାର ଇତିହାସକୁ ଧ୍ଵଂସ କରିଛନ୍ତି, ଏହାକୁ କଂଗ୍ରେସ ବରଦାସ୍ତ କରିବ ନାହିଁ ।ଚାଷୀଙ୍କ ଧାନ ଯେ ପର୍ୟ୍ୟନ୍ତ ନଉଠିଛି ସେ ପର୍ୟ୍ୟନ୍ତ ଗୃହ ଚଲେଇଦେବୁ ନାହିଁ ବୋଲି ସନ୍ତୋଷ ସିଂହ ସାଲୁଜା କହିଛନ୍ତି।