ଆଜି ତୃତୀୟ ଦିନରେ ବି ଚାଲି ପାରିଲାନି ଗୃହ । ଆରମ୍ଭରୁ ଗୃହରେ ମମିତା ମେହେର ଝଡ଼ । ମନ୍ତ୍ରୀ ଦିବ୍ୟଶଙ୍କର ବହିଷ୍କାର ଦାବି କଲେ ବିରୋଧୀ । ପ୍ଲାକାଡ଼ ଧରି ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ । ହୋହଲ୍ଲା ଯୋଗୁଁ ଦିନ ସାଢେ ୧୧ ଯାଏଁ ପ୍ରଥମେ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ପରେ ପୁଣି ଗୃହ ଆରମ୍ଭ ହେବା ପରେ ସେହି ସମାନ ସ୍ଥିତି ଦେଖା ଦେଇଥିଲା । ମମିତା ପ୍ରସଙ୍ଗରେ କଂଗ୍ରେସ, ବିଜେପି ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ । ତେଣୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ।
ମମିତା ମେହେର ମାମଲାକୁ ନେଇ ଆଜି ବିଧାନସଭାରେ ବିଜେପି ପ୍ରତିବାଦ କରିଛି । ପବିତ୍ର ଗୃହକୁ, ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରବେଶ କରିଥିବାରୁ ଗୃହ ଅପବିତ୍ର ହୋଇଯାଇଥିବା କହିଛି ବିଜେପି । ତେଣୁ ଗୃହକୁ ପବିତ୍ର କରିବା ପାଇଁ ବିଜେପି ବିଧାୟକମାନେ ବିଧାନସଭାପରେ ଗଙ୍ଗା ଜଳ ଏବଂ ଗୋବର ପାଣି ପକାଇ ପବିତ୍ର କରିଛନ୍ତି ।
ତେବେ ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ଘଟଣାରେ ବିଜେପିର ଅଭିନବ ପ୍ରତିବାଦ । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଘଣ୍ଟ ବଜାଇ ପ୍ରତିବାଦ କରାଯାଇଛି । ଘଣ୍ଟ ବଜାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଦରୁ ଉଠାଇବା ପାଇଁ ପ୍ରତିବାଦ କରୁଛି ଦଳ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛି ବିଜେପି ।
ଗୃହ ଭିତରେ ବିରୋଧୀ ଶାସକ ଦଳକୁ ଘେରିଥିବା ବେଳେ ବିଜେଡି ମଧ୍ୟ ଏହାକୁ କାଉଣ୍ଟର କରୁଛି । ଏଥିପାଇଁ ଦରଦାମ ବୃଦ୍ଧିକୁ ନେଇ ଗତ ୩ ଦିନ ହେଲା ଧାରଣା ଦେଉଛି ବିଜେଡି ।