‘କ୍ଷମା’ ରାଜନୀତି । ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମକୁ ନେଇ ଗତକାଲି ବିଧାନସଭାରେ ହୋହାଲ୍ଲା କରିଥିଲା ବିଜେଡି । ବିଧାୟକଙ୍କ ଆତ୍ମହତ୍ୟା ଧମକ ଦ୍ୱାରା ଗୃହର ମର୍ଯ୍ୟାଦା ଭଙ୍ଗ ହୋଇଛି ତେଣୁ କ୍ଷମା ମାଗନ୍ତୁ ବୋଲି ଶାସକ ଦଳର ସଦସ୍ୟ ଦାବି କରିଥିଲେ । ସେପଟେ ଆଜି ବାଚସ୍ପତି କହିଛନ୍ତି, ବିଧାନସଭା ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ବେଆଇନ୍ । ଏହି ଭୁଲ୍ ପାଇଁ ସେ କ୍ଷମା ମାଗିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ସୂର୍ୟ୍ୟପାତ୍ର ।
ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ପ୍ରାର୍ଥନା କରିବାକୁ କହିଲେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ବିଜେପି ବିଧାୟକ ଦଳ ଏନେଇ ବୈଠକ କରନ୍ତୁ ଏବଂ ଏଥିପାଇଁ ଦଳ ଦୁଃଖ ପ୍ରକାଶ କରିବା ଉଚିତ ବୋଲି ସେ କହିଛନ୍ତି । ସରକାରୀ ଦଳ ବି ତାଙ୍କ କ୍ଷମା ଦାବି କରିଛନ୍ତି । ଗୃହ ଠିକ୍ ଭାବେ ଚାଲିବା ପାଇଁ କ୍ଷମା ମାଗିଲେ ଅସୁବିଧା କଣ ବୋଲି ପ୍ରଶ୍ନ କରିଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ଟ୍ରେଜେରୀ ବେଂଚ ମଧ୍ୟ ଏଭଳି ଘଟଣା ଲାଗି କ୍ଷମା ମାଗିବାକୁ ଦାବି କରିଛନ୍ତି । ସେପଟେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଏସବୁ ଡ୍ରାମା ଚାଲିଛି । ଭୋଟ ପାଇଁ ବିଜେପି ବିଧାୟକ ଏମିତି କରିଛନ୍ତି । ଏମିତି କଲେ ତାଙ୍କ ନିର୍ବାଚନ ମଣ୍ଡଳିର ଲୋକ କହିବେ ଚାଷ ପାଇଁ ତାଙ୍କ ହୃଦୟ ଫାଟିଯାଉଛି ତେଣୁ ଦରଦ ଆସିବ । ତେଣୁ ସେ ଯାହା କରିଛନ୍ତି ତା ପାଇଁ କ୍ଷମା ମାଗି ଦିଅନ୍ତୁ ।
ବିଧାନସଭା ଚାଲିଥିବା ବେଳେ ବିଧାୟକ ସୁବାଷ ପାଣିଗ୍ରାହୀ ଧାନ କିଣା ସମସ୍ୟା ନେଇ ଗୃହରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଧମକ ଦେଇଥିଲେ । ତେବେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କ ପାଖରୁ ବୋତଲଟି ଛଡାଇଆଣିଥିଲେ । ତେବେ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଅତ୍ୟନ୍ତ ନିନ୍ଦନୀୟ । ଏନେଇ ସେ କ୍ଷମା ମାଗନ୍ତୁ ବୋଲି ଶାସକ ଦଳ ନିଜ ଷ୍ଟାଣ୍ଡରେ ଅଟଳ ରହିଛି ।