ମୋଦିଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପରେ ବିଜେପି ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଉଭୟ ଜାତୀୟ ଓ ରାଜନୀତିରେ ଏହାର ଜୋରଦାର ପ୍ରଭାବ ପଡିବ ବୋଲି ଆକଳନ କରାଯାଉଛି । ଅନେକ ବଡ ଚେହେରାଙ୍କୁ ବାଦ୍ ଦେଇ ମୋଦି ନିଜର ନୂଆ ଟିମ୍ ଗଢିବା ଏବଂ ପୁରୁଖା ତଥା ପ୍ରଭାବୀ ନେତାଙ୍କ ବିଭାଗରେ ପରିବର୍ତ୍ତନ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ତେବେ ମୋଦିଙ୍କ ନୂଆ ଟିମ ଗଠନ ପରେ ଓଡ଼ିଶା ରାଜନୀତିରେ ଏହାର ଯଥେଷ୍ଟ ଅଧିକ ପଡିବ ବୋଲି ଚର୍ଚ୍ଚା ହେଉଛି । କାରଣ ଓଡ଼ିଶାରୁ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ମୋଦିଙ୍କ ନୂଆ ଟିମରେ ଆଶା ଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି । ମୟୂରଭଞ୍ଜ ବିଶ୍ୱେଶ୍ୱର ଟୁଡୁଙ୍କୁ ମନ୍ତ୍ରୀପଦ ମିଳିଥିଲେ ମଧ୍ୟ ଅଶ୍ୱିନୀଙ୍କୁ ନେଇ ରାଜ୍ୟ ରାଜନୀତିରେ ଅଧିକ ଚର୍ଚ୍ଚା । କାରଣ ଅଶ୍ୱିନୀଙ୍କୁ ମିଳିଛି ରେଳ ଓ ଆଇଟି ଭଳି ପ୍ରଭାବଶାଳୀ ବିଭାଗ ।
ଗୋଟିଏ ପଟେ ଅଶ୍ୱିନୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିଥିବା ବେଳେ ମୋଦି ସରକାରରେ ପାୱାରଫୁଲ ମିନିଷ୍ଟରର ଟ୍ୟାଗ ମିଳିଛି । କିନ୍ତୁ ଅନ୍ୟପଟେ ଓଡ଼ିଶା ବିଜେପିର ପୋଷ୍ଟରବୟ କୁହାଯାଉଥିବା ଧର୍ମେନ୍ଦ୍ରଙ୍କ ଠାରୁ ଦାମିକିଆ ପେଟ୍ରୋଲିୟମ ବିଭାଗ କାଢି ନେଇଛନ୍ତି ମୋଦି । ଦୀର୍ଘ ୭ ବର୍ଷ ପରେ ଧର୍ମେନ୍ଦ୍ରଙ୍କ ହାତରୁ ଏହି ବିଭାଗ ଖସିଛି । ଶିକ୍ଷାମନ୍ତ୍ରୀ ଭାବେ ଏତେଟା ଗୁରୁତ୍ୱ ବହନ କରୁନଥିବା ବିଭାଗର ଦାୟିତ୍ୱ ଧର୍ମେନ୍ଦ୍ରଙ୍କୁ ମିଳିଛି । ଆଉ ଏଭଳି କରି ଆଗାମୀ ପଞ୍ଚାୟତ ଓ ୨୦୨୪ ନିର୍ବାଚନ ପାଇଁ ବିଜେପିର ଶୀର୍ଷ ନେତୃତ୍ୱ ରୋଡମ୍ୟାପ ପ୍ରସ୍ତୁତ କରୁଥିବା କୁହାଯାଉଛି । ଆଉ ଅଶ୍ୱିନୀଙ୍କୁ ଏହି ଅଭିଯାନର ଅସ୍ତ୍ର ଭାବେ ଛଡାଯାଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
୨୦୧୪ରୁ ୨୦୨୧ । ମୋଦି ସରକାରରେ ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିବା ପରଠାରୁ ରାଜ୍ୟ ବିଜେପିରେ ଅଖଣ୍ଡ ପ୍ରଭାବ ବିସ୍ତାର କରିଥିଲେ ଧର୍ମେନ୍ଦ୍ର । ୭ ବର୍ଷ ମଧ୍ୟରେ ଦଳର ପୋଷ୍ଟରବୟ ସାଜି ସାରିଥିଲେ । ଦିଲ୍ଳୀ ଦରବାରରେ କାଟତି ଥିବାରୁ ରାଜ୍ୟ ବିଜେପି ୟୁନିଟ୍ ଏକପ୍ରକାର ଧର୍ମେନ୍ଦ୍ର ନିୟନ୍ତ୍ରଣରେ ରହୁଥିଲା । ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ବିଜେପିର ଚେହେରା ବୋଲି କର୍ମୀଙ୍କ ମନରେ ମଧ୍ୟ ଧାରଣା ସୃଷ୍ଟି ହୋଇଥିଲା । ଆଉ ଏହି ସୁଯୋଗରେ ଧର୍ମେନ୍ଦ୍ର ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ସଙ୍ଗଠନକୁ ସୁଦୃଢ କରିଥିଲେ । କିନ୍ତୁ ଯେଉଁଠି ଧର୍ମେନ୍ଦ୍ରଙ୍କ ବିନା ରାଜ୍ୟ ବିଜେପିର ପତ୍ର ହଲେନି ବୋଲି କୁହାଯାଉଥିଲା ସେଠାରେ ଅପରାଜିତା, ବୈଜୟନ୍ତଙ୍କ ଭଳି ନେତାଙ୍କ ଏଣ୍ଟ୍ରି ପରେ ସଙ୍ଗଠନରେ ଝଡ ସୃଷ୍ଟି ହୋଇଥିଲା । ଧର୍ମେନ୍ଦ୍ରଙ୍କୁ ବିଜେପିର ଭବିଷ୍ୟତ ବୋଲି ଯେତେବେଳେ ଗଣମାଧ୍ୟମରେ ଚିତ୍ରଣ କରାଗଲା ସେତେବେଳେ ଦଳୀୟ ମହଲରେ ହିଁ ପ୍ରଧାନ ବିରୋଧୀ ଗୋଷ୍ଠୀର ଜନ୍ମ ହୋଇଥିବା ନେଇ ଚର୍ଚ୍ଚା ହେଲା । ଦିନକୁ ଦିନ ରାଜ୍ୟ ବିଜେପିରେ ଧର୍ମେନ୍ଦ୍ରଙ୍କ ପତିଆରା ଯେତିକି ଅଧିକ ବଢିଲା ପ୍ରଧାନ ବିରୋଧୀ ଅସନ୍ତୁଷ୍ଟଙ୍କ ସଂଖ୍ୟା ମଧ୍ୟ ସେତେ ଅଧିକ ବଢିଲା । ଯେଉଁଥିପାଇଁ ଓଡ଼ିଶାରେ ଦଳ ସୁବିଧାଜନକ ସ୍ଥିତିରେ ଥିଲେ ମଧ୍ୟ ସେଭଳି ସଫଳତା ମିଳିଲା ନାହିଁ । ସଙ୍ଗଠନ ସୁଦୃଢ ହେବା ପରିବର୍ତ୍ତେ ଦଳ ଭିତରେ ଅସନ୍ତୋଷ ବଢିଲା । ଉପରକୁ ସବୁ ଠିକ୍ ଠାକ ଦିଶୁଥିଲେ ମଧ୍ୟ ଦଳ ଭିତରେ ସ୍ଥିତି ଯେ ସାଂଘାତିକ ହୋଇସାରିଲାଣି ତାହାର ଅନ୍ଦାଜ ଲଗାଇ ସାରିଥିଲେ ଦଳର ଶୀର୍ଷ ନେତୃତ୍ୱ । ଦଳୀୟ ସଙ୍ଗଠନ ପରିବର୍ତ୍ତେ ନିଜସ୍ୱ ସଙ୍ଗଠନ ପଛରେ ଅପରାଜିତାଙ୍କ ଫୋକସ ଏହାର ସବୁଠୁ ଉଦାହରଣ । ତେଣୁ ଏଭଳି ସ୍ଥିତିରୁ ଦଳରୁ ବାହାର କରିବାକୁ ମନ୍ତ୍ରୀମଣ୍ଡଳରେ ଅଶ୍ୱିନୀଙ୍କୁ ସାମିଲ କରିବା ସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଯାଇଥିବା କୁହାଯାଉଛି ।
ମୋଦିଙ୍କ ନୂଆ ଟିମରେ ସାମିଲ ହେବାକୁ ଅଶ୍ୱିନୀଙ୍କୁ ଛାଡି ଓଡ଼ିଶାର ଅନ୍ୟ ୨ ନାଁକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଅପରାଜିତା ଷଡଙ୍ଗୀ ଓ ବୈଜୟନ୍ତ ପଣ୍ଡା, ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳ ରେସରେ ଆଗରେ ରହିଥିଲେ । କିନ୍ତୁ ଏମାନଙ୍କ ମଧ୍ୟରୁ କାହାକୁ ବି ମନ୍ତ୍ରୀପଦ ମିଳିଲେ ରାଜ୍ୟ ବିଜେପିରେ କନ୍ଦଳ କମିବା ପରିବର୍ତ୍ତେ ଯେ ଅଧିକ ବଢିବ ତାହାର ଖବର ପୂର୍ବରୁ ପାଇସାରିଥିଲେ ଦିଲ୍ଲୀ ନେତୃତ୍ୱ । କାରଣ ଉଭୟ ଅପରାଜିତା ଓ ବୈଜୟନ୍ତ, ଧର୍ମେନ୍ଦ୍ର ବିରୋଧୀ କ୍ୟାମ୍ପର ବୋଲି କୁହାଯାଉଛି । ତେଣୁ ଦଳ ଭିତରେ ସମନ୍ୱୟ ରଖିବା ସହ ଦଳକୁ ସୁଦୃଢ ଓ ସଙ୍ଗଠିତ କରିବାକୁ ଅଶ୍ୱିନୀ ଅସ୍ତ୍ର ଛାଡିଛନ୍ତି ମୋଦି । ଦଳୀୟ ନେତାଙ୍କ ସହ ସୁସମ୍ପର୍କ ଓ ସଙ୍ଗଠନ ଉପରେ ଗୁରୁତ୍ୱ ଦେଉଥିବା ଅଶ୍ୱିନୀ ରାଜ୍ୟ ବିଜେପିର କୌଣସି ନେତାଙ୍କ କ୍ୟାମ୍ପର ହୋଇନଥିବା ବେଳେ ଦିଲ୍ଲୀ ନେତୃତ୍ୱଙ୍କ ସହ ଡାଇରେକ୍ଟ ଲିଙ୍କ୍ ରହିଛି । ଏହାଛଡା ର୍ନିବିବାଦୀୟ ଚେହେରା ହୋଇଥିବାରୁ ରାଜ୍ୟ ବିଜେପିରେ ଅଶ୍ୱିନୀଙ୍କୁ ନେଇ ସେଭଳି କୌଣସି ସମସ୍ୟା ସୃଷ୍ଟି ହୋଇନପାରେ । ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ବିଭାଗରେ ପରିବର୍ତ୍ତନ କରି ଅସନ୍ତୁଷ୍ଟ ତଥା ପ୍ରଧାନ ବିରୋଧୀ କ୍ୟାମ୍ପକୁ କିଛି ମାତ୍ରାରେ ଆଶ୍ୱସ୍ତ କରିଥାଇପାରନ୍ତି ଦିଲ୍ଳୀ ନେତୃତ୍ୱ । କାରଣ ପେଟ୍ରୋଲିୟମ ଭଳି ଦାମୀ ବିଭାଗ ବଦଳରେ ଶିକ୍ଷା ବିଭାଗ ଦେଇ ଦଳରେ ଧର୍ମେନ୍ଦ୍ରଙ୍କ ଥିବା ପ୍ରଭାବକୁ କମ କରାଯାଇଥିବା ଚର୍ଚ୍ଚା ହେଉଛି ।ଏହାଛଡା ଦଳର ଫୋକସରେ ସବୁ ନେତା ରହିଛନ୍ତି, କେବଳ ଧର୍ମେନ୍ଦ୍ରଙ୍କୁ ଦଳ ଗୁରୁତ୍ୱ ଦେଉନାହିଁ ବୋଲି ସଂକେତ ଦେଇଥାଇପାରନ୍ତି । ଏହାଛଡା ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳରେ ଯେପରି ଅସନ୍ତୋଷ ନ ବଢିବା ସହ ଫାଟ ସୃଷ୍ଟି ନହୁଏ ସେଥିପାଇଁ ଅପରାଜିତା ଓ ବୈଜୟନ୍ତଙ୍କୁ ମଧ୍ୟ ମୋଦିଙ୍କୁ ଟିମରୁ ଦୂରେଇ ରଖାଯାଇଥିବା ନେଇ ଚର୍ଚ୍ଚା ହେଉଛି । ଅଶ୍ୱିନୀଙ୍କୁ ହେଭିୱେଟ ମନ୍ତ୍ରୀ ତାଲିକାରେ ସାମିଲ କରି ଓଡ଼ିଶା ନେତାଙ୍କୁ ସଙ୍ଗଠନ କାର୍ଯ୍ୟରେ ନିୟୋଜିତ କରିବାକୁ ଦଳ ଲକ୍ଷ୍ୟ ରଖିଥିବା କୁହାଯାଉଛି । ଯାହାଦ୍ୱାରା ୨୦୨୪ରେ ଓଡ଼ିଶାରେ ବିଜେପିର ବିଜୟର ଟିକା ପିନ୍ଧିପାରିବ ।