ମନ୍ତ୍ରୀ ପଦଟେ ପାଇବେ ବୋଲି ?

ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଆଜି କାଲି ଅଧିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ସେ ଦଳର ମୁଖପାତ୍ର ନୁହଁନ୍ତି, କିମ୍ବା ଅଧିକାରୀସ୍ତରରେ କୈାଣସି ପ୍ରତିକ୍ରିୟା ଦେବାକୁ ଅଧିକୃତ ବି ନହୁଁନ୍ତି । ହେଲେ ଏବେ ସେ ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମ ସାମ୍ନାରେ ରଖୁଥିବା ବୟାନ ରାଜନୀତିରେ ଆଗ୍ରହ ରଖୁଥିବା ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରୁଛି । ସବୁବେଳେ ବେଶ ମାପିଚୁପି ବୟାନ ଦେଉଥିବା ତଥା ଉପରୁ ନିର୍ଦ୍ଦେଶ ନ’ଆସିଲେ ବୟା ରଖୁନଥିବା ଅତନୁ ସବ୍ୟସାଚୀ ନାୟକଙ୍କର ଭିନ୍ନ ଏକ ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବଡ କଥା ହେଉଛି ଅତନୁ ସବ୍ୟସାଚୀ ନାୟକଙ୍କର ଆଖି ମନ୍ତ୍ରୀପଦ ଉପରେ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଂଚମ ପାଳିର ପ୍ରଥମ ଅଦଳ ବଦଳ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହା ଆଗରୁ ନିଜ ଚେହେରାକୁ ବାରମ୍ବାର ଗଣମାଧ୍ୟମ ଜରିଆରେ ସମସ୍ତଙ୍କ ସାମ୍ନାକୁ ଆଣି ପଲ୍ଲା ମଜଭୁତ କରିବାକୁ ଅତନୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ଦଳ ଯେତେବେଳେ ଅଡୁଆରେ ପଡୁଛି, ସେତେବେଳେ ସେ ଦଳ ପାଇଁ ଆଗେଇ ଆସି କାମ କରୁଥିବାର ବର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ବିଜେଡି ମହଲରେ ଚର୍ଚ୍ଚା ହେଉଛି ।

କେନ୍ଦ୍ରାପଡାରୁ ଜଣେ ବି ନେତା ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇନାହାନ୍ତି । ଶଶୀଭୂଷଣ ବେହେରା, ପ୍ରତାପ ଦେବ, ଅତନୁ ସବ୍ୟସାଚୀଙ୍କ ଭଳି ଅନେକ ନେତା ଆଶାବାଦୀ । ଦଳକୁ ବିଭିନ୍ନ ସମୟରେ ବିପଦରୁ ବଂଚାଇ ଶଶୀଭୂଷଣ ବେହେରା ଏବଂ ପ୍ରତାପ ଦେବ ପୁରଷ୍କୃତ ହୋଇଥିଲେ । ଆଉ ଏବେ ସେହି ନ୍ୟାୟରେ ଅତନୁ ଆଗକୁ ବଢୁଥିବା କୁହାଯାଉଛି । ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରେ ଅତନୁ ଗଣମାଧ୍ୟମ ଆଗରେ ଯେଉଁ ବୟାନ ରଖିଲେ, ତା ପଛରେ ମନ୍ତ୍ରୀପଦ ଏକ ବଡ ଆଶା ବୋଲି ଚର୍ଚ୍ଚା ହେଉଛି ।

ପୂର୍ବରୁ ବିଜେଡି ବିଭିନ୍ନ ପ୍ରସଙ୍ଗରେ ଯେତେବେଳେ ଘେରି ହୋଇ ଅସୁବିଧାରେ ପଡିଥିଲା ସେତେବେଳେ ମୁଖପାତ୍ର ପଦ ଦଳରେ ତିଆରି ହେଲା । ପ୍ରତାପ ଦେବ, ଶଶୀଭୂଷଣ ବେହେରା, ସସ୍ମିତ ପାତ୍ର, ସମୀର ଦାସ, ସୁଲୋଚନା ଦାସ, ସୁବାସ ସିଂଙ୍କ ଭଳି ଅନେକ ନେତା ଦଳର ଆଭିମୁକ୍ୟ ଗଣମାଧ୍ୟମରେ ରଖିବାକୁ ଅଧିକୃତ ହୋଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏମାନଙ୍କୁ ସବୁ ଭଲ ପଦ ପଦବୀରେ ଥଇଥାନ କରାଯାଇଥିଲା । କାହାକୁ ରାଜ୍ୟ ସଭା ପଠାଗଲା ତ ଆଉ କାହାକୁ ବିଭିନ୍ନ ପଦପଦବୀ ।

ବାସ୍ ଏହି ଦିଗକୁ ଆକଳନ କରି ଅତନୁ ସବ୍ୟସାଚୀ ନାୟକ ଗୋଟି ଚଳାଉଥିବା ଅନୁମାନ କରାଯାଉଛି । ଆଗକୁ ପଂଚାୟତ ଓ ସହର ଭୋଟ ଥିବା ବେଳେ ପଂଚମ ଥର ପାଇଁ କ୍ଷମତାକୁ ଆସିଥିବା ଦଳ ସାମ୍ନାରେ ଅଧିକ ଆହ୍ୱାନ ତିଆରି ହେବ । ଲୋକଙ୍କୁ ବୁଝାଇବା ଭଳୀ ସ୍ୱର ଦଳ ଭିତରେ ଆବଶ୍ୟକ । ଅଡୁଆରେ ପଡିଲେ ଦଳକୁ ବଂଚାଇବା ପାଇଁ ଚେହେରା ଆବଶ୍ୟକ । ସେହି ନ୍ୟାୟରେ ଦଳ ରଣନୀତି ତିଆରି କରୁଥିବା ବେଳେ ମହାକାଳପଡା ବିଧାୟକ ଏଥିପାଇଁ ଫିଟ୍ ଥିବା ଗଣମାଧ୍ୟମ ସାମ୍ନାର ବୟାନ ରଖି ଦର୍ଶାଇବାକୁ ଚେଷ୍ଟା କରୁଥାଇ ପାରନ୍ତି । ଦେଖାଯାଉ, ଅତନୁ ତାଙ୍କ ଗୋଟିଚାଳନାରେ ସଫଳ ହୋଇପାରୁଛନ୍ତି ନା ନାହିଁ ।

Comments (0)
Add Comment