କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ନେଇ ଲାଗିରହିିଥିବା ଆଶା ଆଶଙ୍କାକୁ ଦୂର କରିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପୂର୍ବରୁ ମାଟ୍ରିକ ଓ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛତ୍ରୀଙ୍କ ପାଇଁ ଧାର୍ୟ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ। ଏହି ଦୁଇ ଶ୍ରେଣୀର ପରୀକ୍ଷା ହେବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପୂର୍ବ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା । ୯ମ ପରୀକ୍ଷା ନେଇ ସରକାର ଆଲୋଚନା କରୁଛନ୍ତି । ଯେହେତୁ ନବମ ଶ୍ରେଣୀ ବନ୍ଦ ରହିଛି, ତେଣୁ ପରୀକ୍ଷା ହେବ କି ନାହିଁ ସେ ସମ୍ପର୍କରେ ଆଲୋଚନା ଜାରି ରହିଛି । ପରୀକ୍ଷା ସମ୍ପର୍କରେ ଖୁବଶୀଘ୍ର ଜଣାଇ ଦିଆଯିବ ।
କରୋନା ସଂକ୍ରମଣ ବଢ଼ୁଥିବାରୁ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ମନ୍ତ୍ରୀ କହିଛନ୍ତି। ମହାମାରୀ କରୋନା ବ୍ୟାପୁଥିବାରୁ ନବମ ଓ ଏକାଦଶ କ୍ଲାସ୍ରେ ପାଠ ପଢ଼ା ବନ୍ଦ ରହିଛି । ଆସନ୍ତା ଏପ୍ରିଲ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ । ହଷ୍ଟେଲ ଓ ଆବାସିକ ସ୍କୁଲରେ ପଢୁଥିବା ନବମ ଓ ଏକାଦଶ ଶ୍ରେଣୀର ପିଲାଙ୍କୁ ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୩ ତାରିଖରୁ ମେ’ ୧୫ ତାରିଖ ପର୍ୟ୍ୟନ୍ତ ହେବ। ଆସନ୍ତା ୨୯ ତାରିଖରୁ ମେ’ ୮ ମଧ୍ୟରେ ଯୁକ୍ତ୨ ପ୍ରାକ୍ଟିକାଲ ଏବଂ ମେ’ ୧୮ରୁ ଜୁନ୍ ୧୨ ପର୍ୟ୍ୟନ୍ତ ଥିଓରି ପରୀକ୍ଷା ଚାଲିବ। ତାହାକୁ ନଜରରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପ୍ରସ୍ତୁତି ଚଳାଇଛି । ।