କ’ଣ ଚାଲିଛି ପିପିଲିରେ?

ପିପିଲିରେ ହିଂସା ରାଜନୀତି । ମହାରଥୀଙ୍କ ଗଡ଼ରେ ହୋଇଛି ମନ୍ତ୍ରୀଙ୍କୁ ଆକ୍ରମଣ । ଉପନିର୍ବାଚନ ପାଇଁ ଆଉ ଦିନ କେଇଟା ବାକି ଥିବା ବେଳେ ଗୋଟେ ପଟେ ଚାଲିଛି ହାଇଭୋଲଟେଜ ପ୍ରଚାର । ହେଲେ ଅନ୍ୟପଟେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଡେଲାଙ୍ଗ ହସ୍ପିଟାଲ ସାମନାରେ ମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ହୋଇଥିବା ବେଳେ ବିଜେପି କର୍ମୀ ଆକ୍ରମଣରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ମନ୍ତ୍ରୀଙ୍କ ଗାଡିର କାଚ ଭାଙ୍ଗିଯାଇଛି ।

ଆଜି ପିପିଲିରେ ଦୁଇଟି ନିର୍ବାଚନୀ ହିଂସା ଘଟିଛି । ବିଜେଡି ଓ ବିଜେପି ପରସ୍ପର ଉପରକୁ ଆକ୍ରମଣ ନେଇ ଅଭିଯୋଗ କରୁଥିବା ବେଳେ ପିପିଲିରେ କଣ ଚାଲିଛି ତାହା ବୁଝାପଡୁନି । ଆଜି ପ୍ରଥମେ ଡେଲାଙ୍ଗର ପ୍ରଚାର ବେଳେ ବିଜେଡି-ବିଜେପି କର୍ମୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଡେଲାଙ୍ଗ ହସ୍ପିଟାଲରେ ଭର୍ତି ହୋଇଥିବା ଆହତ ବିଜେଡି କର୍ମୀଙ୍କୁ ଭେଟିବାକୁ ଯାଇଥିଲେ ମନ୍ତ୍ରୀ ସୁଶାନ୍ତ ସିଂ । ତେବେ ଆହତ କର୍ମୀଙ୍କୁ ଭେଟି ହସ୍ପିଟାଲରୁ ବାହାରୁଥିବା ସମୟରେ ତାଙ୍କ ଉପରକୁ ଆକ୍ରମଣ ହୋଇଛି । ସେପଟେ ବିଜେପି ଅଭିଯୋଗ କରିଛି ତାଙ୍କ କର୍ମୀଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଛନ୍ତି । ବିଜେଡି କର୍ମୀଙ୍କ ମାଡରେ ୩ ଜଣ ବିଜେପି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ଆହତଙ୍କୁ ଡେଲାଙ୍ଗ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଗୁରୁତର ଆହତଙ୍କୁ ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଭୁବନେଶ୍ୱର ଏମ୍ସ ଯାଇ ବିଜେପି ସଭାପତି ସମୀର ମହାନ୍ତି ଗୁରୁତର ବିଜେପି କର୍ମୀଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଡେଲାଙ୍ଗ ଜେନାପୁରର ବାହ୍ମଣ ବାଡ଼ ଅଂଚଳରେ ବିଜେପି କର୍ମୀ ପ୍ରଚାର କରୁଥିବା ବେଳେ ଏହି ଗଣ୍ଡଗୋଳ ହୋଇଥିଲା ।

Comments (0)
Add Comment